ଭୁବନେଶ୍ଵର: ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ଡ଼ଃ ମୁକେଶ ମହାଲିଙ୍ଗ ଆଜି ରାଜ୍ୟରେ ମିଳିମିଳା ଏବଂ ରୁବେଲା (ଏମଆର) ନିରାକରଣ କାର୍ଯ୍ୟକ୍ରମକୁ ତ୍ୱରାନ୍ୱିତ କରିବା ଉଦ୍ଦେଶ୍ୟରେ ଏକ ବିସ୍ତୃତ ସୂଚନା, ଶିକ୍ଷା ଏବଂ ଯୋଗାଯୋଗ (ଆଇଇସି) ସାମଗ୍ରୀର ଉନ୍ମୋଚନ କରିଛନ୍ତି।
ଏପ୍ରିଲ ୨୪ରୁ ୩୦ ତାରିଖ ପର୍ଯ୍ୟନ୍ତ ବିଶ୍ୱବ୍ୟାପୀ ପାଳନ କରାଯାଉଥିବା ବିଶ୍ୱ ଟୀକାକରଣ ସପ୍ତାହ ୨୦୨୫ର ଉତ୍ସବର ଏକ ଅଂଶ ଭାବରେ ଆଜି ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶାଳୟରେ ଏହି ଉନ୍ମୋଚନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ୨୦୨୬ ସୁଦ୍ଧା ମିଳିମିଳା ଏବଂ ରୁବେଲାକୁ ସମ୍ପୂର୍ଣ୍ଣ ରୂପେ ପରାହତ କରିବା ପାଇଁ ଓଡ଼ିଶା ସଂକଳ୍ପବଦ୍ଧ ବୋଲି ସ୍ୱାସ୍ଥ୍ୟ ମନ୍ତ୍ରୀ ଡ଼ଃ ମହାଲିଙ୍ଗ ପ୍ରକାଶ କରିଛନ୍ତି।
ଟୀକାକରଣ କ୍ଷେତ୍ରରେ ଓଡ଼ିଶାର ଉଲ୍ଲେଖନୀୟ ପ୍ରଦର୍ଶନ ଉପରେ ଆଲୋକପାତ କରି ଡ଼ଃ ମହାଲିଙ୍ଗ କହିଥିଲେ ଯେ ଜାତୀୟ ପରିବାର ସ୍ୱାସ୍ଥ୍ୟ ସର୍ବେକ୍ଷଣ (ଏନ୍ଏଫ୍ଏଚ୍ଏସ୍-୫) ଅନୁଯାୟୀ ଓଡିଶା ୯୦.୫% ଟୀକାକରଣ କଭରେଜ୍ ହାସଲ କରିପାରିଛି। ଯାହା ସମସ୍ତ ଭାରତୀୟ ରାଜ୍ୟ ମାନଙ୍କ ମଧ୍ୟରେ ସର୍ବାଧିକ। ଏହି ସଫଳତା ପାଇଁ ସ୍ୱାସ୍ଥ୍ୟ ମନ୍ତ୍ରୀ ସମସ୍ତଙ୍କୁ ଆନ୍ତରିକ ସାଧୁବାଦ ଜ୍ଞାପନ କରିଛନ୍ତି।
ଟୀକାକରଣ ଦ୍ୱାରା ପ୍ରତିରୋଧ କରି ହେଉଥିବା ରୋଗ ଠାରୁ ଶିଶୁମାନଙ୍କୁ ଦୂରେଇ ରଖିବା ସହ ଶାରିରୀକ ଅସୁସ୍ଥତା ଓ ମୃତ୍ୟୁହାର ହ୍ରାସ କରିବା ନିମନ୍ତେ ରାଜ୍ୟରେ ସର୍ବଦା ମହିଳା ଓ ଶିଶୁମାନଙ୍କର ଟୀକାକରଣକୁ ସର୍ବୋଚ୍ଚ ପ୍ରାଥମିକତା ପ୍ରଦାନ କରାଯାଇଛି। ଆମେ ସମସ୍ତେ ମିଳିମିଶି ନିଶ୍ଚିତ କରିବା ଦରକାର ଯେ ରାଜ୍ୟର କୌଣସି ଶିଶୁ ଯେମିତି ଟୀକାକରଣରୁ ବଂଚିତ ନ ହୁଅନ୍ତୁ ବୋଲି ସେ କହିଛନ୍ତି।
ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ, ମହିଳା ଓ ଶିଶୁ ବିକାଶ, ବିଦ୍ୟାଳୟ ଓ ଗଣଶିକ୍ଷା, ଅନୁସୂଚିତ ଜନଜାତି ଓ ଅନୁସୂଚିତ ଜାତି ଉନ୍ନୟନ, ପଞ୍ଚାୟତିରାଜ ଓ ପାନୀୟ ଜଳ, ଗୃହ ନିର୍ମାଣ ଓ ନଗର ଉନ୍ନୟନ ଏବଂ ସୂଚନା ଓ ଲୋକସମ୍ପର୍କ ଭଳି ଏକାଧିକ ସରକାରୀ ବିଭାଗର ପରସ୍ପର ସହଯୋଗୀ ଆଭିମୁଖ୍ୟ ଉପରେ ଏମଆର ନିରାକରଣ ମିଶନର ସଫଳତା ନିର୍ଭର କରେ ବୋଲି ସ୍ୱାସ୍ଥ୍ୟ ମନ୍ତ୍ରୀ ଗୁରୁତ୍ୱାରୋପ କରିଥିଲେ। ଟୀକାକରଣ ସଚେତନତାକୁ ତୃଣମୂଳସ୍ତରରେ ଏକ ଆନ୍ଦୋଳନରେ ପରିଣତ କରିବା ପାଇଁ ଅଭିଭାବକ, ଆୟୁଷ୍ମାନ ଆରୋଗ୍ୟ ମନ୍ଦିରର ସ୍ୱାସ୍ଥ୍ୟ କର୍ମୀ, ପଞ୍ଚାୟତିରାଜ ଅନୁଷ୍ଠାନର ସଦସ୍ୟ, ସ୍ୱେଚ୍ଛାସେବୀ ସଂଗଠନ, ସ୍ୱୟଂ ସହାୟକ ଗୋଷ୍ଠୀ ଏବଂ ସଚେତନ ନାଗରିକ ସମାଜକୁ ସେ ଅନୁରୋଧ କରିଛନ୍ତି। ଓଡ଼ିଶାକୁ ମିଳିମିଳା -ରୁବେଲା ମୁକ୍ତ ରାଜ୍ୟରେ ପରିଣତ କରିବାକୁ ସ୍ୱାସ୍ଥ୍ୟ ମନ୍ତ୍ରୀ ଓଡ଼ିଶାବାସୀଙ୍କୁ ନିବେଦନ କରିଛନ୍ତି ।
ଉଲ୍ଲେଖନୀୟ ଯେ, ଟୀକାକରଣ କାର୍ଯ୍ୟକ୍ରମର ସଫଳ କାର୍ଯ୍ୟାନ୍ୱୟନ ଯୋଗୁଁ, ୧୯୭୭ ମସିହାରେ ଭାରତରୁ ବସନ୍ତ ରୋଗର ବିଲୋପ, ମାର୍ଚ୍ଚ ୨୦୧୪ ମସିହାରୁ ଭାରତ ପୋଲିଓ ମୁକ୍ତ ଏବଂ ମେ ୨୦୧୫ ମସିହାରୁ ମାତୃ ଏବଂ ନବଜାତ ଶିଶୁ ଟିଟାନସ୍ ମୁକ୍ତ ଘୋଷଣା କରାଯାଇଛି ଏହି ଉଦଘାଟନୀ ଉତ୍ସବରେ ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକ ଡା. ନୀଳକଣ୍ଠ ମିଶ୍ର, ରାଜ୍ୟ ଟୀକାକରଣ ଅଧିକାରୀ ଡା. ତାପସ କୁମାର ପାତ୍ର, ସ୍ୱାସ୍ଥ୍ୟମନ୍ତ୍ରୀଙ୍କ ବ୍ୟକ୍ତିଗତ ସଚିବ ବିନୋଦ ବିହାରୀ ଦାସଙ୍କ ସମେତ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗର ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଥିଲେ।
Comments are closed.