ଓଡ଼ିଶା ଓ ଜଗନ୍ନାଥ
ମାୟାଧର ମାନସିଂହ
ଯେ ଦେବତା ସମଗ୍ର ଜଗତର ନାଥ ଏବଂ ଯେ ଓଡ଼ିଶା ଭୂମିକୁ ନିଜର ବାସସ୍ଥାନ ରୂପେ ଗ୍ରହଣ କରି ତାକୁ ଅନୁଗୃହୀତ କରିଛନ୍ତି, ସେ ଯେ ଓଡ଼ିଶାର ନୁହନ୍ତି, ଏକଥା କୁହାଯାଇ ପାରିବନାହିଁ ।
ଓଡ଼ିଶାର ମହାମହିମ ଗଜପତିମାନେ ସେମାନଙ୍କର ସୁଦୂର ପ୍ରସାରୀ ସାମ୍ରାଜ୍ୟକୁ ଜଗନ୍ନାଥଙ୍କଠାରୁ ମିଳିଥିବା ନ୍ୟାସ (ଟ୍ରଷ୍ଟ) ବୋଲି ମନେ କରୁଥିଲେ ଓ ତହିଁର ଉଚିତ ରକ୍ଷଣାବେକ୍ଷଣ ପାଇଁ ସେମାନେ ନିଜକୁ ଜଗନ୍ନାଥଙ୍କ ସେବକ ବୋଲି ମନେ କରିବା ନିହାତି ସ୍ୱାଭାବିକ । ସେମାନେ ଯୁଦ୍ଧରେ ଜୟଲାଭ କରି ଫେରିବା ପରେ ସଙ୍ଗରେ ଆଣିଥିବା ବହୁ ମୂଲ୍ୟ ଧନ-ରତ୍ନ ଜଗନ୍ନାଥଙ୍କୁ ହିଁ ସମର୍ପଣ କରୁଥିଲେ । କାରଣ ସେମାନେ ମନେ କରୁଥିଲେ ଯେ ସେସବୁ ଜଗନ୍ନାଥଙ୍କର ପ୍ରାପ୍ୟ । ଏ ଦେଶର ସାମ୍ରାଜ୍ୟର ଅଗଣିତ କରଦ ସାମନ୍ତବର୍ଗ କେନ୍ଦ୍ର ଶାସନ ବିରୁଦ୍ଧରେ ଷଡ଼ଯନ୍ତ୍ର ବା ବିଦ୍ରୋହ କରୁନଥିଲେ ବା ସେ ପ୍ରକାର ଚିନ୍ତାକୁ ମନରେ ସ୍ଥାନ ମଧ୍ୟ ଦେଉନଥିଲେ । କାରଣ ସେମାନଙ୍କର ଭୟ ଥିଲା ଯେ ସେପରି କଲେ ସର୍ବ ଶକ୍ତିମାନ ଜଗତର ‘ନାଥ’ ସେମାନଙ୍କ ପ୍ରତି କଠୋର ଦୈବୀଦଣ୍ଡର ବିଧାନ କରିବେ । ଜଗନ୍ନାଥ ହିଁ ଥିଲେ ଏ ଜାତିର ରାଜନୈତିକ ଶାନ୍ତିର ମେରୁଦଣ୍ଡ । ଆଧ୍ୟାତ୍ମିକ ଜଗତର ପ୍ରଭୁ ଏହିଭଳି ଭୋବର ପୃଥିବୀର ଅଧିପତିଙ୍କୁ (ଗଜପତି) ଯେ କେବଳ ଦୈନନ୍ଦିନ ଶାସନ କାର୍ଯ୍ୟରେ ସାହାଯ୍ୟ କରୁଥିଲେ ତାହା ନୁହେଁ, ଓଡ଼ିଶା ତାର ପଡେ଼ାଶୀ ରାଜ୍ୟମାନଙ୍କ ବିରୁଦ୍ଧରେ ବାରମ୍ବାର ଯେଉଁ ଅଭିଯାନ କରୁଥିଲା ସେଥିରୁ ମଧ୍ୟ ସେ (ଜଗନ୍ନାଥ ମହାପ୍ରଭୁ) ଦୂରେଇ ରହିପାରୁ ନଥିଲେ ଓ ଓଡ଼ିଆମାନେ ଧାରାବାହିକ ଭାବରେ ବିଂଶ ଶତାବ୍ଦୀ ଯାବତ ସେମାନଙ୍କର ଜାତିର ଶତ୍ରୁମାନଙ୍କ ଉପରେ ଗୌରବମୟ ବିଜୟ ହାସଲ କରିଥିଲେ ମଧ୍ୟ ଓଡ଼ିଶାର ରାଜା ଓ ସେନାପତିମାନେ ନିଜର ବାହୁବଳ, ଅସ୍ତ୍ରଶସ୍ତ୍ର, ସାହସ ବା ସମର ସଜ୍ଜାଜନିତ କୌଶଳଯୋଗୁଁ ବିଜୟ ହାସଲ ସମ୍ଭବ ହେଲା ବୋଲି ଭାବୁ ନଥିଲେ । ସେମାନେ କହୁଥିଲେ ଯେ ଜଗନ୍ନାଥଙ୍କ ପଦ୍ମ-ପାଦରୁ ପ୍ରବାହିତ କରୁଣା ବାରି ଯୋଗୁ ହିଁ ଏହା କେବଳ ସମ୍ଭବ ହେଲା । ଓଡ଼ିଶାର ରାଜା ପୁରୁଷୋତ୍ତମଙ୍କ ସୈନ୍ୟବାହିନୀ ଆଗରେ ଜଗନ୍ନାଥ ଓ ତାଙ୍କର ଅଗ୍ରଜ ବଳଭଦ୍ର କଳା ଓ ଧଳା ଘୋଡ଼ା ଚଢ଼ି କାଞ୍ଚିର ଉଦ୍ଧତ ରାଜାଙ୍କୁ ଔଦ୍ଧତ୍ୟର ପ୍ରତିଶୋଧ ନେବା ମାନସରେ ତାଙ୍କ ବିରୁଦ୍ଧରେ ଅଭିଯାନ ଆରମ୍ଭ କରିଥିଲେ ବୋଲି ଯେଉଁ ଜନଶ୍ରୁତି ଲୋକ ସଙ୍ଗୀତରେ ପ୍ରଚଳିତ ଅଛି ଓ ଯେଉଁ କାହାଣୀକୁ ଚିତ୍ରକଳା ଓ ଭାସ୍କର୍ଯ୍ୟ ଦ୍ୱାରା ଅମର କରାଯାଇଛି, ତାହା ଓଡ଼ିଶାର ଜନସାଧାରଣଙ୍କ ମନୋଭାବର ଏକ ପ୍ରତୀକ ଅଭିବ୍ୟକ୍ତି ମାତ୍ର । ଓଡ଼ିଶାର ଜନସାଧାରଣଙ୍କର ବିଶ୍ୱାସ ଥିଲା ଯେ ଜଗନ୍ନାଥ ମହାପ୍ରଭୁ ସେମାନଙ୍କର ଜାତୀୟ ତଥା ବ୍ୟକ୍ତିଗତ ବ୍ୟାପାରରେ ସକ୍ରିୟ ଭାବେ ସଂପୃକ୍ତ ଏବଂ ଗୋଟିଏ ଜାତି ତଥା ବ୍ୟକ୍ତି ହିସାବରେ ସେମାନଙ୍କର ଯାହା କିଛି ସମୃଦ୍ଧି ଘଟୁଥିଲା ସେସବୁ କେବଳ ଜଗନ୍ନାଥଙ୍କର କୃପା ଯୋଗୁଁ ହିଁ ସମ୍ଭବ ହେଉଥିଲା ।
କରୁଣାର ପ୍ରଭୁ ଓ ଗଣଦେବତା:
ଅହମିକା ବିବର୍ଜ୍ଜିତ ଯେଉଁ ଭାଗବତ ଅନାସକ୍ତ ମନୋବୃତ୍ତି ଶ୍ରୀମଦ ଭାଗବତ ଗୀତାରେ ବଜ୍ର ଗମ୍ଭୀର ନାଦରେ ଉଦଘୋଷିତ ହୋଇଛି ତାହା ଯେ କେବଳ ପୁରାଣ ଇତିହାସର ନିଦର୍ଶନ ତାହା ନୁହେଁ, ପରନ୍ତୁ ନିରୀଶ୍ୱର ଓ ଯାନ୍ତ୍ରିକ ସଭ୍ୟତାରେ ବିଶ୍ୱାସ କରୁଥିବା ଆଧୁନିକ ସମାଜରେ ମଧ୍ୟ ଏହି ଭାବ ଜଗନ୍ନାଥଙ୍କ ବିଶ୍ୱବିଖ୍ୟାତ ରଥଯାତ୍ରା ସମୟରେ ପ୍ରତିବର୍ଷ ଅଭିନୀତ ହେଉଛି । ଜଗନ୍ନାଥ ରଥରେ ବସି ଲକ୍ଷ ଲକ୍ଷ ଲୋକଙ୍କ ପ୍ରତି ଅନୁକମ୍ପା ପ୍ରଦର୍ଶନ କରିବାକୁ ଯିବା ପୂର୍ବରୁ ବର୍ତ୍ତମାନ ମଧ୍ୟ ଗଜପତି ବୋଲାଉଥିବା ପୁରୀ ରାଜା ହାତରେ ସୁନା ଖଡ଼ିକା ଧରି ମେହେନ୍ତର ଭଳି ରଥ ସାମନା ବଡ଼ଦାଣ୍ଡ ଛେରା ପହଁରା କରନ୍ତି । ଏହି କାର୍ଯ୍ୟ ଦ୍ୱାରା ଗଜପତି ସମଗ୍ର ବିଶ୍ୱକୁ ଜଣାଇ ଦିଅନ୍ତି ଯେ ଯେଉଁ ମହାପ୍ରଭୁଙ୍କଠାରୁ ମନୁଷ୍ୟର ପାର୍ଥିବ ପଦ-ମର୍ଯ୍ୟାଦା ଓ ସମୃଦ୍ଧି ସମ୍ଭବ ତଥା ଉଲ୍ଲେଖନୀୟ ସକଳ ସଫଳତା ସମ୍ଭୂତ, ତାଙ୍କ ଆଗରେ ସେ ନିଜେ ନିଜର ଜଣେ ସାଧାରଣ ପ୍ରଜାଠାରୁ ମଧ୍ୟ ବଡ଼ ନୁହନ୍ତି ।
ହିନ୍ଦୁ ଧର୍ମର ସକଳ ଦେବଦେବୀଙ୍କ ମଧ୍ୟରେ ଜଗନ୍ନାଥ ହେଉଛନ୍ତି ପ୍ରକୃତ ଗଣ-ଦେବତା । ଏହି ବିରାଟ ଉପ ମହାଦେଶର ସକଳ ଦେବଦେବୀଙ୍କ ଭିତରେ ଜଗନ୍ନାଥ ହେଉଛନ୍ତି ଏକମାତ୍ର ଦେବତା ଯେ କି ସାଧାରଣ ଲୋକଙ୍କ ଆଧ୍ୟାତ୍ମିକ ଅଭିଳାଷରୁ ହିଁ ଉଦ୍ଭୂତ । ସୁଦୂର ଅତୀତରେ ଯେତେବେଳେ କି ଋକ ବେଦର ପ୍ରାଚୀନତମ ମନ୍ତ୍ରାବଳୀ ଅଶ୍ରୁତ ଓ ଅପରିଜ୍ଞାତ ଥିଲା ସେତେବେଳେ ଓଡ଼ିଶାର ନିରକ୍ଷର ଓ ସରଳ ଶବର ସଂପ୍ରଦାୟମାନଙ୍କ ମଧ୍ୟରେ ସେ ଆବିର୍ଭୂତ ହୋଇଥିଲେ । ଜଙ୍ଗଲର ଗୋଟିଏ ଗଛମୂଳେ ତାଙ୍କୁ ପ୍ରତିଷ୍ଠା କରି ତାଙ୍କର ସରଳ ଉପାସକମାନେ ନିଜେ ଯେଉଁ ଖାଦ୍ୟ ଭୋଜନ କରୁଥିଲେ ତାହାହିଁ ତାଙ୍କୁ ନୈବେଦ୍ୟ ରୂପେ ଅର୍ପଣ କରୁଥିଲେ । ପରବର୍ତ୍ତୀ ବହୁ ଶତାବ୍ଦୀ ଧରି ରାଜକୀୟ ଭୋଗ ବିଳାସରେ ରହି ମଧ୍ୟ ଜଗନ୍ନାଥ ତାଙ୍କର ଜ୍ଞାତି ବୋଲାଉଥିବା ସେହି ଶବର ସାଧାରଣଙ୍କ ସହିତ ଏପର୍ଯ୍ୟନ୍ତ ଘନିଷ୍ଠ ସଂପର୍କ ବଜାୟ ରଖିଛନ୍ତି ।
ଜଗନ୍ନାଥଙ୍କ ରଥ ଯାତ୍ରା ଜରିଆରେ ମହାଯାନ ବୌଦ୍ଧଧର୍ମାବଲମ୍ବୀମାନଙ୍କଦ୍ୱାରା ପୃଥିବୀରେ ସର୍ବ ପ୍ରଥମେ ପ୍ରବର୍ତ୍ତିତ ହୋଇଥିବା ପତିତ ଉଦ୍ଧାର ରୂପକ ବୋଧିସତ୍ତ୍ୱ ଆଦର୍ଶ ହିଁ ପ୍ରକଟିତ ହୋଇଥାଏ । ଏହି ଆଦର୍ଶକୁ ମୁଖ୍ୟ ଅବଲମ୍ବନ ରୂପେ ଗ୍ରହଣ କରି ଖ୍ରୀଷ୍ଟଧର୍ମ ପ୍ରତିଷ୍ଠିତ । ରଥ ଯାତ୍ରାରେ ପବିତ୍ର ପୁରୀ ଧାମର ବଡ଼ ଦାଣ୍ଡରେ ଝୁଲି ଝୁଲି ଯିଏ ଯାଆନ୍ତି ଓ ଆସନ୍ତି ସେ ସର୍ବଶକ୍ତିମାନ ‘ଜଗତର ନାଥ’ ଜଗନ୍ନାଥ ନୁହନ୍ତି; ସେ ହେଉଛନ୍ତି ପତିତ ଜନର ପରିତ୍ରାତା ପରମ କାରୁଣିକ ପତିତପାବନ । କ୍ରମାଗତ ଭାବେ ଆସିଥିବା ଓଡ଼ିଶାର ରାଜବଂଶମାନେ ଜଗନ୍ନାଥଙ୍କୁ ଯେଉଁ ରାଜକୀୟ ଜାକଜମକରେ ମନ୍ଦିରର ଗମ୍ଭୀରା ଭିତରେ ରଖିଛନ୍ତି, ସେଥିରୁ ବାହାରକୁ ଆସିବା ଦ୍ୱାରା ଜଙ୍ଗଲରେ ଥିବା ସମୟରେ ସେ ଯେପରି ଭାବରେ ସାଧାରଣ ଲୋକଙ୍କ ସଂସ୍ପର୍ଶରେ ଆସୁଥିଲେ, ସେ ପୁନର୍ବାର ସେହି ଅବସ୍ଥାକୁ ଫେରି ଯାଇଥାନ୍ତି । ପୁସ୍ତକଜ୍ଞାନହୀନ ଲକ୍ଷ ଲକ୍ଷ ସାଧାରଣ ପୁରୁଷ ଓ ସ୍ତ୍ରୀଲୋକ ଯେଉଁମାନେ କି ମହାପ୍ରଭୁଙ୍କୁ ନିଜ ହୃଦୟର ଭକ୍ତି ଓ ପ୍ରେମ ବ୍ୟତୀତ ଅନ୍ୟ କିଛି ଦେଇ ପାରିବେ ନାହିଁ, ସେମାନଙ୍କ ଉପରେ ଆଶୀର୍ବାଦ ବର୍ଷଣ କରିବା ଅଭିପ୍ରାୟରେ ହିଁ ଜଗନ୍ନାଥ ସାଧାରଣ ଲୋକ ଯାତାୟାତ କରୁଥିବା ଧୂଳିପୂର୍ଣ୍ଣ ରାସ୍ତା ଉପରେ ଏହି ରଥଯାତ୍ରାରେ କଷ୍ଟ ସ୍ୱୀକାର କରିଥାନ୍ତି । ଏହି ଯାତ୍ରା ତାଙ୍କ କରୁଣାର ଏକ ପ୍ରତୀକ ଅଭିବ୍ୟକ୍ତି ମାତ୍ର ।
ଜାତୀୟ ସଂହତିର ପ୍ରତୀକ:
ଜଗନ୍ନାଥ ଗଣଦେବତା । ତାଙ୍କ ନିକଟରେ ହିନ୍ଦୁ ଜଗତର ଜାତି ଭେଦ ଭାବ ଆପେ ଆପେ ଉଭେଇ ଯାଏ । ସେ ଦରିଦ୍ର ଜନସାଧାରଣଙ୍କ ପାଇଁ ତାଙ୍କ ରୋଷେଇ ଘରେ ସ୍ୱଳ୍ପ ମୂଲ୍ୟରେ ସୁଷମ ଓ ସୁସ୍ୱାଦୁ ଖାଦ୍ୟର ବ୍ୟବସ୍ଥା କରିନେଇଛନ୍ତି । ସେ ମଧ୍ୟ ସ୍ୱାଧୀନ ଭାରତରେ ଜ୍ୱଳନ୍ତ ସମସ୍ୟା ରୂପେ ଦେଖା ଦେଇଥିବା ଜାତୀୟ ସଂହତିର ଏକ ଦୃଶ୍ୟମାନ ପ୍ରତୀକ । ଶବରମାନେ ଯେଉଁ ନୀଳ ପଥରଟି ପାଇଥିଲେ, ତାହା ସମୁଦ୍ରକୁ ଫିଙ୍ଗି ଦିଆଯାଇଥିବା ଶ୍ରୀକୃଷ୍ଣଙ୍କର ହୃତପିଣ୍ଡ ମାତ୍ର, ଯାହାକି ଅଗ୍ନିରେ ଦଗଧ ନ ହେବାରୁ ସମୁଦ୍ରକୁ ଫୋପାଡ଼ି ଦିଆଯାଇଥିଲା । ଏହା ଭାସି ଆସି ଓଡ଼ିଶା ଭୂମିରେ ଲାଗିଥିଲା ଓ କାଳକ୍ରମେ ପ୍ରସ୍ତର ଖଣ୍ଡରେ ପରିଣତ ହୋଇଥିଲା । ମହାସାଗରର ଏକ ପ୍ରାନ୍ତରୁ ଅନ୍ୟ ପ୍ରାନ୍ତ ପର୍ଯ୍ୟନ୍ତ ଏହି ଭାରତୀୟ ଉପ-ମହା-ଦେଶକୁ ଆଧ୍ୟାତ୍ମିକତାର ସୂତ୍ରରେ ଗୁନ୍ଥି ରଖିବା ପାଇଁ ଯେ ଏକ ଉଦ୍ୟମ ମାତ୍ର ତାହା ଏହି କୌତୁହଳ ଉଦ୍ଧୀପକ ପୌରାଣିକ ଗଳ୍ପରେ ଆମେ ସ୍ପଷ୍ଟ ଭାବେ ଦେଖିପାରୁ । ଜଗନ୍ନାଥ କେବଳ କୃଷ୍ଣ ବା ରାମ ନୁହନ୍ତି, ସେ ମଧ୍ୟ ବିଷ୍ଣୁଙ୍କର ନବମ ଅବତାର, ବୁଦ୍ଧ । ଜଗନ୍ନାଥଙ୍କର ଦୈନନ୍ଦିନ ପୂଜା କାର୍ଯ୍ୟରେ ଗୌର ବର୍ଣ୍ଣ ବ୍ରାହ୍ମଣମାନଙ୍କ ସହିତ କୃଷ୍ଣବର୍ଣ୍ଣର ଆଦିମ ଅଧିବାସୀ ଯୋଗ ଦେଇଥାନ୍ତି । ଅଶୋକଙ୍କର ପ୍ରସିଦ୍ଧ କଳିଙ୍ଗ ଶିଳା ଲେଖରେ ଉଲ୍ଲେଖ ଥିବା ‘ସବ ମନିଷେ ମେ ପଜା’ ଅର୍ଥାତ ସବୁ ଲୋକ ମୋର ପ୍ରିୟ ସନ୍ତାନ- ଏହି ଉକ୍ତି ଜଗନ୍ନାଥଙ୍କ ଦୈନନ୍ଦିନ ଉପାସନାରେ ରୂପାୟିତ ହୋଇଥାଏ । ଛଳନାଭରା ଉଚ୍ଚ କଣ୍ଠରେ ଆଜି ଜାତୀୟ ସଂହତି ବିଷୟ ଦିଲ୍ଲୀ ବା କଲିକତାଠାରେ ବିଶେଷଭାବେ ଆଲୋଚିତ ହେଉଛି ସତ, କିନ୍ତୁ ଏହା ଶହ ଶହ ବର୍ଷ ହେଲା ଜଗନ୍ନାଥଙ୍କ ନିକଟରେ ମନୋରମ ବାସ୍ତବତାରେ ପରିଣତ ହୋଇସାରିଛି ।
ଓଡ଼ିଶାର ଶ୍ରଦ୍ଧାଞ୍ଜଳି:
ଉପରୋକ୍ତ ଉଚ୍ଚ ଭାବଧାରାମାନ ଜଗନ୍ନାଥଙ୍କ ନୈସର୍ଗିକ ବ୍ୟକ୍ତିତ୍ୱ ଚାରିପଟେ ନିତ୍ୟନୈମିତ୍ତିକ ବାସ୍ତବ ରୂପ ଗ୍ରହଣ କରି ଚାଲିଛନ୍ତି; ସେଗୁଡ଼ିକ ଓଡ଼ିଶାର ସାମାଜିକ ଜୀବନ ଉପରେ ଗଭୀର ପ୍ରଭାବ ପକାଇ ଆସିଛନ୍ତି । ସମଗ୍ର ଭାରତର ଅନ୍ୟାନ୍ୟ ରାଜ୍ୟ ତୁଳନାରେ ଓଡ଼ିଶାରେ ଯଦି ଜାତିଆଣ ଭେଦଭାବ ସବୁଠାରୁ କମ ଥାଏ, ତେବେ ସେ ଗୌରବ ସିଧା ସଳଖ ଜଗନ୍ନାଥଙ୍କର । ଓଡ଼ିଶାର ଜନସାଧାରଣ ଯଦି ସମୂହଭାବେ ସେମାନଙ୍କର ଦେଶପ୍ରେମୀ ରାଜା ମହାରାଜାମାନଙ୍କଦ୍ୱାରା ବିଶେଷ ଭାବେ ଉପକୃତ ହୋଇଥାଆନ୍ତି, ତେବେ ତାହା ମୂଳରେ ଥିଲା ଜଗନ୍ନାଥଙ୍କ ଆଦର୍ଶ । ସେହିଁ ବିରାଟ ଗଜପତି ସାମ୍ରାଜ୍ୟର ପ୍ରକୃତ ମାଲିକ ଥିଲେ । ଅର୍ଥାତ, ରାଜା ମହାରାଜାମାନେ ସେମାନଙ୍କ ରାଜ୍ୟକୁ ନିଜ ମର୍ଜି ଉପରେ ଖର୍ଚ୍ଚ କରାଯିବା ବ୍ୟକ୍ତିଗତ ସମ୍ପତ୍ତି ନଭାବି ଜଗନ୍ନାଥ ମହାପ୍ରଭୁଙ୍କ ନିକଟରୁ ମିଳିଥିବା ନ୍ୟାସ (ଟ୍ରଷ୍ଟ) ବୋଲି ବିଚାରୁଥିଲେ । ଜଗନ୍ନାଥ ମହାପ୍ରଭୁ ଏହିପରି ଭାବରେ ନିଜକୁ ସଂପୂର୍ଣ୍ଣରୂପେ ଓଡ଼ିଶାର ଅଧିବାସୀ ବା ଓଡ଼ିଆମାନଙ୍କ ସହିତ ସାମିଲ କରି ଦେଇଥିବା ଯୋଗୁଁ ଓଡ଼ିଆମାନେ ମଧ୍ୟ ନିଜ ସଂସ୍କୃତିର ସବୁ କିଛି ଉତ୍କୃଷ୍ଟ ଜିନିଷ, ଯଥା- ନୃତ୍ୟ ଓ କାବ୍ୟ କବିତା, ରନ୍ଧନ ପ୍ରଣାଳୀ ଓ ବିଳାସବ୍ୟସନ ବୋଲି ମନେ କରାଯାଉଥିବା ଅନ୍ୟାନ୍ୟ ଦ୍ରବ୍ୟ ଜଗନ୍ନାଥଙ୍କ ସେବାରେ ନିଯୋଗ କରି ଦେଇଛନ୍ତି । ପ୍ରକୃତପକ୍ଷେ ଦେଖିବାକୁ ଗଲେ ବାହାରର ପ୍ରଭାବରେ ପ୍ରଭାବିତ ହୋଇ ନ ଥିବା ଓଡ଼ିଶାର ଜୀବନଯାପନ ପ୍ରଣାଳୀରେ ଯାହା କିଛି ସର୍ବୋତ୍କୃଷ୍ଟ ସେ ସବୁର ରକ୍ଷକ ହେଲେ ଜଗନ୍ନାଥ । ନିଜର ରୋଷଘରେ କଳତିଆରି ଚିନି, ଗୋଲଆଳୁ ବା ବନ୍ଧାକୋବି ଓ ବିଲାତି ବାଇଗଣ ଆଦି ନୂଆ ପ୍ରକାର ଖାଦ୍ୟ-ଉପାଦାନ ସବୁର ବ୍ୟବହାର କଡ଼ାକଡ଼ିଭାବେ ନିଷେଧ କରିବା ଦ୍ୱାରା ଜଗନ୍ନାଥ ଭାରତ ବର୍ଷର ହିନ୍ଦୁ ଦେବଦେବୀଙ୍କ ମଧ୍ୟରେ ସର୍ବାପେକ୍ଷା ଅଧିକ ସ୍ୱଦେଶୀ ଓ ଦେଶପ୍ରେମୀରୂପେ ନିଜକୁ ପରିଚିତ କରାଇ ପାରିଛନ୍ତି ।
ପ୍ରାଚୀନ ତଥା ମଧ୍ୟଯୁଗୀୟ ଓଡ଼ିଆ ସାହିତ୍ୟ ଉପରେ ଜଗନ୍ନାଥ ଧର୍ମର ଗଭୀର ପ୍ରଭାବ ପଡ଼ିଛି । ଓଡ଼ିଶାର ସମ୍ରାଟମାନେ ଜଗନ୍ନାଥଙ୍କୁ ଉପହାର ଦେଇଥିବା ଅନେକ ମୂଲ୍ୟବାନ ମଣିମୁକ୍ତା ‘ତାଙ୍କର’ ଗନ୍ତାଘରୁ ଉଭେଇ ଯାଇଛି । କିନ୍ତୁ ହୃଦୟର ଗଭୀର ଅନୁରକ୍ତି ସହିତ ଓଡ଼ିଶାର କବିମାନେ ନିଜ ରଚନାବଳୀରେ ଜଗନ୍ନାଥଙ୍କ ପ୍ରତି ଯେଉଁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି ତାହା ଶାଶ୍ୱତ ଆଲୋକରେ ଚିର ଉଦ୍ଭାସିତ । ମଧ୍ୟଯୁଗୀୟ ଓଡ଼ିଶାର ସର୍ବଶ୍ରେଷ୍ଠ କବି ଉପେନ୍ଦ୍ରଭଞ୍ଜ, ଯେ କି ଓଡ଼ିଆ ସାହିତ୍ୟରେ ବରେଣ୍ୟ ରୋମାଣ୍ଟିକ କବିରୂପେ ସମ୍ମାନିତ ସେ ନିଜର ‘କୋଟି ବ୍ରହ୍ମାଣ୍ଡସୁନ୍ଦରୀ’ ଗ୍ରନ୍ଥରେ ଜଗନ୍ନାଥଙ୍କ ମହନୀୟ ବ୍ୟକ୍ତିତ୍ୱ ସଂପର୍କରେ ଯାହା କହିଛନ୍ତି ତାହା ଏଠାରେ ଉଲ୍ଲେଖ କରି ପ୍ରବନ୍ଧଟିର ସମାପ୍ତି ଘଟାଇବାଠାରୁ ଏହି ଦୀନ ଲେଖକ ପକ୍ଷରେ ଅଧିକ ସମୀଚୀନ ପ୍ରସ୍ତାବ ନଥାଇପାରେ।
ଉପେନ୍ଦ୍ର ଲେଖିଛନ୍ତି-
ଶୁଣ କୋବିଦେ ଭାରତଖଣ୍ଡେ ପୁଣ୍ୟଧାମ
ଯେଣୁ ନାରାୟଣଦେହୀ, ତେଣୁ ସେହି ନାମ ।
ଯେ ବ୍ରହ୍ମହତ୍ୟା-ପାତକ-ନିପାତକ ମହୀ,
କପାଳ-ମୋଚନ ତ୍ରିଲୋଚନ ସାକ୍ଷୀ ସେହି ।
ଆସି କାଶୀଶ୍ୱର ବାସ କଲେ ଏହା ଜାଣି,
ଅନ୍ୟ କ୍ଷେତ୍ର ସମସ୍ତଙ୍କ ଏ ମସ୍ତକମଣି ।
ଶ୍ରୀମହାପ୍ରସାଦ ଗଦଗଦ ଘଣ୍ଟଘୋଷ,
ଭକ୍ଷଣେ, ଶ୍ରବଣେ ଯେ କିଳବିଷ-ବିଷ ନାଶ ।
ଉନ୍ନତ ପ୍ରାସାଦ ରାଜପତାକା ଉଡ଼ାଇ,
ଏ ପ୍ରଦେଶେ ସମବର୍ତ୍ତୀ ପଣେ ନାହିଁ ନାହିଁ ।
ସେ ଦୁର୍ଗ-ପରିଖା ତୀର୍ଥରାଜ, ଗର୍ଜନରେ,
କହେ, ଅବଗାହେ ପାପବୂ୍ୟହ ଦହନରେ ।
ଦହି ସବୁ ବାଡ଼ିବରେ ଦେବ ଏ ପକାଇ,
ଏ ଦରବଶରୁ ଦୂରୁ ଦୂରିତ ପଳାଇ ।
ସେ କମ୍ବକଟକ ନାମ ରାଜା ଜଗନ୍ନାଥ,
ଚାରିବର୍ଣ୍ଣେ ଚଉବର୍ଗ ଦେବାକୁ ସମର୍ଥ ।
ପାଦେ ବନେ୍ଦ ସାର୍ବଭୌମ ବୋଲିବା କି ଯଶ,
ବୃକ୍ଷାସନଂକର ଶିର ଲାଗିବାକୁ ଆଶ ହେ
ଯାହା କଟାକ୍ଷ-କୁଠାର ପତନ ମାତରେ,
ଅନେକ ଦୁଃଖ-ଅନୋକହକୁ ଛେଦି ପାରେ;
ଭରସା କରି ଆସନ୍ତି ଦୂରଦେଶୁଁ ପ୍ରାଣୀ,
ଆରତ ଭଞ୍ଜନ ଦୀନବଂଧୁ ନାମ ଶୁଣି ।
କରଯୋଡ଼ି ଛାମୁରେ ଜଣାଇ ପକ୍ଷୀଧବ,
ଆର୍ତ୍ତଜନ ଗୁହାରୀକି ସାବଧାନ ହେବ ।
ସ୍ନାନ ଗୁଣ୍ଡିଚା ଏ ବେନି ସ୍ୱୟଂ ଲୀଳା ଯାର,
ପତିତ ପାବନ ଅର୍ଥେ ପ୍ରାସାଦୁଁ ବାହାର ।
ଭାଗ୍ୟରୁ ଏ ବର୍ଣ୍ଣନାକାରକ ମୁଁ ଯେ ହେଲି,
ପୁଲକିତ ଶରୀରେ ହରିରେ ସ୍ତୁତି କଲି,
ଅରି-ଦର-କର ବିଭୋ, ଅରି-ଦର-କର,
ଯୁଗେ ଯୁଗେ ଧର ନାନାବିଧ ଅବତାର!
ଭବ ବିରଞ୍ଚô ପୂଜିତ, ହେ ଭବ-ବିରଞ୍ଚô,
ଶୁଚି କବଳକ ସଦାନନ୍ଦ ସଦା ଶୁଚି ହେ
କବି ଉପଇନ୍ଦ୍ର ତବ କୃପାରେ ହୋଇଛି,
ଏତେ ମନୋରଥ ସାର୍ଥେ କି ସଂଶୟ ଅଛି?
(ଉତ୍ସ: ଉତ୍କଳ ପ୍ରସଙ୍ଗ, ଜୁଲାଇ ୧୯୬୯)