Latest Odisha News

BREAKING NEWS

ଦାବି ଶୁଣୁ ନାହାନ୍ତି ସରକାର: ଆଜିଠୁ ସମୂହ ଛୁଟିରେ ଯିବେ ରାଜ୍ୟର ୧ଲକ୍ଷ ୩୦ହଜାର ଶିକ୍ଷକ ଶିକ୍ଷୟିତ୍ରୀ

ଭୁବନେଶ୍ବର: ଦିନକୁ ଦିନ ତୀବ୍ର ହେବାରେ ଲାଗିଛି ପ୍ରାଥମିକ ଶିକ୍ଷକଙ୍କ ଆନ୍ଦୋଳନ । ଗତ କିଛି ଦିନ ହେବ ଆନ୍ଦୋଳନ କରୁଛନ୍ତି ରାଜ୍ୟର ୧ ଲକ୍ଷ ୩୦ ହଜାର ଶିକ୍ଷକ ଶିକ୍ଷୟିତ୍ରୀ । ୪ ଦିନ ହେଲାଣି ଏମାନେ କାର୍ଯ୍ୟରେ ଯୋଗଦେଇନାହାନ୍ତି । ଫଳରେ ସ୍କୁଲରେ ପାଠପଢା ଏକପ୍ରକାର ଠପ୍ ହୋଇଯାଇଛି । ଶିକ୍ଷକଙ୍କୁ ଆନ୍ଦୋଳନରୁ ହଟିବା ପାଇଁ ବିଭାଗ ଅପିଲ କରିଛି ହେଲେ ବି ଶିକ୍ଷକ ମାନେ ନିଜ ଜିଦରୁ ଓହରି ନାହାନ୍ତି  । ଦାବି ପୂରଣ ପାଇଁ ମୁଖ୍ୟମନ୍ତ୍ରୀ ପଦକ୍ଷେପ ନିଅନ୍ତୁ ଓ ପ୍ରତିଶ୍ରୁତି ଦିଅନ୍ତୁ ବୋଲି ଦାବି କରିଛନ୍ତି । ନହେଲେ ଆଜିଠୁ ରାଜ୍ୟର ୧ ଲକ୍ଷ ୩୦ ହଜାର ଶିକ୍ଷକ ଶିକ୍ଷୟିତ୍ରୀ ସମୂହ ଛୁଟିରେ ଯିବେ ବୋଲି ଚେତାବନୀ ଦେଇଛନ୍ତି  ।  ସ୍କୁଲ ଆସିବେ ନାହିଁ କି ତାଲା ଖୋଲିବେ ନାହିଁ।

ଜିଲ୍ଲା ଓ ବ୍ଲକ ଶିକ୍ଷା ଅଧିକାରୀଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣାରେ ବସିବେ । ଏହା ଦ୍ୱାରା ୪୦ ଲକ୍ଷ ପିଲାଙ୍କ ପାଠପଢା ପ୍ରଭାବିତ ହେବ  । ଏବଂ ପିଲାଙ୍କର ଯେଉଁ କ୍ଷତି ହେବ , ସେଥିପାଇଁ ରାଜ୍ୟ ସରକାର ଦାୟୀ ରହିବେ ବୋଲି କହିଛନ୍ତି ଆନ୍ଦୋଳନରତ ଶିକ୍ଷକ ଶିକ୍ଷୟିତ୍ରୀ । ପ୍ରାଥମିକ ଶିକ୍ଷକଙ୍କୁ କେନ୍ଦ୍ରୀୟ ହାରରେ ଦରମା, କଳା ଓ କ୍ରୀଡ଼ା ଶିକ୍ଷକଙ୍କ କ୍ଷେତ୍ର କ୍ୟାରିଅର ଆଡଭାନ୍ସମେଂଟ ପଲିସି ଲାଗୁ, ଜୁନିଅର ଶିକ୍ଷକଙ୍କୁ ନିୟମିତ ମାନ୍ୟତା ଆଦି ଦାବି ନେଇ ଗତ ଶୁକ୍ରବାରଠାରୁ ଶିକ୍ଷକ ଶିକ୍ଷୟିତ୍ରୀ ମାନେ ଆନ୍ଦୋଳନ କରୁଛନ୍ତି । ଆନ୍ଦୋଳନ ପାଇଁ ସ୍କୁଲରେ ତାଲା ପଡିବା ପରେ ଗତକାଳି ସରକାର ଶିକ୍ଷକ ମାନଙ୍କ ସହ ଆଲୋଚନା କରିଛନ୍ତି  । କିନ୍ତୁ ଆଲୋଚନା ଏକ ପ୍ରକାର ବିଫଳ ହେବା ପରେ ଆନ୍ଦୋଳନ ଜାରି ରହିବା ନେଇ ଷ୍ଟିୟରିଂ କମିଟିରେ ନିଷ୍ପତ୍ତି ହୋଇଥିବା ଜଣାପଡିଛି  । ସେପଟେ ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ କହିଛନ୍ତି ସରକାର ଶିକ୍ଷକଙ୍କ ଦାବି ନେଇ ଅବଗତ ଅଛନ୍ତି। ସବୁ ଦିଗକୁ ଦେଖିବା ପରେ ନିଷ୍ପତ୍ତି ହେବ।

Leave A Reply

Your email address will not be published.