Latest Odisha News

BREAKING NEWS

ଦାବି ପୂରଣ ନହେଲେ ସମୂହ ଇସ୍ତଫା ପାଇଁ ଚେତାବନୀ ଦେଲେ ରାଜ୍ୟର ସରପଞ୍ଚ ସଂଘ

ଭୁବନେଶ୍ୱର: ୧୫ ଦଫା ଦାବି ପୂରଣ ପାଇଁ ଶନିବାର ରାଜ୍ୟବ୍ୟାପୀ ଶତାଧିକ ସରପଞ୍ଚ ରାଜରାସ୍ତାକୁ ଓହ୍ଲାଇଛନ୍ତି। ତ୍ରିସ୍ତରୀୟ ପଚାଂୟତରାଜ ବ୍ୟବସ୍ଥାରେ ସରପଞ୍ଚମାନଙ୍କୁ ପ୍ରାବଧାନ ଅନୁଯାୟୀ ପୂର୍ଣ୍ଣ କ୍ଷମତା ପ୍ରଦାନ ସମେତ ବିଭିନ୍ନ ଦାବି ନେଇ ରାଜ୍ୟର ଅନେକ ସ୍ଥାନରୁ ସରପଞ୍ଚମାନେ ଭୁବନେଶ୍ୱରର ଲୋୟର ପିଏମଜିରେ ଧାରଣାରେ ବସିଛନ୍ତି। ପାଣ୍ଠି ବୃଦ୍ଧି ଏବଂ ପେନସନ ରାଶି ୨,୩୫୦ରୁ ୩୦ ହଜାର ଟଙ୍କା ବୃଦ୍ଧି କରିବାକୁ ଦାବି ହୋଇଛି।

ଦୁଇ ମାସ ପୂର୍ବରୁ ଏ ନେଇ ଜିଲ୍ଲାପାଳଙ୍କ ଜରିଆରେ ମୁଖ୍ୟମନ୍ତ୍ରୀଙ୍କୁ ଦାବିପତ୍ର ପ୍ରଦାନ କରିଥିଲେ। ତେବେ ଦାବି ପୂରଣ ନ ହେବାରୁ ବାଧ୍ୟ ହୋଇ ସେମାନେ ରାଜ୍ୟର ବିଭିନ୍ନ ବ୍ଲକ ସଦର ମହକୁମା ଓ ରାଜଧାନୀରେ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି। ସରପଞ୍ଚ ମହାସଙ୍ଘ ବ୍ୟାନରରେ ଏକଜୁଟ ହୋଇଥିବା ଆନ୍ଦୋଳନକାରୀମାନେ ଅଭିଯୋଗ କରିଛନ୍ତି ଯେ, ବିନା ଛୁଟିରେ ଦିନରାତି ନିଜ ଅଂଚଳର ଲୋକଙ୍କ ପାଇଁ କାମ କରୁଥିଲେ ମଧ୍ୟ ସେମାନଙ୍କୁ ମାତ୍ର ୨୩୦୦ ଟଙ୍କା ଦିଆଯାଉଛି।

ସରପଞ୍ଚମାନେ ଆହୁରି ମଧ୍ୟ ଅଭିଯୋଗ କରିଛନ୍ତି ଯେ, ବ୍ଲକସ୍ତରୀୟ ଅଧିକାରୀଙ୍କ ଅଜାଣତରେ ଅଧିକାଂଶ ସରକାରୀ ପ୍ରକଳ୍ପ ତୃଣମୂଳସ୍ତରରେ କାର୍ଯ୍ୟକାରୀ କରାଯାଉଛି ଏବଂ ସେମାନଙ୍କ କ୍ଷମତା ଓ ଅଧିକାରକୁ ସଙ୍କୁଚିତ କରାଯାଉଛି। ଆମ ନିଜ ପଞ୍ଚାୟତରେ କାର୍ଯ୍ୟକାରୀ ହେଉଥିବା ପ୍ରକଳ୍ପକୁ ନେଇ ଯଦି ଆମକୁ ଅନ୍ଧାରରେ ରଖାଯାଏ ତେବେ ସରପଞ୍ଚଙ୍କ କ’ଣ ଫାଇଦା। ତେବେ ଆମେ କାହିଁକି ତୃଣମୂଳ ସ୍ତରରେ କାମ କରୁଛୁ ବୋଲି ଜୟପୁରର ଜଣେ ସରପଞ୍ଚ ପ୍ରଶ୍ନ କରିଛନ୍ତି।

ଆମ କାମ କେବଳ ଆଧାର କାଗଜପତ୍ରରେ ଦସ୍ତଖତ କରିବା ଏବଂ ସ୍ଥାନୀୟ ବିବାଦର ସମାଧାନ କରିବା ଯାଏଁ ସୀମିତ ରହିଛି ବୋଲି ଅନ୍ୟ ଜଣେ ସରପଞ୍ଚ କହିଛନ୍ତି। ଦାବି ପୂରଣ ନହେଲେ ଆନ୍ଦୋଳନକୁ ଓହ୍ଲାଇବେ ବୋଲି ସରପଞ୍ଚ ସଂଘ ଚେତାବନୀ ଦେଇଛି।

Leave A Reply

Your email address will not be published.