Latest Odisha News

ଆମ୍ବ ଟାକୁଆ ଜାଉ ମୃତ୍ୟୁ ବିବାଦ ଭିତରେ ଆଇଏଏସ୍‌ ସ୍ତରରେ ଅଦଳବଦଳ, ଖାଦ୍ୟଯୋଗାଣ ଓ ଖାଉଟି କଲ୍ୟାଣ ବିଭାଗରୁ ହଟିଲେ ଭିଭି ଯାଦବ

ଭୁବନେଶ୍ଵର: ଆଇଏଏସ୍‌ ସ୍ତରରେ ହୋଇଛି ବଡ ଅଦଳବଦଳ। ରାଜ୍ୟ ସରକାର ଆଜି ବରିଷ୍ଠ ଆଇଏଏସ୍ ସ୍ତରରେ ଅଦଳବଦଳ କରିଛନ୍ତି । କନ୍ଧମାଳରେ ବିଷାକ୍ତ ଆମ୍ବ ଟାକୁଆ ଜାଉ ଖାଇ ମୃତ୍ୟୁ ଘଟଣା ବିବାଦ ଚର୍ଚ୍ଚାର ବିଷୟ ପାଲଟିଥିବା ବେଳେ ଏହାରି ଭିତରେ ବଦଳିଛନ୍ତି ଖାଦ୍ୟ ଓ ଯୋଗାଣ ବିଭାଗ ସଚିବ ବୀର ବିକ୍ରମ ଯାଦବ। ଦୀର୍ଘ ୭ବର୍ଷ ପରେ ଖାଦ୍ୟଯୋଗାଣ ଓ ଖାଉଟି କଲ୍ୟାଣ ବିଭାଗର ପ୍ରମୁଖ ସଚିବ ପଦବୀରୁ ଆଇଏଏସ୍ ଭିଭି ଯାଦବଙ୍କୁ ହଟାଇଛନ୍ତି ରାଜ୍ୟ ସରକାର। ଆଉ ମାତ୍ର ୧୦ଦିନ ପରେ ରାଜ୍ୟରେ ଧାନ ସଂଗ୍ରହ ପ୍ରକ୍ରିୟା ଆରମ୍ଭ ହେଉଥିବାବେଳେ ଯୋଗାଣ ବିଭାଗୀୟ ସଚିବଙ୍କୁ ଅଚାନକ ହଟାଇ ଦିଆଯିବାକୁ ନେଇ ଚର୍ଚ୍ଚା ଜୋର ଧରିଛି। ଅନ୍ୟପକ୍ଷରେ ଆଇଏଏସ୍ ବିଶାଳ କୁମାର ଦେବ ଓ ସଞ୍ଜୟ କୁମାର ସିଂଙ୍କୁ ଗୁରୁତ୍ୱପୂର୍ଣ୍ଣ ବିଭାଗର ଅତିରିକ୍ତ ଦାୟିତ୍ୱ ନ୍ୟସ୍ତ କରାଯାଇଛି। କେନ୍ଦ୍ରୀୟ ଡେପୁଟେସନରୁ ଫେରିଥିବା ବରିଷ୍ଠ ଆଇଏଏସ୍ ଏସଏନ୍ ଗିରିଶଙ୍କୁ ପଂଚାୟତିରାଜ ବିଭାଗର ସଚିବ ଭାବେ ଅବସ୍ଥାପିତ କରାଯାଇଛି ।

ଜାରି ହୋଇଥିବା ବିଜ୍ଞପ୍ତି ଅନୁସାରେ,୧୯୯୬ ବ୍ୟାଚ୍ ଆଇଏଏସ୍ ଭିଭି ଯାଦବଙ୍କୁ ଖାଦ୍ୟଯୋଗାଣ ବିଭାଗର ପ୍ରମୁଖ ସଚିବ ପଦବୀରୁ ହଟାଇ ଦିଆଯାଇଛି। ସେ ଏବେ କେବଳ ରାଜ୍ୟ ପୂର୍ତ୍ତ ବିଭାଗର ସଚିବ ଭାବେ କାର୍ଯ୍ୟ କରିବେ। ଶ୍ରୀ ଯାଦବଙ୍କ ସ୍ଥାନରେ ଆଇଏଏସ୍ ସଞ୍ଜୟ କୁମାର ସିଂଙ୍କୁ ଅତିରିକ୍ତ ଭାବେ ଖାଦ୍ୟଯୋଗାଣ ଓ ଖାଉଟି କଲ୍ୟାଣ ବିଭାଗର ଦାୟିତ୍ୱ ନ୍ୟସ୍ତ ହୋଇଛି । ଏହାସହ ଶ୍ରୀ ସିଂ ପୂର୍ବଭଳି ଗ୍ରାମ୍ୟ ଉନ୍ନୟନ ବିଭାଗ ସମେତ ସୂଚନା ଓ ଲୋକସମ୍ପର୍କ ବିଭାଗର ପ୍ରମୁଖ ସଚିବ ଦାୟିତ୍ୱ ମଧ୍ୟ ତୁଲାଇବେ। ଆଇଏଏସ୍ ବିଶାଳ କୁମାର ଦେବଙ୍କୁ ଶକ୍ତି ବିଭାଗର ପ୍ରମୁଖ ସଚିବ ଭାବେ ଅତିରିକ୍ତ ଦାୟିତ୍ୱ ନ୍ୟସ୍ତ ହୋଇଥିବା ବେଳେ ଶ୍ରୀ ଦେବଙ୍କୁ ଓଡ଼ିଶା ଜଙ୍ଗଲ ଉନ୍ନୟନ ନିଗମର ଅଧ୍ୟକ୍ଷ ପଦରୁ ହଟାଇ, ଇଲୋକ୍ଟ୍ରୋନିକ୍ସ ଆଣ୍ଡ ଆଇଟି ବିଭାଗର ପ୍ରମୁଖ ସଚିବ ସହ ଓକାକ୍ ଅଧ୍ୟକ୍ଷ ଦାୟିତ୍ୱ  ଦିଆଯାଇଛି। ସେହିପରି ଶିଳ୍ପ ବିଭାଗର ପ୍ରମୁଖ ସଚିବ ହେମନ୍ତ ଶର୍ମାଙ୍କଠୁ ଶକ୍ତି ବିଭାଗର ପ୍ରମୁଖ ସଚିବ ପଦ କାଢ଼ି ନିଆଯାଇଛି।

ଆଇଏଏସ୍ ଦେଓରଞ୍ଜନ କୁମାର ସିଂଙ୍କୁ ଓଡ଼ିଶା ଜଙ୍ଗଲ ଉନ୍ନୟନ ନିଗମର ଅଧ୍ୟକ୍ଷ ଭାବେ ଅତିରିକ୍ତ ଦାୟିତ୍ୱ ଦିଆଯାଇଛି। ଶ୍ରୀ ସିଂ ପୂର୍ବଭଳି ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ବିଭାଗର ଅତିରିକ୍ତ ମୁଖ୍ୟ ସଚିବ ସହ ସ୍ୱତନ୍ତ୍ର ରିଲିଫ କମିଶନର, ଓସଡମା ପରିଚାଳନା ନିର୍ଦ୍ଦେଶକ ଭାବରେ ଦାୟିତ୍ୱ ତୁଲାଇବେ।

୧୯୯୯ ବ୍ୟାଚ୍ ଆଇଏଏସ୍ ଭାସ୍କରଜ୍ୟୋତି ଶର୍ମାଙ୍କୁ ଓପିଟିସିଏଲର ସିଏମଡି ଭାବେ ଅତିରିକ୍ତ ଦାୟିତ୍ୱ ମିଳିଛି। ଶ୍ରୀ ଶର୍ମା ଏବେ କ୍ରୀଡ଼ା ଓ ଯୁବବ୍ୟାପାର ବିଭାଗର ପ୍ରମୁଖ ସଚିବ ଭାବେ କାର୍ଯ୍ୟ କରୁଛନ୍ତି।  ସେହିପରି ଆଇଏଏସ୍ ଏସଏନ୍ ଗିରିଶଙ୍କୁ ପଂଚାୟତିରାଜ ଓ ପାନୀୟଜଳ ବିଭାଗର ସଚିବ ଭାବେ ଅବସ୍ଥାପିତ କରାଯାଇଛି। ପଂଚାୟତିରାଜ ସଚିବ ସୁଶୀଲ କୁମାର ଲୋହାନୀ ଉଭୟ ପଂଚାୟତିରାଜ ବିଭାଗ ଓ ଅବକାରୀ ବିଭାଗର ସଚିବ ଭାବେ କାର୍ଯ୍ୟ କରୁଛନ୍ତି। ୨୦୦୮ ବ୍ୟାଚ୍ ଆଇଏଏସ୍ ଗୁହା ପୁନମ ତାପସ କୁମାରଙ୍କୁ ରାଜ୍ୟ ହସ୍ତତନ୍ତ,ବୟନଶିଳ୍ପ ଓ ହସ୍ତଶିଳ୍ପ ବିଭାଗର ସଚିବ ଭାବେ ବଦଳି କରାଯାଇଛି । ଏହା ସହ ସେ ମଧ୍ୟ ରାଜ୍ୟ ଅବକାରୀ ବିଭାଗର ସଚିବ ଭାବେ ଅତିରିକ୍ତ ଦାୟିତ୍ୱ ତୁଲାଇବେ। କୃଷି ସଚିବ ଅରବିନ୍ଦ ପାଢ଼ୀଙ୍କଠୁ ହସ୍ତତନ୍ତ ଓ ବୟନଶିଳ୍ପ ବିଭାଗ କାଢ଼ି ନିଆଯାଇଛି ।

Comments are closed.