Latest Odisha News

ପଶ୍ଚିମବଙ୍ଗରେ ବ୍ୟାପୁଛି ନିପା ଭାଇରସ, ସତର୍କ ଓଡ଼ିଶା…

ଭୁବନେଶ୍ୱର: ପଶ୍ଚିମବଙ୍ଗର ଏକ ଘରୋଇ ହସ୍ପିଟାଲରେ ଦୁଇ ଜଣ ନର୍ସ ନିପା ଭାଇରସ ରେ ଆକ୍ରାନ୍ତ ହୋଇଥିବା ସୂଚନା ମିଳିବା ପରେ ଓଡ଼ିଶା ମଧ୍ୟ ସତର୍କ ହୋଇଯାଇଛି। କାରଣ ପ୍ରତିଦିନ ବହୁ ମାତ୍ରାରେ ଲୋକ ପଶ୍ଚିମବଙ୍ଗ ଏବଂ ଓଡ଼ିଶା ମଧ୍ୟରେ ଯାତ୍ରା କରୁଛନ୍ତି। ଯାହାକି ଚିନ୍ତାର ବିଷୟ ପାଲଟିଛି।

ବର୍ତ୍ତମାନ ସୁଦ୍ଧା ରାଜ୍ୟରେ କୌଣସି ନିପା ମାମଲା ଚିହ୍ନଟ ହୋଇନଥିଲେ ମଧ୍ୟ ହସ୍ପିଟାଲ ଏବଂ ପରିବହନ କେନ୍ଦ୍ରଗୁଡ଼ିକରେ ନଜର ରଖାଯାଇଥିବା ନେଇ ଓଡ଼ିଶାର ଅଧିକାରୀମାନେ ସୂଚନା ଦେଇଛନ୍ତି। ତେବେ ଉତ୍ତର ୨୪ ପରଗନା ଜିଲ୍ଲାର ବାରସାତରୁ ନଦିଆ ଜିଲ୍ଲାର ଅଖିଳ ଭାରତୀୟ ଚିକିତ୍ସା ପ୍ରତିଷ୍ଠାନ (ଏମ୍ସ) କଲ୍ୟାଣୀକୁ ପଠାଯାଇଥିବା ବଙ୍ଗର ଦୁଇ ନର୍ସଙ୍କ ନମୁନାରେ ଘାତକ ଭାଇରସ ସଂକ୍ରମଣ ଚିହ୍ନଟ କରାଯାଇଛି। ବର୍ତ୍ତମାନ ସେହି ଦୁଇ ଜଣ ନର୍ସଙ୍କ ଅବସ୍ଥା ଗୁରୁତର ଥିବା କୁହାଯାଉଛି। ସେମାନଙ୍କ ମଧ୍ୟରୁ ଜଣେ କୋମାକୁ ଚାଲିଯାଇଥିବା ବେଳେ, ଅନ୍ୟ ଜଣଙ୍କୁ ଭେଣ୍ଟିଲେଟର ସହାୟତାରେ ରଖାଯାଇଛି। ଫଳରେ ସେମାନଙ୍କ ବାସସ୍ଥାନ ନଦିଆ ଏବଂ ବର୍ଦ୍ଧମାନକୁ ହାଇ ଆଲର୍ଟରେ ରଖାଯାଇଥିବା କର୍ତ୍ତୃପକ୍ଷମାନେ ସୂଚନା ଦେଇଛନ୍ତି।ଏଥିସହିତ ସେମାନଙ୍କ ସଂସ୍ପର୍ଶରେ ଆସିଥିବା ସମସ୍ତ ବ୍ୟକ୍ତିଙ୍କୁ ମଧ୍ୟ କ୍ୱାରେଣ୍ଟାଇନ୍ କରାଯାଇଥିବା କୁହାଯାଉଛି।

ତେବେ ନିପା ଭାଇରସ୍ ଏକ ଜୁନୋଟିକ୍ ରୋଗ ଯାହାକି ବାଦୁଡ଼ି ଏବଂ ଘୁଷୁରୀ ଭଳି ପ୍ରାଣୀଙ୍କ ଠାରୁ ସଂକ୍ରମିତ ହୋଇଥାଏ କିମ୍ବା ଦୂଷିତ ଖାଦ୍ୟ କିମ୍ବା ଲାଳ, ମୂତ୍ର, ରକ୍ତ କିମ୍ବା ମଳ ମାଧ୍ୟମରେ ସିଧାସଳଖ ମଣିଷ ସଂସ୍ପର୍ଶରେ ଆସିପାରେ। ଲକ୍ଷଣଗୁଡ଼ିକ ସାଧାରଣତଃ ଜ୍ୱର, ମୁଣ୍ଡବିନ୍ଧା, ଗଳା ଯନ୍ତ୍ରଣା, ଡାଇରିଆ, ବାନ୍ତି, ମାଂସପେଶୀ ଯନ୍ତ୍ରଣା ଏବଂ ନିଶ୍ୱାସ ନେବାରେ କଷ୍ଟ ହୋଇଥାଏ।ଏହି ରୋଗ ଅଧିକ ଗମ୍ଭୀର ହୋଇଗଲେ ଏହା ଦ୍ଵାରା ମଣିଷ କୋମାକୁ ଯାଇପାରେ କିମ୍ବା ମୃତ୍ୟୁ ମଧ୍ୟ ହୋଇପାରେ। ଏଥିରୁ ରକ୍ଷା ପାଇବା ପାଇଁ ସ୍ୱାସ୍ଥ୍ୟ ବିଶେଷଜ୍ଞମାନେ ଜନସାଧାରଣଙ୍କୁ ନିୟମିତ ହାତ ଧୋଇବା, ଫଳ ଖାଇବା ଏଡାଇବା ଏବଂ ବାଦୁଡ଼ି ଓ ଘୁଷୁରୀ ଭଳି ପ୍ରାଣୀଙ୍କ ସହିତ ସଂସ୍ପର୍ଶରେ ନ ଆସିବାକୁ ଅନୁରୋଧ କରୁଛନ୍ତି।

ଓଡ଼ିଶା ସରକାରଙ୍କ ଦ୍ଵାରା ଏପର୍ଯ୍ୟନ୍ତ କୌଣସି ପଦକ୍ଷେପ ନିଆ ନଯାଇଥିଲେ ମଧ୍ୟ ରାଜ୍ୟର ହସ୍ପିଟାଲଗୁଡ଼ିକୁ ସତର୍କ ରହିବା ପାଇଁ କୁହାଯାଇଥିବା ସୂଚନା ମିଳିଛି। ଏଥିସହିତ ସନ୍ଦେହ ଜନକ ମାମଲାଗୁଡ଼ିକ ଉପରେ ନଜର ରଖିବାକୁ ମଧ୍ୟ ନିର୍ଦ୍ଦେଶ ଦିଆଯାଇଛି।

Comments are closed.