Latest Odisha News

ଛାତ୍ରଛାତ୍ରୀଙ୍କ ସ୍ୱାସ୍ଥ୍ୟ ଓ ଏକାଗ୍ରତା ବୃଦ୍ଧି ପାଇଁ ପ୍ରତିଦିନ ସ୍କୁଲରେ ହେବ ୧୦ ମିନିଟର ଯୋଗ

ଭୁବନେଶ୍ୱର: ଛାତ୍ରଛାତ୍ରୀଙ୍କ ସ୍ୱାସ୍ଥ୍ୟ ଓ ଏକାଗ୍ରତାରେ ଉନ୍ନତି ଆଣିବା ଉଦ୍ଦେଶ୍ୟରେ ରାଜ୍ୟର ବିଭିନ୍ନ ସ୍କୁଲରେ ଏବେ ଦୈନିକ ୧୦ ମିନିଟର ଯୋଗ କ୍ଲାସ ହେବ। ଓଡ଼ିଶା ମାଧ୍ୟମିକ ଶିକ୍ଷା ନିର୍ଦ୍ଦେଶାଳୟ ପକ୍ଷରୁ ଜାରି କରାଯାଇଥିବା ଗାଇଡଲାଇନ ଅନୁଯାୟୀ ଏହି ପଦକ୍ଷେପ ନିଆଯାଇଛି।

ନିର୍ଦ୍ଦେଶନାମା ଅନୁଯାୟୀ, ସକାଳ ପ୍ରାର୍ଥନା ପରେ ତୁରନ୍ତ ଯୋଗ କ୍ଲାସ ଅନୁଷ୍ଠିତ ହେବ। ଏହି ଯୋଗାଭ୍ୟାସରେ ଛିଡା ହୋଇ କରି ହେଉଥିବା ଆସନ ଉପରେ ରହିବ।  ଓଡ଼ିଶା ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗର କମିଶନର-ତଥା-ସଚିବଙ୍କ ଅଧ୍ୟକ୍ଷତାରେ ଗତ ୬ ତାରିଖରେ ଅନୁଷ୍ଠିତ ସମୀକ୍ଷା ବୈଠକରେ ନିଆଯାଇଥିବା ନିଷ୍ପତ୍ତି ଆଧାରରେ ଏହି ଗାଇଡଲାଇନ୍ ପ୍ରସ୍ତୁତ କରାଯାଇଛି।

ବୈଠକରେ ବିଦ୍ୟାଳୟରେ ଖେଳ ଓ କ୍ରୀଡ଼ା କାର୍ଯ୍ୟକଳାପର ବିଭିନ୍ନ ଦିଗ ଉପରେ ଆଲୋଚନା ହୋଇଥିଲା। ଶାରୀରିକ ଶିକ୍ଷା ଶିକ୍ଷକମାନେ ପ୍ରାର୍ଥନା ଅଧିବେଶନ ପରେ ଅତି କମରେ ୧୦ ମିନିଟ୍ ପର୍ଯ୍ୟନ୍ତ ଠିଆ ହୋଇଥିବା ଯୋଗ, ପ୍ରାଣାୟାମ କିମ୍ବା ଶାରୀରିକ ବ୍ୟାୟାମ କରିବେ ବୋଲି ନିଷ୍ପତ୍ତି ନିଆଯାଇଥିଲା। ଛାତ୍ରଛାତ୍ରୀଙ୍କ ଶରୀର ଓ ମନକୁ ସକ୍ରିୟ କରିବା ସହ ପାଠପଢ଼ା ପ୍ରତି ଧ୍ୟାନ ଦେବା ଏହି ଅଭ୍ୟାସର ଉଦ୍ଦେଶ୍ୟ।

ଏଥିସହ ଜାତୀୟ ସ୍ତରୀୟ ପ୍ରତିଯୋଗିତା ପାଇଁ ପ୍ରତିଭାବାନ ଛାତ୍ରଛାତ୍ରୀଙ୍କୁ ଚିହ୍ନଟ କରିବା ପାଇଁ ବିଦ୍ୟାଳୟଗୁଡ଼ିକୁ ପ୍ରୋତ୍ସାହିତ କରାଯାଇଛି। ଜିଲ୍ଲାସ୍ତରରେ ଉତ୍କର୍ଷ ପ୍ରଦର୍ଶନ କରୁଥିବା ବିଦ୍ୟାଳୟଗୁଡ଼ିକୁ କିଟ୍ ଏବଂ ଜାତୀୟ ପ୍ରତିଯୋଗିତା ପାଇଁ ମନୋନୀତ ଦଳଗୁଡ଼ିକୁ କଳିଙ୍ଗ ଷ୍ଟାଡିୟମରେ ପ୍ରଶିକ୍ଷଣ ଦିଆଯିବ।

Comments are closed.