Latest Odisha News

BREAKING NEWS

[ଭିଡିଓ] ଆଗାମୀ ପୌର ନିର୍ବାଚନ ସମୟରେ ବିରୋଧୀଙ୍କ ଅପପ୍ରଚାର ପାଇଁ ସତର୍କ ରହିବା : ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର : ବିଜେଡିର ପୌର ନିର୍ବାଚନ ପ୍ରସ୍ତୁତି ଆରମ୍ଭ ହୋଇଯାଇଛି ।ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ଆସନ୍ତା ପୌର ନିର୍ବାଚନର ପ୍ରସ୍ତୁତି ସ୍ୱରୂପ ଦଳର ସାଂସଦ , ବିଧାୟକ , ଜିଲ୍ଲା ସଭାପତି ଓ ପର୍ଯ୍ୟବେକ୍ଷକ ମାନଙ୍କ ସହ ଭର୍ଚ୍ୟୁଆଲ ମାଧ୍ୟମରେ କଥା ହୋଇଛନ୍ତି । ଆଗାମୀ ପୌର ନିର୍ବାଚନ ସମୟରେ ବିରୋଧୀଙ୍କ ଅପପ୍ରଚାର ପାଇଁ ସତର୍କ ରହିବା ପାଇଁ ମୁଖ୍ୟମନ୍ତ୍ରୀ ଦଳୀୟ ନେତା ଓ ମନ୍ତ୍ରୀ ମାନଙ୍କୁ ଆହ୍ୱାନ ଦେଇଛନ୍ତି ।

ଓଡିଶାବାସୀ ବିରୋଧୀଙ୍କ କଥାକୁ ଗୁରୁତ୍ବ ଦେଇନାହାନ୍ତି । ଆଗାମୀ ପୌର ନିର୍ବାଚନରେ ମଧ୍ୟ ସେମାନେ ପୁଣିଥରେ ସେହିଭଳି ଅପପ୍ରଚାର କରିବେ । ଲୋକଙ୍କ ଆଗରେ ବିରୋଧୀ ଦଳଙ୍କ ଅପପ୍ରଚାରର ମୁଖା ଖୋଲିବା ହେଉଛି ଆମ ଦଳର ପ୍ରତି କର୍ମୀ ଭାଇଭଉଣୀ ମାନଙ୍କର ଦାୟିତ୍ବ ।”

ମୁଖ୍ୟମନ୍ତ୍ରୀ ଗତ ପଞ୍ଚାୟତ ନିର୍ବାଚନରେ ଦଳର ବିପୁଳ ସଫଳତା ପାଇଁ ମୁଖ୍ୟମନ୍ତ୍ରୀ ଓଡ଼ିଶା ବାସୀ ତଥା ଦଳର କର୍ମୀ ସମସ୍ତ ଙ୍କୁ ଧନ୍ୟବାଦ ଜଣାଇଛନ୍ତି । ମୁଖ୍ୟମନ୍ତ୍ରୀ କହିଥିଲେ ଯେ, “ପଞ୍ଚାୟତ ନିର୍ବାଚନରେ, ଆମର ଏହି ଅସାଧାରଣ ଓ ଅଭୂତପୂର୍ବ ସଫଳତା ପାଇଁ, ମୁଁ ସବୁ ଓଡିଶାବାସୀଙ୍କୁ ଧନ୍ୟବାଦ ଜଣାଉଛି। ଓଡିଶାବାସୀ ପୁଣିଥରେ, ଆମ କାମ ଉପରେ, ଆସ୍ଥା ପ୍ରକାଶ କରିଛନ୍ତି ।

ଏହି ବିଜୟ, ଗଣତାନ୍ତ୍ରିକ ନିର୍ବାଚନରେ ନୂଆ ରେକର୍ଡ ସୃଷ୍ଟି କରିଛି । ପଶ୍ଚିମରୁ ଉପକୂଳ, ଉତ୍ତରରୁ ଦକ୍ଷିଣ, ଓଡିଶାର, ସବୁ ଅଞ୍ଚଳର ଜନସାଧାରଣ, ଏହି ନିର୍ବାଚନରେ ସମାନ ଭାବରେ ବିଜୁ ଜନତା ଦଳକୁ ଆଶୀର୍ବାଦ କରିଛନ୍ତି ।”ଏହି ଆଶୀର୍ବାଦ ଓ ସ୍ନେହ ଆମକୁ ଆହୁରି କଠିନ ପରିଶ୍ରମ କରିବାକୁ ପ୍ରେରଣା ଦେଉଛି ।”

“ମୁଁ ଧନ୍ୟବାଦ ଦେଉଛି ଆମର କର୍ମୀ ଓ ଶୁଭେଚ୍ଛୁ ମାନଙ୍କୁ, ଯେଉଁମାନେ ରାତିଦିନ ଏକ କରି କାମ କରି ନିଜର ସବୁ ସୁଖ ସୁବିଧା ତ୍ୟାଗ କରି ଆମ ସରକାରଙ୍କ ନୀତି ଓ କାର୍ଯ୍ୟକ୍ରମକୁ ଲୋକଙ୍କ ପାଖରେ ପହଞ୍ଚାଉଛନ୍ତି।”

“ଏହି ସଫଳତା ହେଉଛି ଆପଣମାନଙ୍କର ଯେଉଁମାନେ ଘର ଘର ବୁଲି ପ୍ରଚାର କରି ଲୋକଙ୍କୁ ବୁଝାଇଛନ୍ତି। ଏ ସଫଳତା ହେଉଛି ଓଡିଶାବାସୀଙ୍କର, ଯେଉଁମାନେ ଆମର ଗଭର୍ଣ୍ଣାନ୍ସରେ ଆସ୍ଥା ରଖିଛନ୍ତି । ଗଣତନ୍ତ୍ରରେ ଲୋକଙ୍କ ସ୍ବର ହିଁ ଶ୍ରେଷ୍ଠ ଏବଂ ରାଜ୍ୟର ସବୁ ପଞ୍ଚାୟତରେ ଜନମତ ହିଁ ଏହା ପ୍ରମାଣିତ କରିଛି।“ବିଜୁ ଜନତା ଦଳ ଓଡିଶାବାସୀଙ୍କର ଏହି ମତକୁ ନମ୍ରତାର ସହ ଗ୍ରହଣ କରିଛି । ଆମେ ଆମର ଭଲ କାମ ଜାରି ରଖିବୁ ।”

ଆଗାମୀ ପୌର ନିର୍ବାଚନ ସମୟରେ ମଧ୍ୟ ବିରୋଧୀ ଦଳଙ୍କର ଅପପ୍ରଚାର ପ୍ରତି ସତର୍କ ରହିବାକୁ ପରାମର୍ଶ ଦେଇ ମୁଖ୍ୟମନ୍ତ୍ରୀ କହିଥିଲେ ଯେ “ବର୍ତ୍ତମାନ ପୌର ନିର୍ବାଚନର ସମୟ ଆସିଛି । ଆପଣ ଜାଣନ୍ତି, ପଞ୍ଚାୟତ ନିର୍ବାଚନରେ ବିରୋଧୀ ଦଳ କେତେ ଅପପ୍ରଚାର କରିଛନ୍ତି । ମୋ ସରକାରକୁ ବଦନାମ କରିବା ପାଇଁ ମିଛ କାହାଣୀ କହିଛନ୍ତି ଓ ନେଗେଟିଭ୍‌ ରାଜନୀତି କରିଛନ୍ତି।

ବିଜୁ ଜନତା ଦଳର ଆଦର୍ଶ ଓ ସହରାଞ୍ଚଳର ବିକାଶ କାର୍ଯ୍ୟ ସଂପର୍କରେ ସୂଚନା ଦେଇ ମୁଖ୍ୟମନ୍ତ୍ରୀ କହିଥିଲେ ଯେ, ‘ଆମେ ପଜିଟିଭ୍‌ ପଲିଟିକ୍ସରେ ବିଶ୍ବାସ କରୁ। ସକରାତ୍ମକ ରାଜନୀତି। ରୂପାନ୍ତରିଣ ପ୍ରଶାସନ ଏବଂ ଲୋକଙ୍କର ସଶକ୍ତିକରଣ ହେଉଛି ଆମର ହଲ୍‌ମାର୍କ । ସହରାଞ୍ଚଳ‌ରେ ଅନେକ ଭଲ କାମ ହୋଇଛି। ସହରର ଗରିବ ଲୋକଙ୍କ ପାଇଁ ଜାଗା ମିଶନ ଏକ ନୂଆ ବେଞ୍ଚମାର୍କ ସୃଷ୍ଟି କରିଛି ।

ରାସ୍ତାକଡ଼ର ଲାଇଟ୍‌ ଠାରୁ ଆରମ୍ଭ କରି ଇଣ୍ଡୋର ଷ୍ଟାଡିୟମ୍‌, ଭଲ ପିଇବା ପାଣି ଠାରୁ ଆରମ୍ଭ କରି ମର୍ଡେନ ୱେଷ୍ଟ ମ୍ୟାନେଜମ୍ୟାଣ୍ଟ ସିଷ୍ଟମ୍‌, ମିଶନ ଶକ୍ତିର ମା ମାନଙ୍କ ପାଇଁ ରୋଜଗାରର ନୂଆ ନୂଆ ସୁଯୋଗ, ଓ୍ୱାର୍ଡ ସ୍ତରରେ ଭିତ୍ତିଭୂମି ଓ ନାଗରିକ ସୁବିଧା ଏବଂ ଅନ୍‌ଲାଇନରେ ମ୍ୟୁନିସପାଲ ସେବା। ନାଗରିକ ମାନଙ୍କର କଲ୍ୟାଣକୁ ଦୃଷ୍ଟିରେ ରଖି ଆମର ସବୁ କାର୍ଯ୍ୟକ୍ରମ ତିଆରି କରାଯାଇଛି । ବସ୍ତିବାସିନ୍ଦାଙ୍କ ଠାରୁ ଆରମ୍ଭ କରି ଆପାର୍ଟମେଣ୍ଟର ମାଲିକ, ମା ମାନଙ୍କ ଠାରୁ ଆରମ୍ଭ କରି ଶିଶୁ ତଥା ଯୁବସମାଜ ସମସ୍ତଙ୍କ ସଶକ୍ତିକରଣ ପାଇଁ ଆମେ ପ୍ରତିଶ୍ରୁତି ଦେଇ କାମ କରୁଛୁ ।’

ବିରୋଧୀ ଦଳଙ୍କର ମିଛ ତଥା ନେଗେଟିଭ୍ ପଲିଟିକ୍ସ ଆମର ସକରାତ୍ମକ ତଥା ସତ୍‌ ଉଦ୍ୟମ ଜରିଆରେ ହିଁ ମୁକାବିଲା କରିବାକୁ ପଡିବ। ମୋର ପୁରା ବିଶ୍ବାସ, ଏହି ପଞ୍ଚାୟତ ନିର୍ବାଚନରେ ଆପଣମାନେ ଯେପରି କଠିନ ପରିଶ୍ରମ କରିଥିଲେ, ପୌର ନିର୍ବାଚନରେ ମଧ୍ୟ ସେହିପରି ଉଦ୍ୟମ ଜାରି ରଖିବେ । ଆମେ ପୁଣି ଥରେ ଲୋକଙ୍କ ଆସ୍ଥା ଓ ଆଶୀର୍ବାଦ ଲାଭ କରିପାରିବା ଏବଂ ବିରୋଧୀ ଦଳଙ୍କୁ ଦେଖାଇ ଦେବା ମିଛ ଓ ଛଳନାର ରାଜନୀତି ଓଡିଶାରେ କାମ କରିବ ନାହିଁ ।’

ମୁଖ୍ୟମନ୍ତ୍ରୀ କହିଥିଲେ ଯେ, ରାଜନୀତିର ଅର୍ଥ କେବଳ କ୍ଷମତା ନୁହେଁ। ଗୋଟିଏ ଗଣତନ୍ତ୍ରରେ ଲୋକମାନେ ହିଁ ହେଉଛନ୍ତି, କ୍ଷମତାର ସ୍ରୋତ। ରାଜ୍ୟର ସବୁଠାରୁ ଦୁର୍ଗମ ଅଞ୍ଚଳରେ ରହୁଥିବା ସାଧାରଣ ଲୋକଟିର ବିଶ୍ବାସ ହେବା ଦରକାର ଯେ ବିଜୁ ଜନତା ଦଳ ସବୁବେଳେ ତାର କଲ୍ୟାଣ ଏବଂ ତାର ଶକ୍ତିକରଣ ପାଇଁ କାମ କରୁଛି । ଏହି ବାର୍ତ୍ତାକୁ ଲୋକମାନଙ୍କ ପାଖରେ ପହଞ୍ଚାଇବା ପାଇଁ ମୁଖ୍ୟମନ୍ତ୍ରୀ ସମସ୍ତଙ୍କୁ ପରାମର୍ଶ ଦେଇଥିଲେ ।

 

Comments are closed.