Latest Odisha News

BREAKING NEWS

ସୀମା ପାର ପ୍ରେମ କାହାଣୀ: ପାକିସ୍ତାନରେ ଧର୍ମ ପରିବର୍ତ୍ତନ କରି ଫେସବୁକ ବନ୍ଧୁଙ୍କୁ ବିବାହ କଲେ ଅଞ୍ଜୁ

ନୂଆଦିଲ୍ଲୀ: ସୋସିଆଲ ମିଡିଆରେ ଏବେ ବେଶ ଚର୍ଚ୍ଚାର ବିଷୟ ହୋଇଛି ଦୁଇ ମହିଳା ସୀମା-ଅଞ୍ଜୁଙ୍କ ପ୍ରେମ କାହାଣୀ । ଦୁଇ ମହିଳାଙ୍କର ଏହି ସୀମାପାର ପ୍ରେମ ବେଶ ମନୋରଞ୍ଜନର ଖୋରାକ ଯୋଗାଇଛି । ଜଣେ ନିଜ ଜନ୍ମାମାଟି, ସ୍ୱାମୀ, ଘର ସଂସାର ଛାଡି  ପାକିସ୍ତାନରୁ ଭାରତ ପଳାଇ ଆସିଛି । ଅନ୍ୟଜଣେ ଭାରତରେ ଥିବା ତାଙ୍କର ସୁନ୍ଦର ସଂସାର ଛାଡି ପାକିସ୍ତାନ ପଳାଇଛନ୍ତି । ଏହି ଦୁଇ ମହିଳାଙ୍କ ମଧ୍ୟରୁ  ବେଆଇନ ଭାବେ ସୀମା ପାର କରିଥିବା ସୀମା ହାଇଦର ଏବେ ଭାରତରେ ଆଇନ ଚକ୍ରବ୍ୟୁହ ଭିତରେ ଏକ ପ୍ରକାର ଫସି ଯାଇଛନ୍ତି । ଅନ୍ୟ ପକ୍ଷେ ପାକିସ୍ତାନ ଯାଇଥିବା ଭାରତୀୟ ମହିଳା ଅଞ୍ଜୁ ସେଠାରେ ନିଜ ପ୍ରେମିକଙ୍କ ସହ ବେଶ ରୋମାନ୍ସ କରୁଥିବା ଦୃଶ୍ୟ ନଜରକୁ ଆସିଛି।

ଅଞ୍ଜୁ ସେଠାରେ ଧର୍ମ ପରିବର୍ତ୍ତନ କରି ହୋଇଛନ୍ତି ଫାତିମା । ଏପରିକି ସେ ଧର୍ମ ପରିବର୍ତ୍ତନ କରି ସେଠାରେ ତାଙ୍କ ପ୍ରେମିକ ନସରୁଲ୍ଲାଙ୍କୁ ବିବାହ କରିଥିବା ଶୁଣିବାକୁ ମିଳିଛି । ଅଞ୍ଜୁ ଓ ନସରୁଲ୍ଲାଙ୍କ ସମ୍ପର୍କ ଫେସବୁକରୁ । ତା’ ପର ପ୍ରେମ । ଅଞ୍ଜୁ ଭାରତରୁ ଭିସା, ପାସପୋର୍ଟ ନେଇ ପାକିସ୍ତାନ ଯାଇଥିଲେ । ଯିବାବେଳେ ସେ କହିଥିଲେ, ତାଙ୍କ ବନ୍ଧୁଙ୍କୁ ଭେଟିବାକୁ ଯାଉଛନ୍ତି । କିଛି ଦିନ ପରେ ଫେରି ଆସିବେ ।

ଅଞ୍ଜୁ ଖ୍ରୀଷ୍ଟିଆନ ସଂପ୍ରଦାୟର ଏବଂ ବିବାହିତା ମଧ୍ୟ । ତାଙ୍କର ଦୁଇ ସନ୍ତାନ ମଧ୍ୟ ଅଛନ୍ତି । ପାକ ମିଡିଆ ରିପୋର୍ଟ ଅନୁସାରେ, ଧର୍ମ ପରିବର୍ତ୍ତନ ପରେ ଅଞ୍ଜୁଙ୍କ ଇସଲାମିକ ନାଁ ଫାତିମା ରଖା ଯାଇଥିଲା । ଉଭୟଙ୍କର ବିବାହ ଡିଷ୍ଟିକ କୋର୍ଟରେ ହୋଇଛି । ମାଲକୁନ୍ଦ ଡିଭିଜନ ଡିଆଇଜି ନାସିର ମହମ୍ମୁଦ ଦସ୍ତୀ ଅଞ୍ଜୁ ଏବଂ ନସରୁଲ୍ଲାହଙ୍କ ବିବାହ ସମ୍ପର୍କିତ ଖବର ଦେଇଛନ୍ତି । ସେମାନଙ୍କର ବିବାହ ମାଲକୁନ୍ଦ ଅଦାଲତରେ ହୋଇଥିଲା । ଏହାପରେ ଅଞ୍ଜୁଙ୍କୁ ପୋଲିସ ସୁରକ୍ଷା ମଧ୍ୟରେ ଘରେ ପହଞ୍ଚା ଯାଇଥିଲା ।

ତେବେ ବିବାହ ଖବରକୁ ଅସ୍ୱୀକାର କରିଛନ୍ତି ନିଜେ ନସରୁଲ୍ଲା । ଏପରିକି ଅଞ୍ଜୁ ତାଙ୍କର ଭଲ ବନ୍ଧୁ ଏବଂ ତାଙ୍କ ସହ ପ୍ରେମ ସମ୍ପର୍କ ନାହିଁ ବୋଲି ସେ କହିଛନ୍ତି । ଉଭୟଙ୍କ ନିକାହନାମା ସାମ୍ନାକୁ ଆସିଥିବାବେଳେ ନସରୁଲ୍ଲାହଙ୍କ ଅସ୍ୱୀକାର ଅନେକ ପ୍ରଶ୍ନବାଚୀ ସୃଷ୍ଟି କରିଛି ।

ଯାହା ବି ହେଉ, କୋର୍ଟରେ ଦୁହେଁ ବିବାହ କରିଥିବାର ପ୍ରମାଣ ପତ୍ର ସାମ୍ନାକୁ ଆସିଛି। ଏହା ସହ ଦୁହିଁଙ୍କର ଏକ ଭିଡିଓ ଭାଇରାଲ ହେଉଛି, ଯେଉଁଥିରେ ଲେଖାଯାଇଛି ଅଞ୍ଜୁ ୱେଡସ୍ ନସରୁଲ୍ଲା। ତେଣୁ ଉଭୟ ବିବାହ କରିଥିବା ନେଇ ଚର୍ଚ୍ଚା ହେଉଛି ।

Leave A Reply

Your email address will not be published.