Latest Odisha News

BREAKING NEWS

ଜେଇଇ ମେନରେ କିସ ଓ ସାଇର ଛାତ୍ରଛାତ୍ରୀ କୃତକାର୍ଯ୍ୟ

ଭୁବନେଶ୍ୱର: ନ୍ୟାସନାଲ୍ ଟେଷ୍ଟିଂ ଏଜେନ୍ସି (ଏନଟିଏ) ପକ୍ଷରୁ ଆଜି ଯୁଗ୍ମ ପ୍ରବେଶିକା ପରୀକ୍ଷା ଫଳ ପ୍ରକାଶ ପାଇଛି। ତଦନୁଯାୟୀ, ଭୁବନେଶ୍ୱରର ବାସିନ୍ଦା ଓମ୍ ପ୍ରକାଶ ବେହେରା ୩୦୦/୩୦୦ ସ୍କୋର କରିଥିବା ୨୪ ଜଣ ପ୍ରାର୍ଥୀଙ୍କ ମଧ୍ୟରେ ସାମିଲ ରହିଛନ୍ତି। ସେ ରାଜସ୍ଥାନର କୋଟାରେ ପ୍ରିପାରେସନ କରୁଥିଲେ। ତେବେ ଓଡ଼ିଶାର ସ୍କୁଲ ଗୁଡ଼ିକ ମଧ୍ୟ ଏନଟିଏରେ ଭଲ ରେଜଲ୍ଟ କରିଛନ୍ତି।

ନ୍ୟାସନାଲ୍ ଟେଷ୍ଟିଂ ଏଜେନ୍ସିରେ କିସର ୧୨ ଜଣ ଛାତ୍ରଛାତ୍ରୀ କୃତକାର୍ଯ୍ୟ ହୋଇଛନ୍ତି। ସେମାନଙ୍କ ମଧ୍ୟରେ ୭ଜଣ ଛାତ୍ରୀ ଥିବା ବେଳେ ୫ଜଣ ଛାତ୍ର ରହିଛନ୍ତି । ଏମାନେ ଜେଇଇ ଆଡଭାନସ ପାଇଁ ଯୋଗ୍ୟ ବିବେଚିତ ହୋଇଛନ୍ତି । ଏହି ଛାତ୍ରଛାତ୍ରୀଙ୍କ ମଧ୍ୟରୁ ୩ଜଣ ଝାଡ଼ଖଣ୍ଡରୁ ଆସି କିସ୍‌ରେ ପାଠ ପଢ଼ି ଜେଇଇରେ ସଫଳତା ହାସଲ କରିପାରିଛନ୍ତି । ଏହି ସଫଳତାରେ କିଟ୍ ଓ କିସ୍ ପ୍ରତିଷ୍ଠାତା ଅଚ୍ୟୁତ ସାମନ୍ତ ସନ୍ତୋଷ ବ୍ୟକ୍ତ କରିବା ସହ ସଫଳ ଛାତ୍ରଛାତ୍ରୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି । ଏହା ସହ ସେ କହିଛନ୍ତି ଯେ ପ୍ରତିବର୍ଷ କିସର ଛାତ୍ରଛାତ୍ରୀମାନେ ଜେଇଇ ପରୀକ୍ଷାରେ ସଫଳତା ହାସଲ କରିଆସୁଛନ୍ତି। କେବଳ ଜେଇଇ ନୁହେଁ ଆଞ୍ଚଳିକ, ଜାତୀୟ ଓ ଅନ୍ତର୍ଜାତୀୟସ୍ତରରେ ହେଉଥିବା ବିଭିନ୍ନ ପ୍ରତିଯୋଗିତାମୂଳକ ପରୀକ୍ଷାରେ କିସ୍ ଛାତ୍ରଛାତ୍ରୀମାନେ ସଫଳତା ଲାଭ କରିଆସୁଛନ୍ତି । ସେମାନଙ୍କୁ ଉପଯୁକ୍ତ ଯତ୍ନ ନିଆଯିବା ସହ ଗୁଣାତ୍ମକ ଶୈକ୍ଷିକ ପରିବେଶ ସୃଷ୍ଟି କରାଯାଉଥିବାରୁ ସେମାନେ ଏଭଳି ସଫଳତା ହାସଲ କରିପାରୁଛନ୍ତି ।

ସେହିପରି ସାଇ ଇଣ୍ଟରନ୍ୟାସନାଲ ସ୍କୁଲର ଆୟୁଷ୍ମାନ ଦିବ୍ୟସିଂହ ବେହେରା ଏବଂ ଶୁଭ୍ରାମ ଜ୍ୟୋତି ବେହେରା ଉଭୟ ୯୯.୯୨ ପ୍ରତିଶତ ନମ୍ବର ରଖି ସ୍କୁଲ ଟପର୍ ଟାଇଟଲ ହାସଲ କରିଛନ୍ତି। ଅପରପକ୍ଷରେ ବିଶ୍ୱଜିତ ବାରିକ ୯୯.୮୩ ପ୍ରତିଶତ ନମ୍ବର ରଖି ଦ୍ୱିତୀୟ ସ୍ଥାନରେ ରହିଥିବା ବେଳେ ବୈଭବ ମହାରଣା (୯୯.୮୧) ଏବଂ ଦିବ୍ୟାଂଶୁ ଶେଖର ସାହୁ (୯୯.୭୭) ଦ୍ୱିତୀୟ ସ୍ଥାନରେ ଅଛନ୍ତି।

ପ୍ରାୟ ୧୬ ଜଣ ଛାତ୍ର ୯୯ ପ୍ରତିଶତ କିମ୍ବା ତା’ଠାରୁ ଅଧିକ ନମ୍ବର ରଖିଛନ୍ତି। ସେହିପରି ୧୦ ଜଣ ୯୮ ପ୍ରତିଶତ ଏବଂ ୬ ଜଣ ଛାତ୍ର ୯୭ ପ୍ରତିଶତ ନମ୍ବର ରଖିଛନ୍ତି।

Comments are closed.