Latest Odisha News

ପ୍ରକାଶ ପାଇଲା ମାଟ୍ରିକ୍‌ ପରୀକ୍ଷା ଫଳ, ଏଥର ବି ବାଜି ମାରିଲେ ଛାତ୍ରୀ

ଭୁବନେଶ୍ୱର: ପ୍ରକାଶ ପାଇଲା ମାଟ୍ରିକ୍‌ ପରୀକ୍ଷା ଫଳ। ମାଧ୍ୟମିକ ବୋର୍ଡ ଅଫିସରେ ଗଣଶିକ୍ଷାମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡଙ୍କ ଉପସ୍ଥିତିରେ ଚଳିତ ବର୍ଷର ମାଟ୍ରିକ୍‌ ରେଜଲ୍ଟ ପ୍ରକାଶ ପାଇଛି। କଟକ ବୋର୍ଡ ଅଫିସରେ ରେଜଲ୍ଟ ପୁସ୍ତିକା ଉନ୍ମୋଚନ କଲେ ଗଣଶିକ୍ଷାମନ୍ତ୍ରୀ। ତେବେ ଆଜି ସନ୍ଧ୍ୟା ୬ଟା ପରେ ୱେବସାଇଟ୍‌ରେ ରେଜଲ୍ଟ ଉପଲବ୍ଧ ହେବ। ତେବେ  ଚଳିତ ବର୍ଷର ମାଟ୍ରିକ ପରୀକ୍ଷା ପାସ ହାର  ୯୪.୯୩ ପ୍ରତିଶତ ହୋଇଛି।  ପୁଅଙ୍କ ତୁଳନାରେ ଝିଅଙ୍କ ପାସ ହାର ଅଧିକ ହୋଇଥିବା ଜଣାଯାଇଛି। ପୁଅଙ୍କ ପାସ ହାର ୯୪ ପ୍ରତିଶତ ଥିବାବେଳେ ଝିଅଙ୍କ ପାସ ହାର ୯୬ ପ୍ରତିଶତ ଥିବା ଜଣାଯାଇଛି।

ମୋଟ ମାଟ୍ରିକ ପରୀକ୍ଷା ଦେଇଥିଲେ ୫ ଲକ୍ଷ ୨ ହଜାର ୪୧୭ ଜଣ ଛାତ୍ରଛାତ୍ରୀ। ମୋଟ ୪ ଲକ୍ଷ ୮୪ ହଜାର ୮୬୩ ଜଣ ଛାତ୍ରଛାତ୍ରୀ ପାସ ହୋଇଛନ୍ତି। ଫେଲ୍ ହୋଇଛନ୍ତି ୧୭ ହଜାର ୩୮୪ ଜଣ ଛାତ୍ରଛାତ୍ରୀ। ସେଥିମଧ୍ୟରୁ ୨ ଲକ୍ଷ ୪୬ ହଜାର ୬୧୨ ଜଣ ଝିଅ ପାସ୍ କରିଥିବା ବେଳେ ୨ ଲକ୍ଷ ୪୦ ହଜାର ୨୫୧ ଜଣ ପୁଅ ପାସ୍ କରିଛନ୍ତି। ସେହିପରି ଗଜପତିରେ ସର୍ବାଧିକ ପାସ ହାର ୯୯.୩୫ ପ୍ରତିଶତ ଥିବା ବେଳେ ସର୍ବ ନିମ୍ନ ପାସ ହାର ୯୨.୮୩ ପ୍ରତିଶତ ହୋଇଛି କୋରାପୁଟରେ। ତେବେ ଚଳିତ ବର୍ଷ ପାସ ହାର କମିଛି। ଗତବର୍ଷ ଏହା ୯୬.୨୭ ପ୍ରତିଶତ ଥିଲା।

ବୋର୍ଡର ଅଫିସିଆଲ ୱେବସାଇଟ୍‌ www.bseodisha.ac.inରେ ଛାତ୍ରଛାତ୍ରୀମାନେ ସେମାନଙ୍କ ରେଜଲ୍ଟ ଦେଖିପାରିବେ। ନିଜ ରୋଲ ନମ୍ବର ଓ ଜନ୍ମ ତାରିଖ ଦେଇ ପରୀକ୍ଷାର୍ଥୀ ରେଜଲ୍ଟ ଯାଞ୍ଚ କରିପାରିବେ। ଏହାଛଡା SMS ମାଧ୍ୟମରେ ମଧ୍ୟ ପରୀକ୍ଷାର୍ଥୀ ସେମାନଙ୍କ ଫଳ ଦେଖିପାରିବେ.OR10 ଲେଖି ରୋଲ ନମ୍ବର ଦେଇ 5676750କୁ ମେସେଜ କଲେ ଆସିଯିବ ରେଜଲ୍ଟ।

ସୂଚନା ମୁତାବକ ଗତ ୧୯ ରୁ ଆରମ୍ଭ ହେଇଥିଲା ମାଟ୍ରିକ ଖାତା ଦେଖା। ରାଜ୍ୟର ୨୦ ହଜାର ଶିକ୍ଷକ ଶିକ୍ଷୟତ୍ରୀ କର୍ମଚାରୀ ଏହି ଖାତା ଦେଖା କାମରେ ନିୟୋଜିତ ହେଇଥିଲେ। ମେ ପ୍ରଥମ ସପ୍ତାହ ସୁଦ୍ଧା ମାଟ୍ରିକ ପରୀକ୍ଷା ଫଳ ପ୍ରକାଶନ ନେଇ ବୋର୍ଡର ଲକ୍ଷ୍ୟ ରଖିଥିଲା। ଫେବୃଆରୀ ୨୧ ରୁ ରାଜ୍ୟର ୩୧୩୩ ଟି ପରୀକ୍ଷା କେନ୍ଦ୍ରରେ ୫ ଲକ୍ଷ ୨୨ ହଜାର ୩୩୬ ଜଣ ପରୀକ୍ଷାର୍ଥୀଙ୍କ ପାଇଁ ଏହି ପରୀକ୍ଷା ଚାଲିଥିଲା। ମାଟ୍ରିକ ପରୀକ୍ଷାର ସୁପରିଚାଳନା ପାଇଁ ୩୦ ଟି ଜିଲ୍ଲାରେ ୩୧୪ ଟି ନୋଡାଲ ସେଣ୍ଟର ହୋଇଥିଲା।

 

Comments are closed.