ବାଲେଶ୍ୱର: ବାଲେଶ୍ୱର ଜିଲ୍ଲା ନୀଳଗିରି କୋର୍ଟ ପରିସରରେ ସ୍ଥ୍ାନୀୟ ବିଧାୟକ ଏବଂ ତହସିଲଦାରଙ୍କ ମଧ୍ୟରେ ପ୍ରଥମେ ବଚସା ହୋଇ କ୍ରମେ ଉଗ୍ର ରୂପ ଧାରଣ କରିଥିଲା । ଏହି ଘଟଣାକୁ କୋର୍ଟ ମଧ୍ୟରେ ରହିଥିବା ଆଇନଜୀବୀମାନେ ଓ ମୋହରିରମାନେ ଦେଖଣାହାରୀ ହୋଇ ଦେଖିଥିଲେ ।
ନୀଳଗିରି ବିଧାୟକ ସୁକାନ୍ତ କୁମାର ନାୟକ ଏବଂ ତହସିଲଦାର ସୁଶ୍ରିତା ଟୁଡୁ୍ଙ୍କ ମଧ୍ୟରେ ହୋଇଥିବା ଏହି ପାଟିତୁଣ୍ଡ ଏବେ ଗଣମାଧ୍ୟମରେ ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ପାଲଟିଛି ।
ମିଳିଥିବା ସୂଚନାନୁଯାୟୀ, ଶୁକ୍ରବାର ଦିନ ସକାଳ ପ୍ରାୟ ୮ଟା ବେଳେ ତହସିଲଦାର ସୁଶ୍ରିତା ଟୁଡୁ ଏବଂ ଅତିରିକ୍ତ ତହସିଲଦାର ରାକେଶ ପଣ୍ଡା ଜେପିସି ମାଧ୍ୟମରେ କଚେରୀ ହତା ମଧ୍ୟରେ ରହିଥିବା ଅସ୍ଥାୟୀ ଘରଗୁଡ଼ିକୁ ଭାଙ୍ଗୁଥିବା ବେଳେ ଏସମ୍ପର୍କରେ ଖବର ପାଇ ବିଧାୟକ ସୁକାନ୍ତ ନାୟକ ଘଟଣାସ୍ଥଳରେ ପହଞ୍ଚିଥିଲେ । ବିଧାୟକ ଶ୍ରୀ ନାୟକ କହିଥିଲେ ଯେ, ପ୍ରଥମେ ଥଇଥାନ ପରେ ଏହି ଘରଗୁଡ଼ିକୁ ଭଙ୍ଗାଯିବ ବୋଲି ତାଙ୍କ ସହିତ ଜିଲ୍ଲାପାଳ ଏବଂ ମନ୍ତ୍ରୀ କଥା ହୋଇଥିଲେ । ତେଣୁ କାହାକୁ ନଜଣାଇ ଏପରି କାହିଁକି ପଦକ୍ଷେପ ଗ୍ରହଣ କରାଯାଉଛି ବୋଲି ବିଧାୟକ ତହସିଲଦାରଙ୍କୁ ପ୍ରଶ୍ନ କରିଥିଲେ ।
ଏହାକୁ ନେଇ ତହସିଲଦାର ଶ୍ରୀମତୀ ଟୁଡୁ ଏବଂ ବିଧାୟକ ଶ୍ରୀ ନାୟକଙ୍କ ମଧ୍ୟରେ ପାଟିତୁଣ୍ଡ ହୋଇଥିଲା ।
ବିଧାୟକ ଶ୍ରୀ ନାୟକ ଏହାର ପ୍ରତିବାଦରେ ତହସିଲ ଅଫିସ ପରିସରରେ ଧାରଣାରେ ଦୀର୍ଘ ସମୟ ଧରି ବସି ରହିଥିଲେ । ଏପରିକି ଆଇନଜୀବୀ ଏବଂ ମୋହରିରମାନେ ମଧ୍ୟ ତହସିଲ ଏବଂ କୋର୍ଟ ପରିସରରେ ତାଲା ପକାଇ ଧାରଣାରେ ବସିରହିଥିବାର ସୂଚନା ମିଳିଛି ।
ମିଳିଥିବା ସୂଚନାନୁଯାୟୀ ଇତିମଧ୍ୟରେ ବିଧାୟକ ଶ୍ରୀ ନାୟକ ଜିଲ୍ଲାପାଳଙ୍କ ସହିତ କଥାବାର୍ତ୍ତା କରିଛନ୍ତି ଏବଂ ମୋହରିରମାନଙ୍କ ଥଇଥାନ ପରେ ହିଁ ଏହି ଉଚ୍ଛେଦ କାର୍ଯ୍ୟ ହେବ ବୋଲି ଜିଲ୍ଲାପାଳ ବିଧାୟକଙ୍କ୍ୁ ପ୍ରତିଶ୍ରୁତି ଦେଇଥିବାର ସୂଚନା ମିଳିଛି ।
ଏବେ ନୀଳଗିରି କୋର୍ଟ ଏବଂ ତହସିଲ ପରିସରରେ ପୋଲିସ ଆଇନ ଶୃଙ୍ଖଳା ବଜାୟ ରଖିବା ଲାଗି ମୂତୟନ ହୋଇଛନ୍ତି ।
Comments are closed.