Latest Odisha News

BREAKING NEWS

ପାକିସ୍ତାନ ଜେଲ୍‌ରେ ୨୦ ବର୍ଷ ସଜା କାଟିବା ପରେ ଗାଁକୁ ଫେରୁଛି ଓଡ଼ିଆ ପୁଅ

ସୁନ୍ଦରଗଡ: ୨୫ ବର୍ଷ ପରେ ଘରକୁ ଫେରୁଛି ପୁଅ । ପାକିସ୍ତାନ ଜେଲରେ ୨୦ ବର୍ଷ ସଜା କାଟି ଓଡ଼ିଆ ପୁଅ ଘରକୁ ଫେରୁଛି । ସୁନ୍ଦରଗଡ ଜିଲ୍ଲା କୁତ୍ରା ବ୍ଲକ ଅନ୍ତର୍ଗତ କଟଙ୍ଗ ଜଙ୍ଗାଟୋଲିର ବିରଜୁ କୁଲୁ ଗାଁକୁ ଫେରୁଥିବାରୁ ଗାଁ ଲୋକେ ତା ଫେରିବା ବାଟକୁ ଉତ୍ସୁକତାର ସହ ଚାହିଁ ବସିଛନ୍ତି ।

ବିରଜୁ କୁଲୁ ପିଲାଟି ଦିନରୁ ସାମାନ୍ୟ ମାନସିକ ଅନଗ୍ରସର ପ୍ରକୃତିର ଥିଲେ। ତାଙ୍କୁ ୨୦ରୁ ୨୨ ବର୍ଷ ମଧ୍ୟରେ ହୋଇଥିବା ବେଳେ ସେ ଘରୁ କେଉଁ ଆଡ଼େ ଚାଲିଯାଇଥିଲେ। ପ୍ରଥମେ ରାଞ୍ଚିର ଏକ ହୋଟେଲରେ ସେ  କାମ କରୁଥିବା ପରିବାର ଲୋକେ କହିଛନ୍ତି। କିନ୍ତୁ କିଛି ଦିନ ପରେ ତାଙ୍କର ଆଉ କିଛି ଖୋଜଖବର ମିଳିପାରି ନ ଥିଲା।

ଏହାପରେ ପରିବାର ଲୋକେ ବହୁ ଖୋଜାଖୋଜି କରି ନିରାଶ ହୋଇଥିଲେ। ହେଲେ ଗତ ବର୍ଷ  ପରିଚୟ ଓ ତାଙ୍କ ଠିକଣା ଯାଞ୍ଚ ପାଇଁ କୁତ୍ରା ପୁଲିସ୍‌ ତାଙ୍କ ଘରକୁ ଯାଇଥିବା ବେଳେ ବିରଜୁ ପାକିସ୍ତାନ ଜେଲ୍‌ରେ ଥିବା ଜଣା ପଡିଥିଲା। ସେଠାରେ ସେ ପ୍ରାୟ ୨୦ ବର୍ଷ ଧରି ସଜା କାଟିଥିବା ଜଣାଯାଇଛି। ଏକମାତ୍ର ପୁଅର ଖୋଜଖବର ନ ପାଇ ପାଗଳପ୍ରାୟ ହୋଇପଡ଼ିଥିବା  ବାପାମା’ ଇତି ମଧ୍ୟରେ ଆଉ ଏ ଦୁନିଆରେ ନାହାନ୍ତି।

ମାନସିକ ଅନଗ୍ରସର ଥିବାରୁ ଭୁଲବଶତଃ ବିରଜୁ ପାକିସ୍ତାନ ସୀମା ଭିତରକୁ ପଶିଯାଇଥିବା ଅନୁମାନ କରାଯାଉଛି। ସେଠାରେ ପାକିସ୍ତାନ ପୁଲିସ୍‌ ଗିରଫ କରିବା ପରେ ଲାହୋର ଜେଲ୍‌ରେ ସେ ୨୦ ବର୍ଷ ଧରି ବନ୍ଦୀ ଜୀବନ କାଟିଥିଲେ।  ଗତ ମାସ ୨୬ ତାରିଖରେ ପାକିସ୍ଥାନ ପକ୍ଷରୁ ତାଙ୍କୁ ଭାରତକୁ ହସ୍ତାନ୍ତର କରାଯାଇଥିଲା। ଅମୃତସରରେ ପହଞ୍ଚିବା ପରେ ସେଠାକାର ନାରାୟଣଗଂଜଗଡ଼ କୋଭିଡ ହସପିଟାଲରେ  ଏବେ ସେ ଭର୍ତ୍ତି ହୋଇଛନ୍ତି। କ୍ୱାରେଣ୍ଟାଇନ୍‌ ସମୟ ସରିବା ପରେ ଘରକୁ ଫେରିବେ ବୋଲି ଜିଲ୍ଲା ପ୍ରଶାସନ ପକ୍ଷରୁ କୁହାଯାଇଛି ।ସମସ୍ତେ ଏବେ ଉତ୍ସାହର ସହ ବିରଜୁଙ୍କ ଫେରିବା ବାଟକୁ ଅନାଇ ରହିଛନ୍ତି।

Leave A Reply

Your email address will not be published.