ଭୁବନେଶ୍ୱର: ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ଅଧୀନରେ ଥିବା ସ୍କୁଲଗୁଡ଼ିକରେ ୨୦୨୪-୨୫ ମସିହାରେ ୯୬୪୧ ଛାତ୍ରଛାତ୍ରୀ ଅଧାରୁ ପାଠ(ଡ୍ରପଆଉଟ) ଛାଡ଼ିଛନ୍ତି । ବିଧାନସଭାରେ ବ୍ରହ୍ମଗିରି ବିଧାୟିକା ଉପାସନା ମହାପାତ୍ରଙ୍କ ପ୍ରଶ୍ନରେ ଏହି ତଥ୍ୟ ରଖିଛନ୍ତି ରାଜ୍ୟ ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ ।
ସେଥିମଧ୍ୟରେ ପ୍ରାଥମିକ ସ୍କୁଲ ସ୍ତରରେ ୨୫୪ ଜଣ ଓ ମାଧ୍ୟମିକ ସ୍କୁଲ ସ୍ତରରେ ୯୩୮୭ ପିଲା ଅଛନ୍ତି । ଗଞ୍ଜାମ ଜିଲ୍ଲାରେ ସର୍ବାଧିକ ୧୩୨୭ ଛାତ୍ରଛାତ୍ରୀ ଅଧାରୁ ପାଠ ଛାଡ଼ିଥିବା ବେଳେ ବାଲେଶ୍ୱର ଜିଲ୍ଲାରେ ୧୦୬୨ ଏବଂ ନବରଙ୍ଗପୁର ଜିଲ୍ଲାରେ ୧୫୨ ଛାତ୍ରଛାତ୍ରୀ ଅଧାରୁ ପାଠ ଛାଡ଼ିଛନ୍ତି । ମୁଖ୍ୟତଃ ବିଭିନ୍ନ ପାରିବାରିକ ଓ ସାମାଜିକ କାରଣ ତଥା ପିତାମାତାଙ୍କର ବିଦ୍ୟାଳୟ ପଠାଇବା ପାଇଁ ଅନାଗ୍ରହରୁ ପିଲାମାନେ ଅଧାରୁ ପାଠ ଛାଡୁଛନ୍ତି ।
ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡଙ୍କ ତଥ୍ୟ ଅନୁସାରେ ୨୦୨୪-୨୫ ବର୍ଷରେ ଭଦ୍ରକରେ ୨୬୧, ବଲାଙ୍ଗୀରରେ ୭୨୨, ବୌଦ୍ଦରେ ୧୯୧, କଟକରେ ୩୧୫, ଦେବଗଡ଼ରେ ୨୩୯, ଢ଼େଙ୍କାନାଳରେ ୨୮୫, ଗଜପତିରେ ୩୩୮, ଯାଜପୁରରେ ୪୦୪, ଝାରସୁଗୁଡ଼ାରେ ୯୧, କଳାହାଣ୍ଡିରେ ୧୦୮, କନ୍ଧମାଳରେ ୩୬୨, କେନ୍ଦୁଝରରେ ୪୧୯, ଖୋର୍ଦ୍ଧାରେ ୧୩୯, କୋରାପୁଟରେ ୫୮୮, ମାଲକାନଗିରିରେ ୬୨୦, ନୟାଗଡ଼ରେ ୪୮, ନୂଆପଡ଼ାରେ ୫୫୧, ପୁରୀରେ ୩୯୭, ରାୟଗଡ଼ାରେ ୯୪, ସମ୍ବଲପୁରରେ ୧, ସୋନପୁରରେ ୨ ଏବଂ ସୁନ୍ଦରଗଡ଼ରେ ୨୫ ଛାତ୍ରଛାତ୍ରୀ ଅଧାରୁ ପାଠ ଛାଡ଼ିଛନ୍ତି । ତେବେ ଅନୁଗୁଳ, ବରଗଡ଼, ଜଗତସିଂହପୁର, କେନ୍ଦ୍ରାପଡ଼ା, ମୟୁରଭଞ୍ଜ ଜିଲ୍ଲାରେ ଡ୍ରପଆଉଟ ପିଲା ନାହାନ୍ତି ।
ମନ୍ତ୍ରୀ ଆହୁରି ମଧ୍ଯ କହିଛନ୍ତି ଯେ ବିଗତ ୩ ବର୍ଷରେ ରାଜ୍ୟରେ ସମସ୍ତ ସ୍ତରରେ ଡ୍ରପଆଉଟ ହାର କମୁଛି । ଜାତୀୟ ହାର ତୁଳନାରେ ଆମ ରାଜ୍ୟରେ ପ୍ରାଥମିକ ଓ ମାଧ୍ୟମିକ ସ୍କୁଲ ସ୍ତରରେ ଅଧାରୁ ପାଠ ଛାଡୁଥିବା ଛାତ୍ରଛାତ୍ରୀଙ୍କ ହାର କମ ।
Comments are closed.