Latest Odisha News

BREAKING NEWS

ଫେକ୍ ଚାକିରି ରାକେଟର ପର୍ଦ୍ଦାଫାସ, ଆନ୍ଧ୍ରପ୍ରଦେଶରୁ ୩ ଗିରଫ

ବ୍ରହ୍ମପୁର: ଗଞ୍ଜାମ ଜିଲ୍ଲାରେ ନକଲି ଚାକିରି ରାକେଟ୍ ଚଳାଉଥିବା ଅଭିଯୋଗରେ ଆନ୍ଧ୍ରପ୍ରଦେଶର ୩ ଜଣଙ୍କୁ ପୁଲିସ ଗିରଫ କରିଛି। ଗିରଫ ଅଭିଯୁକ୍ତମାନେ ହେଲେ ଚିନାପାଣି ମୋହନ ରେଡ୍ଡୀ (୪୮), ପୋଟାନାପଲ୍ଲୀ ସୀମାଞ୍ଚଳମ୍ (୪୦) ଓ ତାଡେଲା ଧିଲେଶ୍ୱର ରାଓ (୩୫)।

ପୁଲିସ କହିଛି ଯେ ଅଭିଯୁକ୍ତମାନେ କେନିଆରେ ଚାକିରି ଦେବାର ପ୍ରତିଶ୍ରୁତି ଦେଇ ଅନେକ ଚାକିରି ଆଶାୟୀଙ୍କୁ ଲକ୍ଷ ଲକ୍ଷ ଟଙ୍କା ଠକି ନେଇଥିଲେ। ସେମାନେ ଗତ ବର୍ଷ ଅକ୍ଟୋବରରୁ ପ୍ରାର୍ଥୀଙ୍କଠାରୁ ୯୨ଟି ପାସପୋର୍ଟ ଏବଂ ୯.୭୦ ଲକ୍ଷ ଟଙ୍କା ସଂଗ୍ରହ କରିଥିଲେ। ସେମାନେ ପାସପୋର୍ଟ ଫେରାଇବା ପାଇଁ ପ୍ରତ୍ୟେକ ପ୍ରାର୍ଥୀଙ୍କ ଠାରୁ ୨୫ ହଜାର ଟଙ୍କା ମାଗିଥିଲେ।

ଗତ ଫେବ୍ରୁଆରି ୫ ତାରିଖରେ ପ୍ରଭାତ ଦଳାଇ ନାମକ ଜଣେ ବ୍ୟକ୍ତି ଗୋସାଣିନୁଆଗାଁ ଥାନାରେ ଅଭିଯୋଗ କରିବା ପରେ ଏହି ରାକେଟ୍ ପଦାକୁ ଆସିଥିଲା। ସେ ଅଭିଯୋଗ କରିଛନ୍ତି ଯେ ଗୋଳନ୍ଥରାର ବାସିନ୍ଦା ବୋଲି ଦାବି କରୁଥିବା ମୋହନ ରେଡ୍ଡୀ ତାଙ୍କ ଏବଂ ଅନ୍ୟ ପ୍ରାର୍ଥୀଙ୍କଠାରୁ ଟଙ୍କା ଏବଂ ପାସପୋର୍ଟ ନେଇଥିଲେ, କିନ୍ତୁ ସେମାନଙ୍କୁ କେନିଆକୁ ବିମାନ ଟିକେଟ୍ ଦେଇନଥିଲେ। ଅଭିଯୁକ୍ତମାନେ ସେମାନଙ୍କୁ ନିଯୁକ୍ତି ଭିସା ପରିବର୍ତ୍ତେ ଏକ କମ୍ପାନିର ଅଫର ଲେଟର ଓ ଟୁରିଷ୍ଟ ଭିସା ଦେଇଥିଲେ।

ପୋଲିସ ଦଫା ୪୨୦/୨୯୪ ଆଇପିସି ରେ ଏକ ମାମଲା ରୁଜୁ କରି ବିଶାଖାପାଟଣାରୁ ତିନି ଜଣଙ୍କୁ ଗିରଫ କରିଛି। ସେମାନଙ୍କ ଠାରୁ ପାସପୋର୍ଟ, ଆବେଦନକାରୀଙ୍କ ସୂଚନା, ଆର୍ଥିକ କାରବାରର ସ୍କ୍ରିନ୍ ସଟ୍ ଓ କେନିଆ ପକ୍ଷରୁ ଜାରି ହୋଇଥିବା ୨୦ଟି ଟୁରିଷ୍ଟ ଭିସା ଜବତ କରାଯାଇଛି। ଅଫର ଲେଟର ଜାରି କରିଥିବା କମ୍ପାନୀର ସତ୍ୟତା ଯାଞ୍ଚ କରୁଛି ପୋଲିସ ।

Comments are closed.