ଭୁବନେଶ୍ୱର: ଓଡ଼ିଶା ସମେତ ସାରା ଦେଶରେ କରୋନା ସଂକ୍ରମଣ ବୃଦ୍ଧି ପାଉଥିବା ବେଳେ ରାଜ୍ୟ ସରକାର ଓଡ଼ିଶାର ସମସ୍ତ ହସ୍ପିଟାଲରେ ମାସ୍କ ବ୍ୟବହାରକୁ ବାଧ୍ୟତାମୂଳକ କରିଛନ୍ତି। ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶାଳୟ ପକ୍ଷରୁ ଏକ ନୂଆ ନିର୍ଦ୍ଦେଶନାମା ଜାରି କରାଯାଇ ସମସ୍ତ ସ୍ୱାସ୍ଥ୍ୟସେବା ପ୍ରଦାନକାରୀ ଡ୍ୟୁଟି ସମୟରେ ମାସ୍କ ବାଧ୍ୟତାମୂଳକ କରିବେ ବୋଲି କୁହାଯାଇଛି।
ସଂକ୍ରମଣର ଅଧିକ ସମ୍ଭାବନା ଥିବା ଅଞ୍ଚଳକୁ ଆସୁଥିବା ବ୍ୟକ୍ତି ଓ ଇନଫ୍ଲୁଏଞ୍ଜା ଭଳି ରୋଗରେ ଆକ୍ରାନ୍ତ ବ୍ୟକ୍ତିଙ୍କୁ ମଧ୍ୟ ମାସ୍କ ପିନ୍ଧିବାକୁ ନିର୍ଦ୍ଦେଶ ଦିଆଯାଇଛି।
ଏହାପୂର୍ବରୁ ଏପ୍ରିଲ ଦ୍ବିତୀୟ ସପ୍ତାହରେ କେନ୍ଦ୍ର ସରକାର ସମସ୍ତ ହସ୍ପିଟାଲରେ କରୋନା ପାଇଁ ମକ୍ ଡ୍ରିଲ୍ କରାଇଥିବା ବେଳେ ଆବଶ୍ୟକ ପଦକ୍ଷେପ ନେବାକୁ ରାଜ୍ୟ ସରକାରମାନଙ୍କୁ ନିର୍ଦ୍ଦେଶ ଦେଇଥିଲେ। ଏହାପରେ ଦିଲ୍ଲୀ, ହରିଆଣା, ରାଜସ୍ଥାନ, କେରଳ, ମୁମ୍ବାଇ ଏବଂ ପୁଡୁଚେରୀରେ ହସ୍ପିଟାଲ ଗୁଡିକରେ ନିୟୋଜିତ ଡାକ୍ତର, ନର୍ସ ଆଦି କର୍ମଚାରୀଙ୍କୁ ମାସ୍କ ବ୍ୟବହାର କରିବାକୁ ନିର୍ଦ୍ଦେଶ ଦିଆଯାଇଛି।
ସୂଚନାଯୋଗ୍ୟ, ଗତ ୨୪ ଘଣ୍ଟା ମଧ୍ୟରେ ଓଡ଼ିଶାରେ ୫୦୨ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ଦୈନିକ ଆକ୍ରାନ୍ତଙ୍କ ସଂଖ୍ୟା ୫୦୦ ଟପିଛି। ତେବେ ସଂକ୍ରମଣ ବୃଦ୍ଧି କେବଳ ଓଡ଼ିଶାରେ ନୁହେଁ ଅନ୍ୟ ରାଜ୍ୟ ତଥା ସାରା ଭାରତରେ ବୃଦ୍ଧି ପାଇଛି।
ପୂର୍ବରୁ ଓଡ଼ିଶାରେ ଲଗାତାର ଦୁଇ ଦିନ ଧରି ୪୦୦ରୁ ଅଧିକ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ଗୁରୁବାର ୩୮୭ ଓ ଶୁକ୍ରବାର ୪୩୧ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସଂକ୍ରମଣ ବୃଦ୍ଧି ପାଉଥିବାରୁ ସମସ୍ତ ସ୍ୱାସ୍ଥ୍ୟ ଅଧିକାରୀ ହସ୍ପିଟାଲରେ ଡ୍ୟୁଟି କରିବା ସମୟରେ ମାସ୍କ ପିନ୍ଧିବା ବାଧ୍ୟତାମୂଳକ କରିବାକୁ ସରକାର ନିଷ୍ପତ୍ତି ନେଇଛନ୍ତି। ଯାହା ସଂକ୍ରମଣକୁ ରୋକିବା ଦିଗରେ ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ବୋଲି ବିବେଚନା କରାଯାଉଛି।
Comments are closed.