ସୁନ୍ଦରଗଡ: ଗତ ମାସରେ ସୁନ୍ଦରଗଡର କେ ବଳଙ୍ଗ ଥାନା ଅନ୍ତର୍ଗତ ବାଙ୍କୋରେ ବିସ୍ଫୋରକ ଭର୍ତି ଏକ ଟ୍ରକ୍ କୁ ପଥର ଖଣି ନିକଟରୁ ଲୁଟ କରିବାକୁ ଚେଷ୍ଟା କରାଯାଉଥିଲା। ସେହି ଘଟଣାରେ ପୋଲିସ ଜର୍ଜ ମୁଣ୍ଡା ନାମକ ଜଣେ ବ୍ୟକ୍ତିକୁ ଗିରଫ କରିଥିବା ବେଳେ ମାଓବାଦୀ ସହ ସଂପୃକ୍ତି ଥିବା ନେଇ ସନ୍ଦେହ କରାଯାଉଛି।
ଗିରଫ ହୋଇଥିବା ବ୍ୟକ୍ତି ଜଣକ କୁଲୁ ମୁଣ୍ଡା ଗ୍ରାମର ବାସିନ୍ଦା ବୋଲି ଚିହ୍ନଟ କରାଯାଇଛି। ଏପରିକି ଅଭିଯୁକ୍ତ ଜଣକ ଲୁଟରେ ସାମିଲ ରହିବା ସହ ସେହି ଅଞ୍ଚଳରେ ବିସ୍ଫୋରକ ଗତିବିଧି ବିଷୟରେ ମାଓବାଦୀଙ୍କୁ ସୂଚନା ଦେଇଥିବା ଅଭିଯୋଗ ହୋଇଛି। ଜୁନ୍ ୧ ତାରିଖରେ ବାଲୁଘାଟ ନିକଟ ଦେଓଗାଁରେ ଏକ ପେଟ୍ରୋଲ ପମ୍ପ ବାହାରେ ଦୁଇଟି ବିସ୍ଫୋରକ ବୋଝେଇ ଟ୍ରକ୍ ପାର୍କିଂ ହୋଇଥିବା ଦେଖିବାକୁ ମିଳିଥିଲା।ଯାହାପରେ ପୋଲିସ ଶ୍ରବଣ ଅଗ୍ରୱାଲ ଏବଂ ତାଙ୍କ ପତ୍ନୀ ନିକିତା ଅଗ୍ରୱାଲଙ୍କୁ ଗିରଫ କରିଥିଲା ଓ କଡାକଡି ଭାବେ ପଚରାଉଚରା ପରେ ସେମାନେ ଏହାକୁ ନେଇ ମୁହଁ ଖୋଲିଥିଲେ।
ଅତିରିକ୍ତ ଏସପିଙ୍କ ନେତୃତ୍ୱରେ ଏକ ତଦନ୍ତ ଟିମ୍ ଫୋରେନସିକ୍ ଆନାଲିସିସ ସହ ଟେଲିକମ୍ ଯାଞ୍ଚ କରିଥିଲା। ପଚରାଉଚରା ପରେ ଓଡ଼ିଶା-ଝାଡ଼ଖଣ୍ଡ ସୀମାରୁ ଏହି ବିସ୍ଫୋରକ ଜବତ କରିଥିଲା। ପଥର ଖଣିକୁ ବିରୋଧ କରୁଥିବା ଜର୍ଜ ମୁଣ୍ଡା ମାଓବାଦୀଙ୍କ ସହ ମିଶି ସମସ୍ତ ପ୍ରକାର ଡକାୟତି ରେ ସେମାନଙ୍କୁ ସାହାଯ୍ୟ କରୁଥିବା ନେଇ ଡିଆଇଜି (ୱେଷ୍ଟ ରେଞ୍ଜ) ବ୍ରିଜେଶ କୁମାର ରାୟ କହିଛନ୍ତି। ତେବେ ଏହି ଆକ୍ରମଣ ରେ ଆଉ କେତେ ଜଣ ଷଡ଼ଯନ୍ତ୍ରକାରୀ ଜଡ଼ିତ ଅଛନ୍ତି ସେନେଇ ପଚରାଉଚରା ଜାରି ରହିଛି।
ଏହି ସମସ୍ତ ବିସ୍ଫୋରକ ଲୁଟ ପଛରେ ମାଓବାଦି ଅନମୋଲ ଓରଫ ଲାଲଚାନ୍ଦ ହେମ୍ବ୍ରମଙ୍କ ନେତୃତ୍ୱରେ ଥିବା ଏକ ଗୋଷ୍ଠୀର ହାତ ଥିବା ନେଇ ତଦନ୍ତରୁ ଜଣାପଡ଼ିଛି। ଛତିଶଗଡ଼ର ଆବୁଝମାଡ ପରେ ସୁରକ୍ଷା ବାହିନୀ ସାରାଣ୍ଡା ଜଙ୍ଗଲ ଉପରେ ନିଜର ଧ୍ୟାନ କେନ୍ଦ୍ରିତ କରିବା ନେଇ ମାଓବାଦୀ ମାନେ ସନ୍ଦେହ କରୁଥିଲେ।ତେଣୁ ସେମାନେ ହତାଶ ହୋଇ ଏପରି କାର୍ଯ୍ୟ କରୁଥିଲେ। ଅପରପକ୍ଷରେ କେନ୍ଦ୍ର ସରକାର ମାର୍ଚ୍ଚ ୨୦୨୬ ସୁଦ୍ଧା ମାଓବାଦକୁ ସମ୍ପୂର୍ଣ୍ଣ ରୂପେ ହଟାଇବା ପାଇଁ ଅଭିଯାନ ଚଳାଇଛନ୍ତି।
Comments are closed.