Latest Odisha News

୪୨.୯ ଡିଗ୍ରୀରେ ସିଝିଲା ଝାରସୁଗୁଡ଼ା, ୧୫ ସହରରେ ପାରଦ ୪୦ ପାର୍

ଭୁବନେଶ୍ୱର: ଅସହ୍ୟ ଗରମ ଓ ଗୁଳୁଗୁଳିରେ ଆଜି ସନ୍ତୁଳି ହୋଇଛି ଓଡ଼ିଶା । ଉପକୂଳରୁ ଆଭ୍ୟନ୍ତରିଣ ଓ ପଶ୍ଚିମ ଓଡ଼ିଶା ସବୁଠି ଅସହ୍ୟ ଗ୍ରୀଷ୍ମ ପ୍ରବାହରେ ଲୋକେ ତ୍ରାହି ତ୍ରାହି ଡାକୁଛନ୍ତି । ଦିନ ବଢ଼ିବା ସହ ଖରା ବଢ଼ିବା ଆରମ୍ଭ ହୋଇଥିଲା । ଆଜି ରାଜ୍ୟର ୧୫ ସହରରେ ପାରଦ ୪୦ ଟପିଥିବା ବେଳେ ୭ଟି ସ୍ଥାନରେ ପାରଦ ୪୨ ଡିଗ୍ରୀ ଉପରେ ରହିଛି ।

ଉପନିର୍ବାଚନ ମତଦାନକୁ ନେଇ ଝାରସୁଗୁଡ଼ାରେ ରାଜନୈତିକ ତାତି ଅଧିକ ରହିଥିବା ବେଳେ ସେଠାରେ ଆଜି ରାଜ୍ୟର ସର୍ବୋଚ୍ଚ ତାପମାତ୍ରା ୪୨.୯ ଡିଗ୍ରୀ ରେକର୍ଡ ହୋଇଛି । ସମ୍ବଲପୁରରେ ପାରଦ ୪୨.୬ ଡିଗ୍ରୀ ରେକର୍ଡ କରାଯାଇଥିବା ବେଳେ ବୌଦ୍ଧରେ ୪୨.୪ ଡିଗ୍ରୀ, ତାଳଚେରରେ ୪୨.୨ ଡିଗ୍ରୀ, ଅନୁଗୁଳରେ ୪୨.୧ ଡିଗ୍ରୀ, ସୁନ୍ଦରଗଡ଼ ଓ ବଲାଙ୍ଗିରରେ ପାରଦ ୪୨ ଡିଗ୍ରୀ ରହିଛି ।

ସେହିଭଳି ହିରାକୁଦରେ ୪୧.୯ ଡିଗ୍ରୀ, ରାଉରକେଲାରେ ୪୧.୮ ଡିଗ୍ରୀ, ବରଗଡ଼ରେ ୪୧ ଡିଗ୍ରୀ, ସୋନପୁରରେ ୪୦.୮ ଡିଗ୍ରୀ, ବାରିପଦାରେ ୪୦.୬ ଡିଗ୍ରୀ, ଟିଟିଲାଗଡ଼ରେ ୪୦.୫ ଡିଗ୍ରୀ, ନୟାଗଡ଼ରେ ୪୦.୨ ଡିଗ୍ରୀ ଏବଂ ମାଲକାନଗିରିରେ ୪୦ ଡିଗ୍ରୀ ତାପମାତ୍ରା ରେକର୍ଡ ହୋଇଛି । ସେହିଭଳି କଟକରେ ପାରଦ ୩୯ ଡିଗ୍ରୀ ରହିଥିବା ବେଳେ ଭୁବନେଶ୍ୱରରେ ୩୮.୬ ଡିଗ୍ରୀ ରହିଛି ।

ପାଣିପାଗ ବିଭାଗର ଆକଳନ ଅନୁସାରେ, ଆଗାମୀ ୫ ଦିନ ଯାଏ ରାଜ୍ୟରେ ଦିନ ତାପମାତ୍ରାରେ ବିଶେଷ ପରିବର୍ତ୍ତନ ହେବ ନାହିଁ । ପ୍ରାୟ ସମସ୍ତ ସ୍ଥାନରେ ଗରମ ସହ ଗୁଳୁଗୁଳି ଲାଗି ରହିବ । ଅଧିକାଂଶ ସ୍ଥାନରେ ପାରଦ ୪୦ ଡିଗ୍ରୀ କିମ୍ବା ତାଠାରୁ ଅଧିକ ରହିବ ।

Leave A Reply

Your email address will not be published.