ଆଜି ରାଜ୍ୟରୁ ୪୪୩ କରୋନା ଆକ୍ରାନ୍ତ ଚିହ୍ନଟ, ୧୧ ଜିଲ୍ଲାରେ ସଂକ୍ରମିତଙ୍କ ସଂଖ୍ୟା ଶୂନ

ଭୁବନେଶ୍ୱର: ରାଜ୍ୟରେ ୫୦୦ ତଳକୁ ଖସିଛି କରୋନାର ଦୈନିକ ସଂକ୍ରମଣ । ଗତକାଲି ଅପେକ୍ଷା ଆଜି ସଂକ୍ରମଣ ପାଖାପାଖି ୧୦୦ ଅଧିକ । ଗତକାଲି ରାଜ୍ୟରୁ ୩୫୮ ଆକ୍ରାନ୍ତ ଚିହ୍ନଟ ହୋଇଥିଲେ । ଆଜି ଏହି ସଂଖ୍ୟା ରହିଛି ୪୪୩ । କ୍ୱାରେଣ୍ଟିନରୁ ୨୫୮ ଓ ଲୋକାଲ୍ କଣ୍ଟାକ୍ଟ କେସ୍ ରହିଛି ୧୮୫ । ୧୮ ବର୍ଷ ଭିତରେ ଆଉ ୭୫ ଜଣ ସଂକ୍ରମିତ ହୋଇଛନ୍ତି ।

୨୪ ଘଣ୍ଟାରେ ୧୯ ଜିଲ୍ଲାରୁ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ୧୧ ଜିଲ୍ଲାରେ ସଂକ୍ରମିତଙ୍କ ସଂଖ୍ୟା ଶୂନ । ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୨୪୩ ପଜିଟିଭ୍ ବାହାରିଛନ୍ତି । କଟକରୁ ୨୭, ମୟୂରଭଞ୍ଜରୁ ୨୦, ବାଲେଶ୍ୱରରୁ ୧୪, ପୁରୀରୁ ୧୩, ଯାଜପୁର ଓ ସୁନ୍ଦରଗଡ଼ ଜିଲ୍ଲାରୁ ଆଉ ୧୧ ଜଣ ଲେଖାଏ ସଂକ୍ରମିତ ହୋଇଛନ୍ତି । ବାକି ଜିଲ୍ଲାରେ ନୂଆ ଆକ୍ରାନ୍ତଙ୍କ ସଂଖ୍ୟା ୧୦ ଭିତରେ ରହିଛି ।

୨୪ ଘଣ୍ଟାରେ ୫୫ହଜାର ୧୧୫ କୋଭିଡ୍ ଟେଷ୍ଟ ହୋଇଛି । ପଜିଟିଭ୍ ହାର ରହିଛି ୦. ୮୦ ପ୍ରତିଶତ । ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ମୋଟ୍ ସଂଖ୍ୟା ୧୦ଲକ୍ଷ ୩୫ହଜାର ୭୭କୁ ବୃଦ୍ଧି ପାଇଛି । ସୁସ୍ଥ ହେଲେଣି ୧୦ଲକ୍ଷ ୨୧ହଜାର ୭୪୨ ଆକ୍ରାନ୍ତ । ଏବେ ରାଜ୍ୟରେ ୪ହଜାର ୯୯୯୭ ଆକ୍ଟିଭ୍ କେସ୍ ରହିଛି ।