ଭୁବନେଶ୍ୱର: ରାଜ୍ୟର ପ୍ରାଥମିକ ବିଦ୍ୟାଳୟ ଶିକ୍ଷକମାନେ ସେମାନଙ୍କ ଦାବିକୁ ତର୍ଜମା କରାଯାଉଥିବାରୁ ଆନ୍ଦୋଳନ ପ୍ରତ୍ୟାହାର ପାଇଁ ରାଜ୍ୟ ସରକାର ନିବେଦନ କରିବା ପରେ ମଧ୍ୟ ଆନ୍ଦୋଳନ ଜାରି ରଖିବାକୁ ନିଷ୍ପତ୍ତି ନେଇଛନ୍ତି।
ସରକାରଙ୍କ ଅପିଲ ପରେ ମଙ୍ଗଳବାର ପ୍ରାଥମିକ ବିଦ୍ୟାଳୟ ଶିକ୍ଷକ ସଙ୍ଘର ଷ୍ଟିଅରିଂ କମିଟି ବୈଠକରେ ଏହି ନିଷ୍ପତ୍ତି ନିଆଯାଇଛି। ଆନ୍ଦୋଳନ ଯୋଗୁଁ ରାଜ୍ୟର ପ୍ରାୟ 10 ହଜାର ପ୍ରାଥମିକ ଓ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଛାତ୍ରଛାତ୍ରୀଙ୍କ ପାଠପଢ଼ା ପ୍ରଭାବିତ ହୋଇଛି।
ଗତ 8 ତାରିଖରୁ ଗଣ ଛୁଟିରେ ଥିବା ଶିକ୍ଷକମାନେ କହିଛନ୍ତି, ସୋମବାର ସରକାରଙ୍କ ସହ ଆଲୋଚନାରେ କୌଣସି ସନ୍ତୋଷଜନକ ଫଳ ନମିଳିବାରୁ ସେମାନେ ଆନ୍ଦୋଳନ ଜାରି ରଖିବାକୁ ନିଷ୍ପତ୍ତି ନେଇଛନ୍ତି।
ଶିକ୍ଷକମାନଙ୍କ ଦାବିକୁ ତର୍ଜମା କରିବା ପାଇଁ ସରକାର ଏକ 5 ଜଣିଆ ସବ୍ କମିଟି ଗଠନ କରିଛନ୍ତି ବୋଲି ଶିକ୍ଷକମାନଙ୍କୁ ନିବେଦନ କରିଛନ୍ତି। ଏହି ସବ୍ କମିଟି ଦାବିଗୁଡ଼ିକୁ ଅନୁଧ୍ୟାନ କରିବା ପରେ ଆନ୍ତଃମନ୍ତ୍ରଣାଳୟ କମିଟିକୁ ରିପୋର୍ଟ ପ୍ରଦାନ କରିବ ଏବଂ ତା’ପରେ ସରକାର ଚୂଡ଼ାନ୍ତ ନିଷ୍ପତ୍ତି ନେବେ। କହିରଖୁଛୁ, ସମାନ କାମକୁ ସମାନ ଦରମା ସହ ତିନି ଦଫା ଦାବି କରି ପ୍ରାଥମିକ ଶିକ୍ଷକ ଓ ଶିକ୍ଷୟତ୍ରୀ ଆନ୍ଦୋଳନରେ ବସିଛନ୍ତି।
Comments are closed.