Latest Odisha News

ପ୍ରଶ୍ନପତ୍ର ପ୍ରଘଟ ମାମଲା, ମାଷ୍ଟରମାଇଣ୍ଡକୁ ଖୋଜିବାକୁ ୨ ରାଜ୍ୟକୁ ଗଲା ପୋଲିସ ଟିମ୍

ବାଲେଶ୍ୱର: ରାଜ୍ୟ ବାହାରକୁ ଗଲା ୫ଟି ପୋଲିସ ଟିମ୍ । ଓଡ଼ିଶା ଷ୍ଟାଫ୍ ସିଲେକ୍ସନ୍ ଦ୍ୱାରା ପରିଚାଳିତ ଜେଇ (ସିଭିଲ୍) ମେନ୍ ପ୍ରଶ୍ନପତ୍ର ପ୍ରଘଟ ମାମଲାର ମାଷ୍ଟରମାଇଣ୍ଡକୁ ଧରିବା ଲାଗି ଓଡ଼ିଶା ପୋଲିସର ୫ଟି ଟିମ୍ ୨ଟି ରାଜ୍ୟକୁ ଯାଇଛନ୍ତି ।

ପ୍ରଶ୍ନପତ୍ର ଲିକ୍ ରାକେଟରେ ସମ୍ପୃକ୍ତ ୯ ଜଣଙ୍କୁ ପୂର୍ବରୁ ପୋଲିସ ଗିରଫ କରିଛି । ଏକାଧିକ ଅଟକ ଅଛନ୍ତି । ପୋଲିସ ଏବେ ସେମାନଙ୍କୁ ଜେରା କରୁଥିବା ବେଳେ ଆଗକୁ ବଢ଼ିପାରେ ଗିରଫଦାରୀ । ମାଷ୍ଟରମାଇଣ୍ଡ ବାହାର ରାଜ୍ୟର ହୋଇଥିବା ସୂଚନା ଦେଇ ବାଲେଶ୍ୱର ଏସପି ସାଗରିକା ନାଥ କହିଛନ୍ତି, ରାକେଟରେ ସମ୍ପୃକ୍ତ ଅନ୍ୟ ମାନଙ୍କୁ ଖୋଜିବା ଲାଗି ପୋଲିସର ଅଲଗା ଟିମ୍ ୨ଟି ରାଜ୍ୟକୁ ପଠାଯାଇଛି ।

ତେବେ ପ୍ରଶ୍ନପତ୍ର ଲିକ୍ ମାମଲାରେ ଓଏସ୍ଏସସିର କାହାରି ସମ୍ପୃକ୍ତି ଥିବା ଏବେ ଯାଏ ତଦନ୍ତରୁ ଜଣାପଡ଼ି ନଥିବା କହିଛନ୍ତି ବାଲେଶ୍ୱର ଏସପି । ଯେଉଁମାନେ ବି ରାକେଟରେ ସମ୍ପୃକ୍ତ ସମସ୍ତେ ରାଜ୍ୟ ବାହାରର ବୋଲି ସୂଚନା ଦେଇଛନ୍ତି । ଏବେ ମାଷ୍ଟରମାଇଣ୍ଡକୁ ଧରିବାକୁ ପୋଲିସ ଛାନଭିନ୍ ଜାରି ରଖିଛି ।

ପ୍ରଶ୍ନପତ୍ର ପ୍ରଘଟ ମାମଲାରେ ପୋଲିସ ଏକାଧିକ ଆବେଦନକାରୀଙ୍କୁ ମଧ୍ୟ ଜେରା କରିଛି । ରାକେଟ୍ ସହ ଆବେଦନକାରୀ କିଭଳି ଯୋଗାଯୋଗ କଲେ ? କିଏ ମଧ୍ୟସ୍ଥି ସାଜିଥିଲା ? ସବୁ କିଛି ଜାଣିବା ପାଇଁ ଆବେଦନକାରୀଙ୍କ ତଥ୍ୟ ପୋଲିସ ମାଗିଛି ।

ସୂଚନା ଅନୁସାରେ, ଜେଇ (ସିଭିଲ୍) ଲିଖିତ ପରୀକ୍ଷା ପୂର୍ବରୁ ଆବେଦନକାରୀଙ୍କୁ କିଛି ଦଲାଲ୍ ଯୋଗାଯୋଗ କରିଥିଲେ । ଆଶ୍ୱାସନା ଦେଇଥିଲେ ୧୦ ଲକ୍ଷରୁ ୧୫ ଲକ୍ଷ ଚେକ୍ ମାଧ୍ୟମରେ ଦେଲେ ପ୍ରଶ୍ନପତ୍ର ଯୋଗାଇ ଦେବେ । ଆବେଦନକାରୀଙ୍କୁ ବାଲେଶ୍ୱର ଡାକିବା ସହ ଦଲାଲ୍ ମୂଳ କାଗଜପତ୍ର, ମୋବାଇଲ୍ ଫୋନ୍ ସହ ହସ୍ତାକ୍ଷର କରାଯାଇଥିବା ସାଧା ଚେକ୍ ନେଇଥିଲେ ।

ପ୍ରଶ୍ନପତ୍ର ଲିକ୍ ହେବା ଜଣାପଡ଼ିବା ପରେ ଓଏସଏସସି ଜେଇ (ସିଭିଲ୍) ଲିଖିତ ପରୀକ୍ଷା ବାତିଲ୍ କରିଥିଲା । ଜୁଲାଇ ୧୬ରେ ହେବାର ଥିଲା ଲିଖିତ ପରୀକ୍ଷା ।

Leave A Reply

Your email address will not be published.