ଭୁବନେଶ୍ୱର: ରାଜ୍ୟରେ ସାମାଜିକ ସୁରକ୍ଷା ଯୋଜନା ଅଧୀନରେ ମିଳୁଥିବା ମାସିକ ଭତ୍ତା ପ୍ରଦାନରେ ଅହେତୁକ ବିଳମ୍ବକୁ ନେଇ ବିଜେପି ସରକାରଙ୍କୁ ତୀବ୍ର ସମାଲୋଚନା କରିଛନ୍ତି ବିରୋଧୀ ଦଳ ନେତା ତଥା ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ। ଗତ କିଛି ମାସ ଧରି ରାଜ୍ୟର ଲକ୍ଷ ଲକ୍ଷ ବୃଦ୍ଧ, ବିଧବା ଓ ଦିବ୍ୟାଙ୍ଗ ହିତାଧିକାରୀ ଭତ୍ତା ଟଙ୍କା ପାଇନଥିବାରୁ ସେ ଗଭୀର ଚିନ୍ତା ପ୍ରକଟ କରିଛନ୍ତି। ଏହି ସମ୍ବେଦନଶୀଳ ପ୍ରସଙ୍ଗରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କୁ ତୁରନ୍ତ ହସ୍ତକ୍ଷେପ କରିବାକୁ ନବୀନ ଅନୁରୋଧ କରିଛନ୍ତି।
ସୋସିଆଲ ମିଡିଆରେ ଏକ ପୋଷ୍ଟ କରି ନବୀନ କହିଛନ୍ତି ଯେ ରାଜ୍ୟରେ ଗରିବ ଏବଂ ଅସହାୟ ଲୋକେ ଭତ୍ତା ପାଇଁ ଡହଳବିକଳ ହେବା ଅତ୍ୟନ୍ତ ଦୁଃଖଦାୟକ ଘଟଣା। ବିଜେପି ସରକାର ଶାସନକୁ ଆସିବା ପରେ ଲୋକଙ୍କ ସମସ୍ୟା କମିବା ବଦଳରେ ବଢ଼ିବାରେ ଲାଗିଛି। ବିଗତ ତିନି ମାସରୁ ଅଧିକ ସମୟ ହେବ ଲକ୍ଷ ଲକ୍ଷ ଗରିବ ହିତାଧିକାରୀ ନିଜର ମାସିକ ସାମାଜିକ ସୁରକ୍ଷା ଭତ୍ତା ପାଇବାରୁ ବଞ୍ଚିତ ହୋଇଛନ୍ତି। ଯଦି ସରକାର ସାଧାରଣ ଗରିବ ଶ୍ରେଣୀର ଲୋକଙ୍କୁ ସେମାନଙ୍କର ସର୍ବନିମ୍ନ ବଞ୍ଚିବା ରାହା ଯୋଗାଇ ପାରୁନାହାନ୍ତି, ତେବେ ଏଭଳି ସରକାରଙ୍କର କି ଲାଭ ବୋଲି ସେ ପ୍ରଶ୍ନ କରିଛନ୍ତି।
ପୂର୍ବତନ ମୁଖ୍ୟମନ୍ତ୍ରୀ ଏହି ଅବସରରେ ନିଜ ସରକାର ସମୟର ଆର୍ଥିକ ସ୍ଥିତି ସହ ବର୍ତ୍ତମାନର ସ୍ଥିତିକୁ ତୁଳନା କରିଛନ୍ତି। ବିଜେଡି ଶାସନ ଛାଡ଼ିବା ବେଳେ ଓଡ଼ିଶା ପାଖରେ ପ୍ରାୟ ୪୫ ହଜାର କୋଟି ଟଙ୍କାର ରାଜସ୍ୱ ବଳକା ଥିଲା। କିନ୍ତୁ ବର୍ତ୍ତମାନ ବିଜେପି ସରକାର ଅଧୀନରେ ରାଜ୍ୟର ଋଣ ବୋଝ ବଢ଼ିବାରେ ଲାଗିଛି। ସରକାରୀ ସ୍ତରରେ ରହିଥିବା ଆର୍ଥିକ ଅବ୍ୟବସ୍ଥା ଏବଂ ମିସମ୍ୟାନେଜମେଣ୍ଟ ଯୋଗୁଁ ହିଁ ଗରିବ ବୃଦ୍ଧବୃଦ୍ଧାମାନଙ୍କୁ ସେମାନଙ୍କର ସୁରକ୍ଷା ଭତ୍ତା ଠିକ୍ ସମୟରେ ଦିଆଯାଇ ପାରୁନାହିଁ ବୋଲି ସେ ଗୁରୁତର ଅଭିଯୋଗ ଆଣିଛନ୍ତି।
ସୂଚନାଯୋଗ୍ୟ ଯେ ଓଡ଼ିଶାର ବିଭିନ୍ନ ପ୍ରାନ୍ତରେ ମଧୁବାବୁ ପେନସନ ଯୋଜନା ଏବଂ ଅନ୍ୟାନ୍ୟ କେନ୍ଦ୍ରୀୟ ଯୋଜନାର ଭତ୍ତା ଟଙ୍କା ଅନଲାଇନ ମାଧ୍ୟମରେ ମିଳିବାରେ ବ୍ୟାପକ ବିଳମ୍ବ ଘଟୁଛି। ଏହାକୁ ନେଇ କିଛି ସ୍ଥାନରେ ହିତାଧିକାରୀମାନେ ବ୍ଲକ କାର୍ଯ୍ୟାଳୟ ସମ୍ମୁଖରେ ଆନ୍ଦୋଳନ ଓ ଧାରଣା ମଧ୍ୟ ଦେଇଛନ୍ତି। ବ୍ୟାଙ୍କ ଓ ପଞ୍ଚାୟତ ଅଫିସ ଚାରିପଟେ ବୃଦ୍ଧବୃଦ୍ଧାମାନେ ଧାଡ଼ି ବାନ୍ଧି ଛିଡ଼ା ହେଉଥିବା ଚିତ୍ର ସାମ୍ନାକୁ ଆସିଛି। ସରକାରୀ ସ୍ତରରେ ଏହି ବିଳମ୍ବ ପଛରେ ବୈଷୟିକ ତ୍ରୁଟି ଓ ବ୍ୟାଙ୍କିଙ୍ଗ ପ୍ରକ୍ରିୟାର ସମସ୍ୟା ଥିବା ଦର୍ଶାଯାଇଥିବା ବେଳେ ବିରୋଧୀ ଦଳ ଏହାକୁ ଏକ ବଡ଼ ରାଜନୈତିକ ପ୍ରସଙ୍ଗ କରି ସରକାରଙ୍କୁ ଘେରିବା ଆରମ୍ଭ କରିଛି।
