କଟକ: ବାଲେଶ୍ୱର ଫକୀର ମୋହନ ମେଡିକାଲ କଲେଜର ଏମବିବିଏସ ଛାତ୍ରୀ ଚନ୍ଦ୍ରିକା ହେମ୍ବ୍ରମଙ୍କ କାଠଯୋଡ଼ି ନଦୀପଯ୍ୟାରୁ ମୃତଦେହ ଉଦ୍ଧାର ଘଟଣା ଏବେ ସାରା ରାଜ୍ୟରେ ଆଲୋଡ଼ନ ସୃଷ୍ଟି କରିଛି। ପ୍ରଥମେ ଏହାକୁ ଏକ ସାଧାରଣ ଆତ୍ମହତ୍ୟା ମାମଲା କୁହାଯାଉଥିବା ବେଳେ, ଏବେ ପୋଲିସ ହାତରେ ଲାଗିଥିବା ଚନ୍ଦ୍ରିକାଙ୍କ ଏକ ଗୁପ୍ତ ଡାଏରୀ ଓ ବ୍ୟକ୍ତିଗତ ନୋଟ୍ସ ସାରା ଘଟଣାର ମୋଡ଼ ବଦଳାଇ ଦେଇଛି।
ଏହି ହାଇ-ପ୍ରୋଫାଇଲ ମାମଲାରେ ପୋଲିସ ଏବେ ‘ପ୍ରେମ ପ୍ରତାରଣା’ ଓ ‘ମାନସିକ ନିର୍ଯାତନା’କୁ ମୁଖ୍ୟ ଆଧାର କରି ତଦନ୍ତ ପ୍ରକ୍ରିୟାକୁ ଆହୁରି ତେଜ୍ କରିଦେଇଛି।
କଟକ ଡିସିପି ଋଷିକେଶ ଜ୍ଞାନଦେଓ ଖିଲାରୀଙ୍କ ସୂଚନା ଅନୁଯାୟୀ, ଜବତ ହୋଇଥିବା ଡାଏରୀରେ ଚନ୍ଦ୍ରିକା ନିଜ ଜୀବନର ଅତି ବ୍ୟକ୍ତିଗତ ଏବଂ ସମ୍ବେଦନଶୀଳ କଥା ଲିପିବଦ୍ଧ କରିଛନ୍ତି, ଯାହା ତାଙ୍କର ଦୀର୍ଘ ଦିନର ପ୍ରେମିକ ଭୀମସେନ ପ୍ରସାଦ ଟୁଡୁଙ୍କ ସହ ଥିବା ବିବାଦ ଓ ମାନସିକ ଚାପ ଆଡ଼କୁ ସ୍ପଷ୍ଟ ଇଶାରା କରୁଛି।
୧୪ ବର୍ଷର ପ୍ରେମ ଓ ଓଏଏସ ଚାକିରି ପରେ ପ୍ରତାରଣା!
ପୋଲିସ ତଦନ୍ତରୁ ଜଣାପଡ଼ିଛି ଯେ ଚନ୍ଦ୍ରିକା ଏବଂ ଭୀମସେନ ସ୍କୁଲ ଦିନରୁ ଅର୍ଥାତ୍ ପ୍ରାୟ ୧୪ ବର୍ଷ ହେବ ପରସ୍ପରକୁ ଭଲ ପାଉଥିଲେ ଏବଂ ୨୦୨୭ ମସିହାରେ ଉଭୟଙ୍କ ବିବାହ ପାଇଁ ଯୋଜନା ମଧ୍ୟ ଥିଲା। ମାତ୍ର ଭୀମସେନ ପ୍ରଶାସନିକ ସେବା (OAS/OTAS) ପରୀକ୍ଷାରେ କୃତକାର୍ଯ୍ୟ ହେବା ପରେ ତାଙ୍କ ଆଚରଣରେ ବଡ଼ ପରିବର୍ତ୍ତନ ଆସିଥିଲା। ସେ ଚନ୍ଦ୍ରିକାଙ୍କ ଚେହେରା ଓ ଗହମ ଗୋରା ରଙ୍ଗକୁ ନେଇ କଟାକ୍ଷ କରିବା ସହ ତାଙ୍କଠାରୁ ଦୂରେଇ ଯାଇଥିଲେ। କେବଳ ସେତିକି ନୁହେଁ, ଏହି ସମ୍ପର୍କ ମଧ୍ୟରେ ‘ସ୍ୱାତୀ’ ନାମକ ଆଉ ଜଣେ ଯୁବତୀଙ୍କ ପ୍ରବେଶ ଘଟିଥିଲା, ଯାହାକୁ ନେଇ ଉଭୟଙ୍କ ମଧ୍ୟରେ ତୀବ୍ର ତିକ୍ତତା ସୃଷ୍ଟି ହୋଇଥିଲା। ଭୀମସେନଙ୍କ ମୋବାଇଲରେ ଅନ୍ୟ ଯୁବତୀଙ୍କ ଆପତ୍ତିଜନକ ଫଟୋ ଦେଖିବା ପରେ ଚନ୍ଦ୍ରିକା ଗଭୀର ମାନସିକ ଆଘାତ ପାଇଥିଲେ ଏବଂ ଏହି ସମସ୍ତ ଯନ୍ତ୍ରଣାକୁ ସେ ନିଜ ଡାଏରୀରେ ଲେଖି ରଖିଥିଲେ।
ଆଣ୍ଠୁଏ ପାଣିରେ ମୃତ୍ୟୁ: ହତ୍ୟା ନା ଆତ୍ମହତ୍ୟା ଉସୁକାନୀ?
ଚନ୍ଦ୍ରିକାଙ୍କ ମୃତଦେହ କାଠଯୋଡ଼ି ନଦୀର ଶୁଖିଲା ବାଲି ଓ କମ୍ ପାଣି ଥିବା ସ୍ଥାନରୁ ମିଳିଥିବାରୁ ତାଙ୍କ ପରିବାର ଲୋକେ ଏହାକୁ ଏକ ସୁଚିନ୍ତିତ ହତ୍ୟାକାଣ୍ଡ ବୋଲି ଅଭିଯୋଗ କରିଛନ୍ତି। ମାତ୍ର ପୋଷ୍ଟମର୍ଟମ ଓ ଫୋରେନ୍ସିକ ରିପୋର୍ଟ ଅନୁସାରେ ଶରୀରରେ କୌଣସି ବାହ୍ୟ ଆଘାତର ଚିହ୍ନ ନାହିଁ ଏବଂ ମୃତ୍ୟୁ ପାଣିରେ ବୁଡ଼ିବା ଯୋଗୁଁ ହିଁ ହୋଇଛି। ପରିବାରର ଏଫ୍ଆଇଆର୍ ଭିତ୍ତିରେ ବାରଙ୍ଗ ପୋଲିସ ମାମଲାକୁ ଆତ୍ମହତ୍ୟା ପାଇଁ ଉସୁକାଇବା ଧାରାରେ ପରିବର୍ତ୍ତନ କରି ଅଭିଯୁକ୍ତ ପ୍ରେମିକ ଭୀମସେନ ଟୁଡୁଙ୍କୁ ଗିରଫ କରିଛି।
ପୋଲିସ ବର୍ତ୍ତମାନ ଚନ୍ଦ୍ରିକା ଏବଂ ଗିରଫ ଅଭିଯୁକ୍ତଙ୍କ ମୋବାଇଲ୍, ଲାପଟପ୍ ଏବଂ ଟାବଲେଟ୍ ଜବତ କରି ଭୁବନେଶ୍ୱର ସ୍ଥିତ ରାଜ୍ୟ ଫୋରେନ୍ସିକ ସାଇନ୍ସ ଲାବୋରେଟୋରୀ କୁ ପଠାଇଛି।
ମୃତ୍ୟୁର ଠିକ୍ ପୂର୍ବରୁ ଚନ୍ଦ୍ରିକା ତ୍ରିଶୂଳିଆ ବ୍ରିଜ୍ ନିକଟରୁ ଭୀମସେନଙ୍କୁ ବାରମ୍ବାର ଫୋନ୍ କରିଥିଲେ ହେଁ ସେ କଲ୍ ରିସିଭ୍ କରିନଥିଲେ। ହ୍ୱାଟ୍ସଆପ୍ ଚାଟ୍ ଏବଂ ଡିଜିଟାଲ୍ ଡାଟାର ସମ୍ପୂର୍ଣ୍ଣ ରିପୋର୍ଟ ଆସିବା ପରେ ଏହି ମେଡିକାଲ ଛାତ୍ରୀଙ୍କ ସନ୍ଦେହଜନକ ମୃତ୍ୟୁ ପଛରେ ଥିବା ପ୍ରକୃତ ରହସ୍ୟ ଏବଂ ଅନ୍ୟ କାହାର ସଂପୃକ୍ତି ଅଛି କି ନାହିଁ, ତାହା ସମ୍ପୂର୍ଣ୍ଣ ଭାବେ ପଦାକୁ ଆସିବ ବୋଲି ବରିଷ୍ଠ ପୋଲିସ ଅଧିକାରୀ ଆଶା ପ୍ରକଟ କରିଛନ୍ତି।
