ଭୁବନେଶ୍ବର: ପାଟନା ଏମ୍ସର ହଷ୍ଟେଲରେ ଓଡ଼ିଆ ଛାତ୍ରଙ୍କ ସନ୍ଦେହଜନକ ଅବସ୍ଥାରେ ମୃତଦେହ ଉଦ୍ଧାର ହୋଇଛି । ଛାତ୍ରଙ୍କ ନାମ ଯଦବେନ୍ଦ୍ର ସାହୁ ଓରଫ ଅମୃତ୍ୟ ଅରବିନ୍ଦ । ସୂଚନାନୁସାରେ, ସେ ପାଟନା AIIMSର ପିଜି ପ୍ରଥମ ବର୍ଷର ଛାତ୍ର ଥିଲେ ।ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।
ଏହି ଅଘଟଣଟି ବିହାରର ରାଜଧାନୀ ପାଟନାର ଫୁଲୱାରି ସରିଫ ଥାନା ଅଞ୍ଚଳରେ ଅବସ୍ଥିତ ପାଟନା ଏମ୍ସ ହଷ୍ଟେଲ ନମ୍ବର ୧୦ରେ ଘଟିଛି। ଯଦବେନ୍ଦ୍ର ଏଠାରେ ୫୧୫ ନମ୍ବର ରୁମରେ ରହୁଥିଲେ ।
ପୋଲିସ ସୂଚନା ଅନୁଯାୟୀ, ଛାତ୍ର ଜଣକ ନିଜକୁ କୋଠରୀରେ ବନ୍ଦ କରି ରଖିଥିଲେ । ବହୁତ ସମୟ ପର୍ଯ୍ୟନ୍ତ କବାଟ ନ ଖୋଲିବାରୁ ସାଙ୍ଗମାନେ ସନ୍ଦେହ କରି ଏମ୍ସ ପ୍ରଶାସନକୁ ଜଣାଇଥିଲେ । ଏନେଇ ପୋଲିକୁ ଖବର ଦିଆଯାଇଥିଲା । ସୂଚନା ପାଇବା ମାତ୍ରେ ଫୁଲୱାରୀ ସରିଫ ପୋଲିସ ଘଟଣାସ୍ଥଳରେ ପହଞ୍ଚିଥିଲା । ପୋଲିସ ରୁମର କବାଟ ଭାଙ୍ଗି ଭିତରକୁ ପଶିଥିଲା । ରୁମ୍ ଭିତରେ ଛାତ୍ରଙ୍କ ମୃତଦେହ ମିଳିଥିଲା ।
ପ୍ରାଥମିକ ତଦନ୍ତରୁ ଏହା ଏକ ଆତ୍ମହତ୍ୟା ବୋଲି ସନ୍ଦେହ କରାଯାଉଛି । ବର୍ତ୍ତମାନ ଆତ୍ମହତ୍ୟାର କାରଣ ସ୍ପଷ୍ଟ ହୋଇନାହିଁ । ପୋଲିସ ମୃତଦେହକୁ ଉଦ୍ଧାର କରି ପୋଷ୍ଟମର୍ଟମ ପାଇଁ ପଠାଇଛି । ଏହା ସହିତ, ଫୋରେନସିକ୍ ଟିମ୍କୁ ଡକାଯାଇଛି ଏବଂ କୋଠରୀରୁ ପ୍ରମାଣ ସଂଗ୍ରହ କରାଯାଉଛି ।
Comments are closed.