Latest Odisha News

BREAKING NEWS

ବର୍ଷା ଦିନେ ବିଦ୍ୟୁତ ଖୁଣ୍ଟ, ଟ୍ରାନ୍ସଫର୍ମରଠାରୁ ଦୂରେଇ ରୁହ, ପୋଲିସ କଲା ସତର୍କ

ଭୁବନେଶ୍ୱର: ଲଘୁଚାପ ପ୍ରଭାବରେ ଦୁଇଦିନ ଧରି ରାଜ୍ୟରେ ଲଗାଣ ବର୍ଷା ଜାରି ରହିଛି। ଏହାର ପ୍ରଭାବରେ ଜନଜୀବନ ଅସ୍ତବ୍ୟସ୍ତ ହୋଇପଡ଼ିଛି। ପ୍ରବଳ ବର୍ଷା ନେଇ ୪ ଜିଲ୍ଲାକୁ ରେଡ୍ ୱାର୍ଣ୍ଣିଂ ଦେଇଛି ପାଣିପାଗ ବିଭାଗ। ବର୍ଷା ଯୋଗୁଁ ଟ୍ରାଫିକ ସମସ୍ୟା ଦେଖାଦେଇଛି। ଅନ୍ୟପଟେ ରାସ୍ତା ଘାଟରେ ଚଳାଚଳ ବେଳେ ବିଦ୍ୟୁତ ଖୁଣ୍ଟ, ଟ୍ରାନ୍ସଫର୍ମରଠାରୁ ଦୂରେଇ ରୁହିବାକୁ ଓଡିଶା ପୋଲିସ ସାବଧାନ କରିଛି।

BjdElectrycity

ଲଗାଣ ବର୍ଷାକୁ ଦୃଷ୍ଟିରେ ରଖି ଓଡ଼ିଶା ପୋଲିସ ସୋସିଆଲ ମିଡିଆ ଟ୍ୱିଟରରେ ଏକ ପୋଷ୍ଟ ସେୟାର କରିଛି। ଟ୍ୱିଟର ଜରିଆରେ କୁହାଯାଇଛି ଯେ, ବର୍ଷା ଦିନରେ ବିଦ୍ୟୁତ ଖୁଣ୍ଟ, ଟ୍ରାନ୍ସଫର୍ମର ଓ ଷ୍ଟ୍ରୀଟ ଲାଇଟଠାରୁ ଦୂରେଇ ରହିବାକୁ ସତର୍କତା ଜାରି କରାଯାଇଛି। କାରଣ ବିଦ୍ୟୁତ ସରବରାହ ଏବଂ ବର୍ଷା ପାଣିର ସଂଯୋଗ ଫଳରେ ସେଗୁଡିକ ଆପେ ଆପେ ଚାର୍ଜ ହୋଇଯାଇଥାଏ। ଫଳରେ ସ୍ପର୍ଶ କରିବା ମାତ୍ରେ ବିଦ୍ୟୁତ ଆଘାତ ଲାଗି ଜୀବନ ଚାଲିଯିବାର ସମ୍ଭାବନା ମଧ୍ୟ ରହିଥାଏ। ଜରୁରୀକାଳୀନ ସାହାଯ୍ୟ ପାଇଁ ଓଡ଼ିଶା ପୋଲିସ ପକ୍ଷରୁ ହେଲ୍ପଲାଇନ ନମ୍ବର ୧୧୨ ଜାରି କରାଯାଇଛି।

ସୂଚନା ଥାଉକି, ଆଜି ଉତ୍ତର ଓ ପଶ୍ଚିମ ଓଡ଼ିଶାର ୧୬ଟି ଜିଲ୍ଲାକୁ ବର୍ଷା ପାଇଁ ସତର୍କ ସୂଚନା ଜାରି ହୋଇଛି। ସେହିପରି ଲଗାଣ ବର୍ଷା ପାଇଁ ଆଜି ୫ ଜିଲ୍ଲା କେନ୍ଦୁଝର, ବଲାଙ୍ଗିର, ନୂଆପଡ଼ା, କଳାହାଣ୍ଡି, ସୁବର୍ଣ୍ଣପୁରରେ ସବୁ ସରକାରୀ ଓ ବେସରକାରୀ ସ୍କୁଲ ଛୁଟି ଘୋଷଣା କରାଯାଇଛି।

Leave A Reply

Your email address will not be published.