Latest Odisha News

BREAKING NEWS

ବଢ଼ିପାରେ କେନ୍ଦ୍ରୀୟ ଟିକସ ବାବଦକୁ ଓଡ଼ିଶାର ଭାଗ: ଚଳିତ ଆର୍ଥିକ ବର୍ଷରେ ପାଇବ ଅଧିକ ୧୨ ହଜାର କୋଟି

ନୂଆଦିଲ୍ଲୀ: ଏଥର ବଜେଟ୍ ସବୁ ବର୍ଗକୁ ଦେଖି ତିଆରି କରାଯାଇଥିଲା ବୋଲି କେନ୍ଦ୍ର ସରକାର ଘୋଷଣା କରିଥିଲେ। ଫେବ୍ରୁଆରୀ ୧ତାରିଖରେ କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ସଂସଦରେ ବଜେଟ୍ ଉପସ୍ଥାପନ କରିବା ପରେ କିଛି ବିରୋଧୀ ନେତା ମଧ୍ୟ ଏହାକୁ ସ୍ୱାଗତ କରିଥିଲେ। ବଜେଟ୍‌ରେ ଏଥର ଅନେକ ନୂଆ କଥାର ଘୋଷଣା ହୋଇଛି। କିଛି ବିଭାଗକୁ ଐତିହାସିକ ଭାବେ ଅର୍ଥରାଶି ଆବଣ୍ଟିତ ହୋଇଛି। ତେବେ ଓଡ଼ିଶା ଭାଗ୍ୟକୁ କେନ୍ଦ୍ରୀୟ ଟିକସ ଭାଗ ବାବଦରେ ୪୬ ହଜାର ୨୫୧ କୋଟି ଟଙ୍କା ମିଳିବ ବୋଲି ବଜେଟ୍ ପ୍ରସ୍ତାବରେ ରହିଛି।

କେନ୍ଦ୍ରୀୟ ଅନୁଦାନ ବାବଦକୁ ରାଜ୍ୟକୁ ମୋଟ ୩୫ ହଜାର ୪୦୦ କୋଟି ଟଙ୍କା ମିଳିବ ବୋଲି କୁହାଯାଉଥିବା ବେଳେ ଏପିରି ହେଲେ ଚଳିତ ଆର୍ଥିକ ବର୍ଷ ତୁଳନାରେ ଓଡ଼ିଶାକୁ ୨୦୨୩-୨୪ ଆର୍ଥିକ ବର୍ଷରେ ପାଖାପାଖି ୧୨ ହଜାର କୋଟି ଟଙ୍କା ଅଧିକ ମିଳିବ।

ବଜେଟ୍ ପ୍ରସ୍ତାବରେ ଥିବା ସୂଚନା ଅନୁସାରେ କେନ୍ଦ୍ର ସରକାର ଟିକସ ବାବଦକୁ ରାଜ୍ୟଗୁଡିକୁ ମୋଟ ୧୦ ଲକ୍ଷ ୨୧ ହଜାର ୪୪୮ କୋଟି ଟଙ୍କା ଦେବେ। ସେଥିରୁ ପଞ୍ଚଦଶ ଅର୍ଥ କମିଶନଙ୍କ ସୁପାରିଶ ଅନୁସାରେ ଓଡ଼ିଶାର ଭାଗ ୪.୫୨୮ ପ୍ରତିଶତ ରହିଛି। ତେଣୁ ହିସାବାକୁ ଦେଖିଲେ ୪.୫୨୮% ହାରରେ ଓଡ଼ିଶା ଆର୍ଥିକ ବର୍ଷ ୨୦୨୩-୨୪ରେ ୪୬ ହଜାର ୨୫୧ କୋଟି ଟଙ୍କା ପାଇବ।

ସୂଚନା ଅନୁସାରେ ଗତ ୨୦୨୨-୨୩ ବଜେଟ୍ ଅଟକଳରେ ଓଡ଼ିଶାର ଟିକସ ଭାଗ ଥିଲା ୩୬ ହଜାର ୯୭୮ କୋଟି ଟଙ୍କା। ହେଲେ ଚଳିତ ବର୍ଷ ରାଜ୍ୟକୁ ଅଧିକ ୯ ହଜାର ୨୭୩ କୋଟି ଟଙ୍କା ମିଳିବ। ତେବେ ବଜେଟ୍ ପ୍ରସ୍ତାବଠୁ ଓଡ଼ିଶାକୁ ଅଧିକ ମିଳିଛି। କେନ୍ଦ୍ର ଟିକସ ଆୟ ଆକଳନଠୁ ଅଧିକ ହେବାରୁ ରାଜ୍ୟ ୪୨ ହଜାର ୯୪୩ କୋଟି ଟଙ୍କା ପାଇଥିଲା ବୋଲି ସଂଶୋଧିତ ବଜେଟ୍ ପ୍ରସ୍ତାବରୁ ସ୍ପଷ୍ଟ ହେଉଛି।

ସେହିପରି କେନ୍ଦ୍ରୀୟ ଅନୁଦାନ ବାବଦରେ ଓଡ଼ିଶା ସରକାର ଆସନ୍ତା ଆର୍ଥିକ ବର୍ଷରେ ମୋଟ ୩୫ ହଜାର ୪୧୧ କୋଟି ଟଙ୍କା ପାଇବାରପ ସମ୍ଭାବନା ରହିଛି। ଆର୍ଥିକ ବର୍ଷ (୨୦୨୨-୨୩)ଏ ବାବଦରେ ଓଡ଼ିଶା ମୋଟ ୩୨ ହଜାର ୭୮୮ କୋଟି ଟଙ୍କା ପାଇବ ବୋଲି ବଜେଟ୍ ଅଟକଳ କରାଯାଇଛି। ରାଜ୍ୟଗୁଡିକୁ ମୋଟ ଅନୁଦାନରେ ବୃଦ୍ଧି ହୋଇଛି। ଅନୁଦାନରେ ୮ ପ୍ରତିଶତ ବଢ଼ି ୩ ଲକ୍ଷ ୯୫ ହଜାର କୋଟି ଟଙ୍କାରୁ ଏହା ୪ ଲକ୍ଷ ୨୭ ହଜାର କୋଟି ଟ ଙ୍କା ହୋଇଛି। ତେଣୁ ଓଡ଼ିଶାର ଅନୁଦାନ ସେହି ହିସାବରେ ବଢିଲେ ରାଜ୍ୟକୁ ପାଖାପାଖି ୨ ହଜାର ୬୨୩ କୋଟି ଟଙ୍କା ଅଧିକ ମିଳିବ ବୋଲି ହିସାବ କରାଯାଉଛି।

 

Leave A Reply

Your email address will not be published.