Latest Odisha News

BREAKING NEWS

ରାଷ୍ଟ୍ରପତିଙ୍କ ଅଭିଭାଷଣ ବେଳେ ବିଜୁଳି ବିଭ୍ରାଟକୁ ବିରୋଧ, ୧୫ରେ ମୟୂରଭଞ୍ଜ ବନ୍ଦ ଡାକରା

ବାରିପଦା: ମହାରାଜା ଶ୍ରୀରାମ ଚନ୍ଦ୍ର ଭଞ୍ଜ ଦେଓ ବିଶ୍ବବିଦ୍ୟାଳୟରେ ନିକଟରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ସମାବର୍ତ୍ତନ ଉତ୍ସବରେ ବିଜୁଳି ବିଭ୍ରାଟକୁ ବିରୋଧ କରି ବିକ୍ଷୋଭ ପ୍ରଦର୍ଶନ କରିବ ଭଞ୍ଜ ସେନା। ଆସନ୍ତା ୧୫ ତାରିଖରେ ମୟୂରଭଞ୍ଜ ଜିଲ୍ଲାରେ ଏଥିପାଇଁ ୧୨ ଘଣ୍ଟିଆ ବନ୍ଦ ଡାକରା ଦିଆଯାଇଛି। ସକାଳ ୬ଟାରୁ ଆରମ୍ଭ ହୋଇ ସନ୍ଧ୍ୟା ୬ଟାରେ ଶେଷ ହେବାକୁ ଥିବା ଏହି ବନ୍ଦ ସମଗ୍ର ଆଦିବାସୀ ଅଧ୍ୟୁଷିତ ଜିଲ୍ଲାରେ ପାଳନ କରାଯିବ ବୋଲି ସଙ୍ଗଠନର ନେତାମାନେ କହିଛନ୍ତି।

ମୟୂରଭଞ୍ଜ ଗସ୍ତରେ ଆସିଥିବା ରାଷ୍ଟ୍ରପତିଙ୍କ ପ୍ରତି ଏହା ଅସମ୍ମାନ ବୋଲି ଅନୁଭବ କରି ଏହି ଘଟଣାରେ ଗଭୀର ଦୁଃଖ ପ୍ରକାଶ କରିବା ସହ ବିଦ୍ୟୁତ୍ ବିଭ୍ରାଟ ପାଇଁ ଦାୟୀ ବ୍ୟକ୍ତିଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଭଞ୍ଜ ସେନା ନେତାମାନେ ଦାବି କରିଛନ୍ତି। ଗତ ୬ ତାରିଖରେ ରାଷ୍ଟ୍ରପତି ଭାଷଣ ଦେଉଥିବା ବେଳେ ବିଶ୍ୱବିଦ୍ୟାଳୟର ଅଡିଟୋରିୟମ୍ ୯ ମିନିଟ୍ ଧରି ଅନ୍ଧାର ହୋଇଯାଇଥିଲା।

ନିକଟରେ ରାଷ୍ଚ୍ରପତି ଦ୍ରୌପଦୀ ମୁର୍ମୁ ନିଜ ଜନ୍ମମାଟିକୁ ତିନି ଦିନିଆ ଗସ୍ତରେ ଆସିଥିଲେ। ବିଶ୍ୱବିଦ୍ୟାଳୟର ଦ୍ୱାଦଶ ସମାବର୍ତ୍ତନ ଉତ୍ସବରେ ଉଦବୋଧନ ଦେଉଥିବା ବେଳେ ବିଦ୍ୟୁତ୍ ବିଭ୍ରାଟ ଘଟିଥିଲା। ଅନୁଷ୍ଠାନର ଜଣେ କର୍ମଚାରୀଙ୍କୁ ନିଲମ୍ବିତ କରାଯାଇଥିହା ବେଳେ ଏହି ଘଟଣାର ତଦନ୍ତ ପାଇଁ ଏକ ତିନି ଜଣିଆ କମିଟି ଗଠନ କରାଯାଇଛି। ଏଥିସହିତ ରାଜ୍ୟ ସରକାର ଘଟଣାର ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି।

ବନ୍ଦ ପାଳନର ନିଷ୍ପତି ଏହି ଘଟଣା ବିରୋଧରେ ଭିନ୍ନମତର ଏକ ଶକ୍ତିଶାଳୀ ଅଭିବ୍ୟକ୍ତି ଏବଂ ଭବିଷ୍ୟତରେ ଏଭଳି ଘଟଣାକୁ ରୋକିବା ପାଇଁ କର୍ତ୍ତୃପକ୍ଷ ତ୍ୱରିତ ଏବଂ ନିର୍ଣ୍ଣାୟକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବେ ବୋଲି ଆଶା କରିଛି ସଂଗଠନ। ଏହି ବନ୍ଦକୁ ଜନସାଧାରଣ ସମର୍ଥନ କରିବା ସହ ଏହି ଘଟଣାରେ ନ୍ୟାୟ ଓ ଉତ୍ତରଦାୟିତ୍ୱ ପ୍ରଦାନ ପାଇଁ ସେମାନଙ୍କ ଆହ୍ୱାନରେ ସାମିଲ ହେବାକୁ ଭଞ୍ଜ ସେନା ପକ୍ଷରୁ ଅନୁରୋଧ କରାଯାଇଛି।

Leave A Reply

Your email address will not be published.