ଭୁବନେଶ୍ବର : ବିଧାନସଭାରେ ପାରିତ ହେଲା ଓଡ଼ିଶା ସାମୁଦ୍ରିକ ପରିଷଦ ବିଧେୟକ -୨୦୨୦ । ଏହି ବିଧେୟକ ପାରିତ ହେବା ଫଳରେ ଏବେ ରାଜ୍ୟରେ ମାରିଟାଇମ ବୋର୍ଡ ଗଠନ ହେବ । ମୁଖ୍ୟ ଶାସନ ସଚିବଙ୍କ ଅଧ୍ୟକ୍ଷତାରେ ଏହି ବୋର୍ଡରେ ୧୨ ଜଣ ସଦସ୍ୟ ରହିବେ । ଏଥିସହ ଏହାର ସଦସ୍ୟ ସଚିବ ରହିବେ ବାଣିଜ୍ୟ ଓ ପରିବହନ ସଚିବ, ଶିଳ୍ପ ସଚିବ ଓ ରାଜସ୍ବ ବିଭାଗ ସଚିବ । ନୌସେନାର ଜଣେ ପ୍ରତିନିଧି ମଧ୍ୟ ବୋର୍ଡରେ ସଦସ୍ୟ ରହିବେ । ବନ୍ଦର ପରିଚାଳନା କ୍ଷେତ୍ରରେ ଦକ୍ଷତା ଥିବା ଜଣେ ବିଶେଷଜ୍ଞଙ୍କୁ ମଧ୍ୟ ବୋର୍ଡରେ ରଖାଯିବ।
ଏହି ବୋର୍ଡ଼ ପିପିପି ମୋଡ଼ରେ ବନ୍ଦରର ବିକାଶ, ନିର୍ମାଣ, ରକ୍ଷଣାବେକ୍ଷଣ, ଜାହାଜ ଚଳାଚଳ, ମାଲ ପରିବହନ, ଜଳ ପଥର ଉନ୍ନତିକରଣ କ୍ଷେତ୍ରରେ କାର୍ଯ୍ୟ କରିବ। ସମନ୍ବିତ ବିକାଶ ପାଇଁ ଯୋଜନା ପ୍ରସ୍ତୁତ କରିବ । ଯେବେ ରାଜ୍ୟ ସରକାର ଅନୁଭବ କରିବେ ବୋର୍ଡ଼ ନିୟମ ଖିଲାପ କରି କାର୍ଯ୍ୟ କରୁଛି, ସେତେବେଳେ ବୋର୍ଡ଼କୁ ଭାଙ୍ଗି ପାରିବେ ।
ରାଜ୍ୟରେ ୧୪ଟି ଅଣ-ବୄହତ ବନ୍ଦର ପାଇଁ ସ୍ଥାନ ଚିହ୍ନଟ ହୋଇଛି । ସେଥି ମଧ୍ୟରୁ ଧାମରା, ଗୋପାଳପୁର ବନ୍ଦର କାର୍ଯ୍ୟକ୍ଷମ ହୋଇଥିବା ବେଳେ, ଅସ୍ତରଙ୍ଗ ଓ ସୁବର୍ଣ୍ଣରେଖାରେ କାମ ଚାଲିଛି । ଧାମରାରୁ ୪୦୦ କୋଟି ଟଙ୍କା ଓ ଗୋପାଳପୁରରୁ ୧୦୦ କୋଟି ଟଙ୍କା ରାଜସ୍ବ ଆସୁଛି । ଏହି ବିଧେୟକକୁ ବିଜେପି ସମର୍ଥନ କରିଥିବା ବେଳେ, କିଛି ଅଂଶ ସଂଶୋଧନ ଦାବି କରିଥିଲା । ସେହିପରି ବିଲକୁ ସିଲେକ୍ଟ କମିଟିକୁ ପଠାଇବାକୁ ଦାବି କରିଥିଲା କଂଗ୍ରେସ ।
Comments are closed.