କଟକ: ସ୍ଥାନୀୟ ଜବାହାରଲାଲ ନେହେରୁ ଇଣ୍ଡୋର ଷ୍ଟାଡିୟମରେ ଓଡିଶା ମାଷ୍ଟର୍ସ ୨୦୨୪ ଆନ୍ତର୍ଜାତୀୟ ବ୍ୟାଡମିଂଟନ ଟୁର୍ଣ୍ଣାମେଂଟ ଆରମ୍ଭ ହୋଇଛି । ଓଡିଶାର ଉପ ମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂହ ଦେଓ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଖେଳାଳିମାନଙ୍କୁ ଉତ୍ସାହିତ କରିଥିଲେ । କଟକରେ ତୃତୀୟ ଥର ପାଇଁ ଆୟୋଜିତ ହେଉଥିବା ଏହି ଟୁର୍ଣ୍ଣାମେଂଟ ୧୫ ତାରିଖ ପର୍ଯ୍ୟନ୍ତ ଚାଲିବ ।
ଉଦଘାଟନୀ ସମାରୋହରେ କଟକ ବାରବାଟୀ ବିଧାୟିକା ସୋଫିଆ ଫିର୍ଦ୍ଦୋଷ, କ୍ରୀଡା ବିଭାଗ ପ୍ରମୁଖ ଶାସନ ସଚିବ ଭାସ୍କର ଜ୍ୟୋତି ଶର୍ମା, ହକି ପ୍ରମୋଶନାଲ କାଉନସିଲର ଅଫ ଓଡିଶାର ସିଇଓ ଦୀପଙ୍କର ମହାପାତ୍ର, ଜିଲ୍ଲାପାଳ ଦତାତ୍ରୟ ଭାଉସାହେବ ଶିନ୍ଦେ ଓ ଡିସିପି ଜଗନମୋହନ ମୀନା ପ୍ରମୁଖ ଉପସ୍ଥିତ ଥିଲେ । ଭାରତୀୟ ବ୍ୟାଡମିଂଟନ ଆସୋସିଏଶନ ଓ ଓଡିଶା ବ୍ୟାଡମିଂଟନ ଆସୋସିଏଶନ ମିଳିତ ଆନୁକୂଲ୍ୟରେ ୨୯ ଦେଶର ୩୦୦ କ୍ରୀଡାବିତ ଏଥିରେ ଅଂଶଗ୍ରହଣ କରିଛନ୍ତି । ୧୦୦୦୦୦ ଆମେରିକୀୟ ଡଲାର ପୁରସ୍କାର ରାଶି ଦେଖାଯାଇଛି ।
ମାନବ, ଫ୍ଲୋରା ବିଜୟୀ: ପ୍ରଥମ ଦିବସରେ ଭାରତର ମାନବ ଚୌଧୁରୀ ୨୧-୧୬, ୨୧-୧୬ରେ ଚୀନର ଝୁ ଜୁଆନ ଚେନଙ୍କୁ, ଫ୍ଲୋରା ଇଞ୍ଜିନିୟର ୧୪-୨୧, ୨୧-୧୦, ୨୧-୧୩ରେ ନିଜ ଦେଶର ହର୍ଷିତ ରାଉତଙ୍କୁ, ଶାଶ୍ୱତ ଦଳେଇ ୨୧-୧୫, ୨୧-୧୪ରେ ୟୁଏଇର ମହମ୍ମଦ ଶେଖଙ୍କୁ, ଥାରନୁ ମାନେପାଲ୍ଲୀ ୨୧-୫, ୨୧-୧୮ରେ ନିଜ ଦେଶର ଓରିଜିତ ଚାଲିହାଙ୍କୁ ଓ କଟ୍ଟମ ତରୁଣ ରେଡ୍ଡୀ ୨୧-୯, ୨୧-୧୦ରେ ଚିରାଗ ସେନଙ୍କୁ ପରାସ୍ତ କରିଛନ୍ତି ।