Latest Odisha News

BREAKING NEWS

ଓଡ଼ିଶା ସାହିତ୍ୟ ଏକାଡେମୀ ପକ୍ଷରୁ ମନୋରଞ୍ଜନ ଦାସ ଜନ୍ମ ଶତବାର୍ଷିକୀ ସମାରୋହ ଆୟୋଜିତ

ଭୁବନେଶ୍ୱର : ଓଡ଼ିଶା ସାହିତ୍ୟ ଏକାଡେମୀ ପକ୍ଷରୁ ସ୍ଥାନୀୟ ଗୁରୁକେଳୁଚରଣ ମହାପାତ୍ର ଓଡ଼ିଶୀ ଗବେଷଣା କେନ୍ଦ୍ର ପ୍ରେକ୍ଷାଳୟରେ ବିଶିଷ୍ଟ ନାଟ୍ୟକାର ମନୋରଞ୍ଜନ ଦାସଙ୍କ ଜନ୍ମ ଶତବାର୍ଷିକୀ ପାଳିତ ହୋଇଯାଇଛି ।

ଏକାଡେମୀର ସଭାପତି ଜକ୍ଟର ହୃଷୀକେଶ ମଲ୍ଲିକଙ୍କ ପୌରାହିତ୍ୟରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ନିର୍ଦ୍ଦେଶକ ଦିଲୀପ ରାଉତରାଏ ମୁଖ୍ୟ ଅତିଥି, ବିଭାଗୀୟ ସ୍ଵତନ୍ତ୍ର ଶାସନ ସଚିବ କବି ମଧୁସୂଦନ ଦାଶ ସମ୍ମାନିତ ଅତିଥି ଏବଂ ଗୁରୁକେଳୁଚରଣ ମହାପାତ୍ର ଓଡ଼ିଶୀ ଗବେଷଣା କେନ୍ଦ୍ରର ମୁଖ୍ୟ କାର୍ଯ୍ୟନିର୍ବାହୀ ତଥା ମନୋରଞ୍ଜନ ଦାସଙ୍କ କନ୍ୟା ସିକତା ଦାସ ଅନ୍ୟତମ ଅତିଥି ଭାବରେ ଯୋଗ ଦେଇଥିଲେ ।

ମନୋରଞ୍ଜନ ଦାସ ଥିଲେ ଓଡ଼ିଆ ନବନାଟ୍ୟ ଆନ୍ଦୋଳନର କର୍ଣ୍ଣଧାର । ଭାରତୀୟ ନାଟ୍ୟ ବିବର୍ତ୍ତନରେ ମନୋରଞ୍ଜନଙ୍କ ଯୋଗଦାନ ଇତିହାସ ସୃଷ୍ଟି କରିଛି ବୋଲି ଅତିଥିମାନେ ମତବ୍ୟକ୍ତ କରିଥିଲେ।

ଏକାଡେମୀର ସଚିବ ସୁବୋଧ ଚନ୍ଦ୍ର ଆଚାର୍ଯ୍ୟ ପ୍ରାରମ୍ଭିକ ସୂଚନା ଓ ଅତିଥି ପରିଚୟ ପ୍ରଦାନ ସହ ମଞ୍ଚାସୀନ ଅତିଥିଙ୍କ ଦ୍ଵାରା ମଞ୍ଚସ୍ଥ ଶ୍ରୀଜଗନ୍ନାଥଙ୍କ ଚତୁର୍ଦ୍ଧା ମୂର୍ତ୍ତି ତଥା ନାଟ୍ୟକାରଙ୍କ ପ୍ରତିକୃତି ସମ୍ମୁଖରେ ପ୍ରଦୀପ ପ୍ରଜ୍ଜ୍ୱଳନ ପରେ କଣ୍ଠଶିଳ୍ପୀ ଅନୁଜା ତାରିଣୀ ମିଶ୍ର, ମନୋରଞ୍ଜନଙ୍କ କାଳଜୟୀ ନାଟକ ‘ନନ୍ଦିକାକେଶରୀ’ରେ ଥିବା ଶ୍ରୀଗଣେଶ ବନ୍ଦନା ପରିବେଷଣ କରିଥିଲେ ଏବଂ ଗୁରୁକେଳୁଚରଣ ମହାପାତ୍ର ଓଡ଼ିଶୀ ଗବେଷଣା କେନ୍ଦ୍ରର ଗୁରୁ ଓ ଛାତ୍ରଛାତ୍ରୀ ଏବଂ ବନ୍ଦେ ଉତ୍କଳ ଜନନୀ’ ପରିବେଷଣ କରିଥିଲେ ।

ଏହି ଅବସରରେ ସାହିତ୍ୟିକ ଗୌରହରି ଦାସଙ୍କ ପୌରୋହିତ୍ୟରେ “ନବନାଟ୍ୟ ଆନ୍ଦୋଳନ ଓ ମନୋରଞ୍ଜନ ଦାସ ” ଶୀର୍ଷକରେ ସଂଘମିତ୍ରା ମିଶ୍ର, ନାରାୟଣ ସାହୁ ଓ ତରୁଣକାନ୍ତ ରାଉତଙ୍କ ମଧ୍ୟରେ ଏକ ଆଲୋଚନା ଚକ୍ର ଅନୁଷ୍ଠିତ ହୋଇଥିଲା । ପରେ ପରେ ‘ ସଂଳାପ-ସଂରଚନା, ବିଷୟ-ବୈଚିତ୍ରା ଓ ମନୋରଞ୍ଜନ ଦାସ’ ଶୀର୍ଷକରେ ଆୟୋଜିତ ଦ୍ଵିତୀୟ ଅଧିବେଶନରେ ବିଜୟାନନ୍ଦ ସିଂହଙ୍କ ଅଧ୍ୟକ୍ଷତାରେ ସୁବୋଧ ପଟ୍ଟନାୟକ, ସୁରଞ୍ଜନ ଲେଙ୍କା ଓ ପ୍ରବୋଧ ରଥଙ୍କ ମଧ୍ୟରେ ଆଉ ଏକ ଆଲୋଚନା ଚକ୍ର ଅନୁଷ୍ଠିତ ହୋଇଥିଲା ।

ବିଜୟ ମଲ୍ଲଙ୍କ ସଂଯୋଜନାରେ ଆୟୋଜିତ ଏହି କାର୍ଯ୍ୟକ୍ରମର ପ୍ରାରମ୍ଭରେ ବିଶିଷ୍ଟ ଶିଶୁ ସାହିତ୍ୟିକ ଶୁଭେନ୍ଦ୍ର ମୋହନ ଶ୍ରୀଚନ୍ଦନସିଂହ ଓ କବୀ ନିର୍ମଳା ମହାନ୍ତିଙ୍କ ଆତ୍ମାର ସଦ୍‌ଗତି ପାଇଁନୀରବ ପ୍ରାର୍ଥନା କରାଯାଇଥିଲା। କାର୍ଯ୍ୟକ୍ରମର ସଂଯୋଜନା କରିଥିଲେ ନିଳୟ ମଇ । ପରିଶେଷରେ ଏକାଡେମୀର ପ୍ରଯୋଜନା ଅଧିକାରୀ ସଞ୍ଜୟ କୁମାର ଛୁଅଁଳସିଂହ ଧନ୍ୟବାଦ ଅର୍ପଣ କରିଥିଲେ ।

Leave A Reply

Your email address will not be published.