Latest Odisha News

BREAKING NEWS

SIR ପାଇଁ ଓଡିଶା ପ୍ରସ୍ତୁତ: ସୃଷ୍ଟି ହେଲା ୭ହଜାର ନୂଆ ବୁଥ୍‌

ଭୁବନେଶ୍ୱର: SIR ପାଇଁ ଓଡିଶା ପ୍ରସ୍ତୁତ। ଫେବ୍ରୁଆରୀ ୨୦୨୭ରେ ରାଜ୍ୟରେ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ହେବ। ଏହା ପୂର୍ବରୁ ଓଡ଼ିଶାରେ ‌ଭୋଟର ତାଲିକାର ‘ସ୍ବତନ୍ତ୍ର ସଘନ ସଂଶୋଧନ’ (ଏସ୍‌ଆଇଆର୍) ପ୍ରକ୍ରିୟା ଶେଷ କରି ନୂଆ ଭୋଟର ତାଲିକା ଅନୁଯାୟୀ ନିର୍ବାଚନ କରିବାକୁ ପ୍ରସ୍ତୁତି ଆରମ୍ଭ ହୋଇଯାଇଛି। ଅତିରିକ୍ତ ମୁଖ୍ୟ ନିର୍ବାଚନ ଅଧିକାରୀ ସୁଶାନ୍ତ ମିଶ୍ର କହିଛନ୍ତି, ରାଜ୍ୟରେ ଏସ୍‌ଆଇଆର୍ କରିବାକୁ ଆମେ ପ୍ରସ୍ତୁତ। ଦୀର୍ଘ ୫ମାସ ହେଲା ଚାଲିଥିବା ପ୍ରସ୍ତୁତି ଶେଷ ହୋଇଛି।

ଏହାକୁ ଠିକ୍ ଭାବେ କାର୍ଯ୍ୟକାରୀ କରିବା ପାଇଁ ରାଜ୍ୟରେ ବୁଥ୍‌ (ମତଦାନ କେନ୍ଦ୍ର) ସଂଖ୍ୟା ବଢ଼ାଯାଇଛି। ପୂର୍ବରୁ ୩୬ହଜାର ବୁଥ୍‌ ଥିଲା। ଏବେ ଆହୁରି ୭ହଜାର ବଢ଼ାଇ ୪୩ହଜାର ବୁଥ୍‌ କରାଯାଇଛି। ପ୍ରତି ବୁଥ୍‌ରେ ଯେପରି ସର୍ବାଧିକ ୧୨୦୦ ଭୋଟର୍ ରହିବେ ସେହି ଅନୁଯାୟୀ ଭୋଟର ତାଲିକା ପ୍ରସ୍ତୁତ ହେବ। ସବୁ ବୁଥ୍‌ରେ ବୁଥ୍‌ ସ୍ତରୀୟ ଅଧିକାରୀ ନିଯୁକ୍ତ କରାଯାଇଛି। ସେମାନେ ସମସ୍ତ ସର୍ଭେ କରିବେ। ୨୦୦୨ ମସିହାରେ ଶେଷ ଥର ପାଇଁ ଓଡ଼ିଶାରେ ଏସ୍‌ଆଇଆର୍‌ ହୋଇଥିଲା। ୨୦୦୨ରେ ଭୋଟର ତାଲିକାରେ ଯେଉଁମାନଙ୍କ ନାମ ଥିଲା ୨୦୨୫ରେ ସେମାନଙ୍କ ନାମ ଥିଲେ ଆଉ ସଂଶୋଧନ ଆବଶ୍ୟକ ପଡ଼ିବନି।

ସେଥିରେ କେବଳ ସେମାନଙ୍କ ପୁଅ, ଝିଅ ଏବଂ ନୂଆ ଭୋଟରଙ୍କ ନାମ ଯୋଡ଼ାଯିବ। ଏଥିପାଇଁ ଏବେ ଆମେ ୨୦୦୨ର ଭୋଟର ତାଲିକା ସହ ୨୦୨୫ର ଭୋଟର ତାଲିକାକୁ ଇଣ୍ଟିଗ୍ରେଟ୍ କରାଇଛୁ। ୭୦% ମ୍ୟାପିଂ ସରିଛି। ଯେଉଁ ଭୋଟର ମ୍ୟାପିଂରେ ମିଳିବେ ନାହିଁ ସେମାନଙ୍କୁ ଅନ୍ୟ ଡକୁମେଣ୍ଟ ଦେଇ ଭୋଟର ତାଲିକାରେ ନାମ ଯୋଡ଼ିବାକୁ ପଡ଼ିବ। ତେବେ ରାଜ୍ୟରେ ଏସ୍‌ଆଇଆର୍‌ କେବେ ହେବ ସ୍ଥିର ହୋଇନି। ଏପ୍ରିଲରୁ ମେ’ ଜନଗଣନାର ପ୍ରଥମ ପର୍ଯ୍ୟାୟ କାର୍ଯ୍ୟ ହେବାକୁ ଥିବାରୁ ଆଗାମୀ ସେପ୍ଟେମ୍ବର କି ଅକ୍ଟୋବର ମାସରେ ଏସ୍‌ଆଇଆର୍ କରିବ‌ା ନେଇ ଆଲୋଚନା ଚାଲିଛି।

Leave A Reply

Your email address will not be published.