Latest Odisha News

BREAKING NEWS

ଓଡ଼ିଶା ଗଣମାଧ୍ୟମ ପରିବାର ପକ୍ଷରୁ ମିଡିଆ ମହାନାୟକ ରାମୋଜୀ ରାଓଙ୍କୁ ଅଶ୍ରୁଳ ଶ୍ରଦ୍ଧାଞ୍ଜଳି

ଭୁବନେଶ୍ବର: ଭାରତୀୟ ଗଣମାଧ୍ୟମ ଓ ମନୋରଞ୍ଜନ ଜଗତକୁ ନୂଆ ଦିଗ ଦେଖାଇଥିବା ରାମୋଜୀ ରାଓଙ୍କୁ ଓଡ଼ିଶା ଗଣମାଧ୍ୟମ ପରିବାର ପକ୍ଷରୁ ଗଭୀର ଶ୍ରଦ୍ଧାଞ୍ଜଳି ଦିଆଯାଇଛି। ରମୋଜୀ ରାଓଙ୍କ ଏକାଦଶାହ ଅବସରରେ ଭୁବନେଶ୍ୱର ଜୟଦେବ ଭବନଠାରେ ଆୟୋଜିତ ବିଶେଷ କାର୍ଯ୍ୟକ୍ରମରେ ମିଡିଆ ଓ ମନୋରଞ୍ଜନ ଜଗତର ବହୁ ବିଶିଷ୍ଟ ବ୍ୟକ୍ତି ଯୋଗଦେଇ ସ୍ୱର୍ଗତ ରାଓଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ।

ଏହି କାର୍ଯ୍ୟକ୍ରମରେ ଈଟିଭି ଓଡ଼ିଆ ସାଟେଲାଇଟ୍ ଚ୍ୟାନେଲର ପୂର୍ବତନ ସହଯୋଗୀ, ରାମୋଜୀ ଗ୍ରୁପର କର୍ମଚାରୀ ଏବଂ ଓଡ଼ିଶାର ବିଭିନ୍ନ ଗଣମାଧ୍ୟମ ଓ ମନୋରଞ୍ଜନ ଜଗତର ବ୍ୟକ୍ତିବିଶେଷ ଏକାଠି ହୋଇଥିଲେ। ଏହି ଅବସରରେ ସ୍ୱର୍ଗତ ରାଓଙ୍କ ଅମର ଆତ୍ମାର ସଦଗତି ପାଇଁ ଗୀତା ପାଠ ସହ ୨ ମିନିଟ୍ ନୀରବ ପ୍ରାର୍ଥନା କରାଯାଇଥିଲା।

ସ୍ୱର୍ଗତ ରାମୋଜୀ ରାଓ ଥିଲେ ଅତ୍ୟାଧୁନିକ ଗଣ ଯୋଗାଯୋଗର ପ୍ରମୁଖ ବ୍ୟକ୍ତିତ୍ୱ। ସ୍ୱର୍ଗତ ରାମୋଜୀ ରାଓ ଓଡିଶାରେ ପ୍ରଥମ ଘରୋଇ ସାଟେଲାଇଟ୍ ଚ୍ୟାନେଲ ଈଟିଭି ଓଡିଆ ପ୍ରତିଷ୍ଠା କରି ଓଡିଶାର ସମ୍ବାଦ ଓ ସାମ୍ବାଦିକତାକୁ ନୂତନ ଦିଗଦର୍ଶ ଦେଇଯାଇଛନ୍ତି । ୧୩ଟି ଭାଷାରେ ଈଟିଭି ନେଟୱାର୍କ ପ୍ରତିଷ୍ଠା କରି ସାମ୍ବାଦିକ ଓ କଳାକାର ଗଢିବାର ଏକ କାରଖାନା ଥିଲେ ରାମୋଜୀ ରାଓ। ସମ୍ବାଦ ଓ ମନୋରଂଜନ ଜଗତର ସେ ଥିଲେ ଅପ୍ରତିଦ୍ଵନ୍ଦୀ ଏବଂ ଅଦିତୀୟ ବ୍ୟକ୍ତିତ୍ୱ।

ଆନ୍ଧ୍ରପ୍ରଦେଶ କ୍ରିଷ୍ଣା ଜିଲ୍ଲା ଅନ୍ତର୍ଗତ ପେଡାପାରୁପୁଡି ବାସିନ୍ଦା ସ୍ୱର୍ଗତ ଚେରାକୁରୀ ରାମୋଜୀ ରାଓ। ଏକ ଚାଷୀ ପରିବାରରେ ଜନ୍ମ ଗ୍ରହଣ କରିଥିବା ସ୍ୱର୍ଗତ ରମୋଜୀ ରାଓ, ମାର୍ଗଦର୍ଶୀ ଚିଟ୍ ଫଣ୍ଡ, ବହୁ ପ୍ରସାରିତ ଈନାଡୁ ଖବର କାଗଜ, ୧୩ଟି ଭାଷାରେ ଈ-ଟିଭି ବା ଈନାଡୁ ଟିଭି ନାମରେ ଏକ ନେଟୱାର୍କ, ରମାଦେବୀ ପବ୍ଲିକ ସ୍କୁଲ, ପ୍ରିୟା ପିକ୍ଲ୍‌, କଳାଞ୍ଜଳି, ଡଲଫିନ୍ ଗୃପ୍ ଅଫ୍ ହୋଟେଲ୍‌ସ, ଉଷାକିରଣ ମୁଭିଜ୍‌, ବିଶ୍ୱର ଅନ୍ୟତମ ବଡ ଏବଂ ଶ୍ରେଷ୍ଠ ଫିଲ୍ମ ଟିସି-ରାମୋଜୀ ଫିଲ୍ମ ସିଟି ଆଦି ପ୍ରତିଷ୍ଠା କରି ପ୍ରତ୍ୟକ୍ଷ ଏବଂ ପରୋକ୍ଷ ଭାବେ ଲକ୍ଷ ଲକ୍ଷ ଲୋକଙ୍କୁ କର୍ମ ସଂସ୍ଥାନ ଯୋଗାଇଦେଇଛନ୍ତି।

Comments are closed.