ନୂଆଦିଲ୍ଲୀ: ୧୫ ବର୍ଷରୁ କମ ଏସିଆନ ମହିଳା ବ୍ୟାଡମିଂଟନ ଚାମ୍ପିୟନଶିପରେ ଓଡିଶାର ତନଭୀ ପତ୍ରୀ ସିଙ୍ଗଲ୍ସ ଟାଇଟଲ ହାସଲ କରିଛନ୍ତି । ଚୀନର ଚେଙ୍ଗଡୁରେ ୧୫ ଓ ୧୭ ବର୍ଷରୁ କମ ଏସିଆନ ଚାମ୍ପିୟନଶିପ ଆୟୋଜିତ ହେଉଛି । ୧୫ ବର୍ଷରୁ କମ ବାଳିକା ବିଭାଗ ଫାଇନାଲରେ ତନଭୀ ଭିଏତନାମର ନୁଗୁୟେ ଥୀ ଥୁ ହୁୟେନଙ୍କୁ ସେ ୨୨-୨୦ ଓ ୨୧-୧୧ରେ ପରାସ୍ତ କରି ଦେଶ ଏବଂ ରାଜ୍ୟର ମାନ ବଢ଼ାଇଛନ୍ତି । ତୃତୀୟ ଭାରତୀୟ ଭାବେ ତନଭୀ ଏହି ସଫଳତା ହାସଲ କରିଛନ୍ତି । ଏହା ପୂର୍ବରୁ ସେ ଟାଙ୍କରା ଜ୍ଞାନ ଦାତୁ ତଳସିଲା ଟୁର୍ଣ୍ଣାମେଂଟରେ ବ୍ରୋଞ୍ଜ ପଦକ ହାସଲ କରିଥିଲେ । ୧୩ ବର୍ଷୀୟା ତନଭୀ ୨ ଥର ସବ ଜୁନିୟର ଜାତୀୟ ଟାଇଟଲ ହାସଲ କରିଛନ୍ତି ।
ଏହା ପୂର୍ବରୁ ସେ ୧୯ ବର୍ଷରୁ କମ ଏସିଆନ ଜୁନିୟର ଖେଳିବା ସୁଯୋଗରୁ ବଂଚିତ ହୋଇଥିଲେ । ତାଙ୍କ ବୟସ ୧୪ରୁ କମ ହୋଇଥିବାରୁ ସୁଯୋଗ ପ୍ରଦାନ କରାଯାଇ ନ ଥିଲା । ବାଙ୍ଗାଲୋରର ପ୍ରକାଶ ପାଦୁକୋନ ବ୍ୟାଡମିଂଟନ ଏକାଡେମୀରେ ସେ ପ୍ରତିଷ୍ଠିତ କୋଚ ବିମଲ କୁମାରଙ୍କ ନିକଟରୁ ପ୍ରଶିକ୍ଷଣ ନେଉଛନ୍ତି । ତନଭୀ ବାଲେଶ୍ୱର ମାର୍କୋଣାର ଆଇଟି ପ୍ରଫେଶନାଲ ରବି ନାରାୟଣ ପତ୍ରୀ ଓ ଶୈଳବାଳା ପଣ୍ଡାଙ୍କ ଝିଅ ଅଟନ୍ତି । ସେ ୨୦୨୨ରେ ପ୍ରକାଶ ପାଦୁକୋନ ଏକାଡେମୀରେ ଯୋଗ ଦେଇଥିଲେ ।
Comments are closed.