Latest Odisha News

୨୦୨୩ ପରାଗ: ଗୋଟିଏ ପକ୍ଷରେ ଚନ୍ଦ୍ର ଗ୍ରହଣ, ସୂର୍ଯ୍ୟପରାଗ

ଭୁବନେଶ୍ୱର: ୨୦୨୩ ପାଇଁ ଆଉ କେଇ ଘଣ୍ଟାର ପ୍ରତୀକ୍ଷା । ଗୋଟିଏ ଆଶା..ଗୋଟିଏ ଅପେକ୍ଷା..ନୂଆ ବର୍ଷ ଶୁଭଙ୍କର ହେଉ । ଦୂର ହେଉ ରୋଗ ଭୟ..ହଟିଯାଉ ପ୍ରାକୃତିକ ଦୂର୍ବିପାକର ବିପତ୍ତି ।   ୨୦୨୩ କ’ଣ ଭେଟି ନେଇ ଆସିବ ତାହା ତ ସମୟ କହିବ, ତେବେ ଜ୍ୟୋତିଷଶାସ୍ତ୍ର ଅନୁସାରେ ବର୍ଷ ୨୦୨୩ରେ ଅନେକ ଅଶୁଭ ଯୋଗ ରହିଛି । ସବୁଠାରୁ ବଡ କଥା ହେଉଛି ଏହି ବର୍ଷରେ ଦୁଇଟି ଚନ୍ଦ୍ରଗ୍ରହଣ ଏବଂ ସୂର୍ଯ୍ୟପରାଗ ଆସିବ । ପୁଣି ଗୋଟିଏ ପକ୍ଷ ଅର୍ଥାତ ୧୫ ଦିନ ଭିତରେ ଏହି ସୂର୍ଯ୍ୟପରାଗ ଏବଂ ସୂର୍ଯ୍ୟଗ୍ରହଣ ଆସିବ ଯାହା ଜ୍ୟୋତିଷଶାସ୍ତ୍ର ଅନୁସାରେ ଶୁଭଙ୍କର ନୁହେଁ ବୋଲି ବିବେଚନା କରାଯାଇଥାଏ ।

ମିଡିଆ ସୂଚନା ଅନୁସାରେ, ୨୦୨୨ ପରି ୨୦୨୩ରେ ମଧ୍ୟ ଦୁଇଟି ସୂର୍ଯ୍ୟ ଗ୍ରହଣ ପଡିବ । ପ୍ରଥମ ସୂର୍ଯ୍ୟପରାଗ ଏପ୍ରିଲ ୨୦ ତାରିଖରେ ପଡିବ । ଗୁରୁବାର ଏହି ପରାଗ ପଡୁଛି । ପଞ୍ଚାଙ୍ଗ ଅନୁସାରେ ପରାଗ ସକାଳ ୭ଟା ୪ ମିନିଟରୁ ଆରମ୍ଭ ହୋଇ ମଧ୍ୟାହ୍ନ ୧୨ଟା ୨୯ ମିନିଟରେ ଶେଷ ହେବ । ତେବେ ଏହି ପରାଗ ଭାରତକୁ ଦୃଶ୍ୟ ହେବ ନାହିଁ । ଏ ନେଇ ହାଣ୍ଡିଛାଡ ବା ଅନ୍ୟ କଟକଣା ରହିବ ନାହିଁ । ଦ୍ୱିତୀୟ ପରାଗ ପଡିବ ଅକ୍ଟୋବର ୧୪ ତାରିଖରେ । ଏ ଗ୍ରହଣର ପ୍ରଭାବ ମଧ୍ୟ ଭାରତରେ ନ ପଡିବାର ସମ୍ଭାବନା ରହିଛି।

ସେହିପରି ୨୦୨୩ରେ ଦୁଇଥର ଚନ୍ଦ୍ରଗ୍ରହଣ ରହିଛି । ଗୋଟିଏ ଚନ୍ଦ୍ରଗ୍ରହଣ ମେ’ ୫ ତାରିଖ ଶୁକ୍ରବାରରେ ପଡିବ । ଅର୍ଥାତ ୧୫ ଦିନ ଭିତରେ ସୂର୍ଯ୍ୟପରାଗ ଓ ଚନ୍ଦ୍ରଗ୍ରହଣ ରହିଛି । ଏହା ରାତି ୮ଟା ୪୫ ମିନିଟରୁ ଆରମ୍ଭ ହୋଇ ରାତି ଗୋଟାଏରେ ସରିବ । ଦ୍ୱିତୀୟ ଚନ୍ଦ୍ରଗ୍ରହଣ ବି ସୂର୍ଯ୍ୟ ପରାଗର ୧୫ ଦିନ ଭିତରେ ପଡିବ । ଅର୍ଥାତ ଅକ୍ଟୋବର ୨୯ରେ ପଡିବ । ଏହା ଖଣ୍ଡଗ୍ରାସ ଗ୍ରହଣ ହେବ । ରାତି ୧.୬୦ରୁ ଆରମ୍ଭ ହୋଇ ଏହା ୨ଟା ୨୨ ମିନିଟରେ ସରିବ । ଦୁଇଟି ଯାକ ଚନ୍ଦ୍ରଗ୍ରହଣ ଭାରତକୁ ଦେଖାଯିବ ଏବଂ ହାଣ୍ଡିଛାଡ ଓ ଅନ୍ୟାନ୍ୟ କଟକଣା ରହିବ ।

ତେବେ ହିନ୍ଦୁ ଶାସ୍ତ୍ରମତ ଅନୁସାରେ ଗ୍ରହଣକୁ ଶୁଭଙ୍କର ମନା ଯାଇ ନ ଥାଏ । ବିଶେଷ କରି ଗୋଟିଏ ପକ୍ଷରେ ଚନ୍ଦ୍ରଗ୍ରହଣ ଏବଂ ସୂର୍ଯ୍ୟପରାଗକୁ ବେଶି ଅଶୁଭ ବୋଲି ବିଶ୍ୱାସ କରାଯାଏ । କୁହାଯାଏ, ମହାଭାରତ ଯୁଦ୍ଧ ସମୟାରେ କୁଆଡେ ଗୋଟିଏ ପକ୍ଷରେ ଏପରି ଚନ୍ଦ୍ରଗ୍ରହଣ ଓ ସୂର୍ଯ୍ୟ ପରାଗ ପଡିଥିଲା ।

Leave A Reply

Your email address will not be published.