Odisha Train Girl Students AI, Data Science: ଏଆଇ ଏବଂ ଡାଟା ସାଇନ୍ସରେ ଆଗକୁ ବଢିବେ ଝିଅ, ପ୍ରତିବର୍ଷ ୧୦୦୦ ଛାତ୍ରୀଙ୍କୁ ଦେବେ ସରକାର ପ୍ରଶିକ୍ଷଣ
ଭୁବନେଶ୍ୱର: ଓଡ଼ିଶାର ଝିଅମାନଙ୍କ ପାଇଁ ବଡ଼ ସୁଯୋଗ । AI ଓ ଡାଟା ସାଇନ୍ସରେ ହେବେ ପାରଙ୍ଗମ । ପ୍ରଯୁକ୍ତି କ୍ଷେତ୍ରରେ ମହିଳାଙ୍କ ଅଂଶଗ୍ରହଣ ବଢ଼ାଇବା ଦିଗରେ ଓଡ଼ିଶା ସରକାର ଏକ ଐତିହାସିକ ପଦକ୍ଷେପ ନେଇଛନ୍ତି। ଉଚ୍ଚଶିକ୍ଷା ବିଭାଗ ଏବଂ ଏଡ୍ୟୁନେଟ୍ ଫାଉଣ୍ଡେସନ୍ ମଧ୍ୟରେ ଏକ ବୁଝାମଣାପତ୍ର (MoU) ସ୍ୱାକ୍ଷରିତ ହୋଇଛି। ମାଇକ୍ରୋସଫ୍ଟର ପ୍ରାଯୁକ୍ତିକ ସହଯୋଗରେ ଏହି କାର୍ଯ୍ୟକ୍ରମ ମାଧ୍ୟମରେ ରାଜ୍ୟର କଲେଜ ଓ ବିଶ୍ୱବିଦ୍ୟାଳୟର ଛାତ୍ରୀମାନେ କୃତ୍ରିମ ବୁଦ୍ଧିମତ୍ତା (AI) ଏବଂ ଅନ୍ୟାନ୍ୟ ଉଦୀୟମାନ ପ୍ରଯୁକ୍ତିରେ ଉନ୍ନତ ପ୍ରଶିକ୍ଷଣ ପାଇବେ।
ଏହି ଯୋଜନା ଅନୁସାରେ ପ୍ରତିବର୍ଷ ପ୍ରାୟ ୧,୦୦୦ ଛାତ୍ରୀଙ୍କୁ ୨୪୦ ଘଣ୍ଟିଆ ବିଶେଷ ପ୍ରଶିକ୍ଷଣ ଦିଆଯିବ। ଏଥିରେ ଅଧ୍ୟୟନରତ ଛାତ୍ରୀମାନଙ୍କୁ AI, ଡାଟା ସାଇନ୍ସ, ମେସିନ୍ ଲର୍ଣ୍ଣିଂ, ସାଇବର ସୁରକ୍ଷା, ପାଇଥନ୍ ପ୍ରୋଗ୍ରାମିଂ ଓ ଡାଟା ଆନାଲିଟିକ୍ସ ଭଳି ଉଚ୍ଚ ଚାହିଦା ସମ୍ପନ୍ନ ବିଷୟଗୁଡ଼ିକରେ ପ୍ରଶିକ୍ଷଣ ପ୍ରଦାନ କରାଯିବ ।
ପ୍ରଶିକ୍ଷଣ ସହିତ ଛାତ୍ରୀମାନଙ୍କୁ ଛାତ୍ରୀମାନଙ୍କୁ ଆଧୁନିକ ପ୍ରଯୁକ୍ତିବିଦ୍ୟା ସମ୍ବନ୍ଧିତ ପ୍ରକଳ୍ପ…ହ୍ୟାଣ୍ଡସ୍-ଅନ୍ କ୍ୟାପଷ୍ଟୋନ୍ ପ୍ରୋଜେକ୍ଟ, ଶିଳ୍ପ ବିଶେଷଜ୍ଞଙ୍କ ମେଣ୍ଟରଶିପ୍, ଇଣ୍ଟର୍ନସିପ୍ ସୁଯୋଗ ଏବଂ ଚାକିରି ପାଇଁ ସିଧାସଳଖ ସହାୟତା ମିଳିବ। ବିଶେଷ ଭାବେ “AI କ୍ଷେତ୍ରରେ ମହିଳାଙ୍କ ପାଇଁ କ୍ୟାରିୟର ସୁଯୋଗ” ନାମକ ଏକ ମଡ୍ୟୁଲ୍ ମଧ୍ୟ ପ୍ରସ୍ତୁତ କରାଯାଇଛି।
ପ୍ରଶିକ୍ଷଣ ସଫଳତାର ସହ ସମାପ୍ତ କରିଥିବା ଛାତ୍ରୀମାନଙ୍କୁ ଏଡ୍ୟୁନେଟ୍ ଫାଉଣ୍ଡେସନ୍ ଓ ମାଇକ୍ରୋସଫ୍ଟ ପକ୍ଷରୁ ଯୁଗ୍ମ ସାର୍ଟିଫିକେଟ୍ ପ୍ରଦାନ କରାଯିବ।