Latest Odisha News

ଏପରି ମନ୍ଦିର ଯେଉଁଠି ୫୦ ଡିଗ୍ରୀ ଖରାରେ ମଧ୍ୟ ଲାଗେ ହିମାଳୟ ପରି ଥଣ୍ଡା

ବଲାଙ୍ଗୀର: ଭାରତରେ ବହୁ ରହସ୍ୟମୟ ମନ୍ଦିର ରହିଛି। ସେହି ସବୁ ମନ୍ଦିରରେ ଏମିତି କିଛି ରହସ୍ୟ ଲୁଚି ରହିଥାଏ ଯେ, ବୈଜ୍ଞାନିକମାନେ ମଧ୍ୟ ରହସ୍ୟ ପଛର ସତ୍ୟତା ଖୋଜି ବାହାର କରିପାରିନାହାଁନ୍ତି। ତନ୍ମଧ୍ୟରୁ ଓଡ଼ିଶାରେ ମଧ୍ୟ ରହିଛି ଅନେକ ରହସ୍ୟମୟ ମନ୍ଦିର l ସେଥିମଧ୍ୟରୁ ବଲାଙ୍ଗିର ଜିଲ୍ଲା ଟିଟିଲାଗଡ଼ରେ ଅବସ୍ଥିତ ଶିବ ମନ୍ଦିର ଅନ୍ୟତମ। ଆଜି ବି ରହସ୍ୟ ଭିତରେ ରହିଯାଇଛି ମନ୍ଦିର ଭିତର କିଛି କଥା।

ସାଧାରଣତଃ ଟିଟିଲାଗଡ଼ ରାଜ୍ୟର ସବୁଠୁ ଉତ୍ତୁପ୍ତ ସହର ହୋଇଥିବାରୁ ଏହାକୁ ତତଲାଗଡ଼ ବୋଲି କୁହାଯାଏ । ପାହାଡ଼ ଉପର ଜାଗା, ଗରମ ତ ନିଶ୍ଚୟ ଅନୁଭବ ହେବ । କିନ୍ତୁ ଜାଣି ଆଶ୍ଚର୍ଯ୍ୟ ହେବେ, ମନ୍ଦିର ବାହାରେ ତତଲା ତାୱାରେ ଭାଜି ହେବା ଭଳି ମନେ ହେଉଥିବା ବେଳେ ମନ୍ଦିର ଭିତରେ ତୁଷାରପାତର ଅନୁଭବ ହୁଏ । ବାହାର ତାପମାତ୍ରା ୫୦ ଡିଗ୍ରୀ ରହିଥିବା ସମୟରେ ଭିତରେ ୨୫ ଡିଗ୍ରୀରୁ କମ ତାପମାତ୍ରା ରହିଥାଏ । ଖାଲି ଖରା ଦିନେ ନୁହେଁ ଶୀତ ଦିନରେ ବାହାରେ ପ୍ରବଳ ଥଣ୍ଡା ଲାଗୁଥିଲେ ମନ୍ଦିର ପରିବେଶଟି ସମ୍ପୂର୍ଣ୍ଣ ଉଷ୍ମ ଥାଏ । ତେଣୁ ଖରା ହେଉକି ବର୍ଷା, ବର୍ଷତମାମ ଏଠାକୁ ଭକ୍ତଙ୍କ ସୁଅ ଛୁଟିଥାଏ । ଏହାର କାରଣ ଏବେବି ରହସ୍ୟ ମଧ୍ୟରେ ଥିବା ବେଳେ ଲୋକେ ଏହାକୁ ଇଶ୍ୱରଙ୍କ ଚମତ୍କାର ବୋଲି ବିଶ୍ବାସ କରନ୍ତି । ଏହାର ସତ୍ୟତା ଜାଣିବା ପାଇଁ ଅନେକ ଗବେଷକ ଏଠାକୁ ଆସି ଗବେଷଣା କରିଛନ୍ତି । ହେଲେ ଆଜିବି ଏହା ରହସ୍ୟ ଘେରରେ ରହିଛି ।

ଏନେଇ ମନ୍ଦିର ପୂଜାରୀ କୁହନ୍ତି ଯେ, ମନ୍ଦିରରେ ସ୍ଥାପିତ ଦେବାଦେବୀଙ୍କ ପ୍ରତିମା ଯୋଗୁଁ ଭିତରେ ଥଣ୍ଡା ଅନୁଭୂତ ହୋଇଥାଏ। ଭଗବାନ ଭୋଳାନାଥ ଓ ମାତା ପାର୍ବତୀଙ୍କ ମୂର୍ତ୍ତିରୁ ଥଣ୍ଡା ପବନ ଆସିଥାଏ ଯାହା ମନ୍ଦିର ବାତାବରଣକୁ ଥଣ୍ଡା ରଖିଥାଏ। ଥଣ୍ଡା ବାତାବରଣ କେବଳ ମନ୍ଦିର ଯାଏଁ ହିଁ ସୀମିତ। ତେବେ ଏହା ପଛରେ କଣ ରହସ୍ୟ ରହିଛି ତାକୁ ଜାଣିବାକୁ ବହୁତ ପ୍ରୟାସ ହୋଇଛି। କିନ୍ତୁ ଆଜି ଯାଏଁ ତାର ନିଷ୍କର୍ସ ବାହାରି ପାରିନାହିଁ। ଆଜି ବି ଏହା ରହସ୍ୟ ଘେରରେ ରହିଛି । କିଛି ଲୋକ ଏହାକୁ ଚମତ୍କାର କହୁଥିବା ବେଳେ କିଛି ଅନ୍ଧବିଶ୍ୱାସ ମଧ୍ୟ କୁହନ୍ତି।

Comments are closed.