Latest Odisha News

BREAKING NEWS

କାଲିଫର୍ଣ୍ଣିଆ ବିଶ୍ୱବିଦ୍ୟାଳୟ-ଓଡି଼ଶା ସରକାରଙ୍କ ଏମଓୟୁ ସ୍ୱାକ୍ଷରିତ, ହଜାରେ ଗବେଷକଙ୍କୁ ମିଳିବ ତାଲିମ

ୱାଶିଂଟନ: କାଲିଫର୍ଣ୍ଣିଆ ବିଶ୍ୱବିଦ୍ୟାଳୟ ସହ ଓଡ଼ିଶା ସରକାରଙ୍କ ଏମଓୟୁ ସ୍ୱାକ୍ଷରିତ। ଉଚ୍ଚ-ବୈଷୟିକ କ୍ଷେତ୍ରରେ ପାଖାପାଖି ୧ ହଜାର ଗବେଷକଙ୍କୁ ତାଲିମ ଦିଆଯିବ। ଏହି ସହଯୋଗିତା ଜରିଆରେ କାଲିଫର୍ଣ୍ଣିଆ ବିଶ୍ବବିଦ୍ୟାଳୟର ଆଲୁମିନି ନେଟ୍‌ୱର୍କ ସହ ରାଜ୍ୟ ସରକାର ଯୋଡ଼ି ହୋଇପାରିବେ। ସେହିପରି ବିଶ୍ୱସ୍ତରୀୟ କନସଲଟିଂ ଓ ଆଡଭାଇଜରି ଫାର୍ମ ଫ୍ରଷ୍ଟ ଆଣ୍ଡ ସୁଲିଭାନ୍ ଭୁବନେଶ୍ୱରରେ ପ୍ରତିଷ୍ଠା କରିବ ଉତ୍କର୍ଷ କେନ୍ଦ୍ର। ଏହି କେନ୍ଦ୍ର ୫୦ ହଜାର ଯୁବକ ଯୁବତୀଙ୍କୁ ପ୍ରଶିକ୍ଷଣ ଦେବାକୁ ବ୍ୟବସ୍ଥା କରବ।

ରାଜ୍ୟରେ ଅତ୍ୟାଧୁନିକ ଗବେଷଣା କ୍ଷେତ୍ରକୁ ଆହୁରି ପରିବର୍ଦ୍ଧିତ କରିବା ପାଇଁ ଏହି ଏମଓୟୁ ସ୍ୱାକ୍ଷରତି ହୋଇଛି। ଉଭୟଙ୍କ ସହଭାଗିତାରେ ପରିବେଶ ପରିବର୍ତ୍ତନ, ବିପର୍ଯ୍ୟୟ ପରିଚାଳନା, ସ୍ୱାସ୍ଥ୍ୟ, କୃଷି, ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ ଭଳି କ୍ଷେତ୍ରରେ କାମ କରିବେ। ଏଥିସହ ସରକାରୀ ଯୋଜନା କେମିତି ଅଧିକରୁ ଅଧିକ ଲୋକଙ୍କ ପାଖରେ ପହଞ୍ଚିବ, ସେଥିପାଇଁ ଥିବା ମେକାନିଜିମକୁ ଆହୁରି ସୁଦୃଢ଼ କରାଯିବ।

ମଙ୍ଗଳବାର ରାଜ୍ୟ ସରକାରଙ୍କ ଏକ ଟିମ୍ ସିଲକନ୍ ଭ୍ୟାଲି ଯାଇ ବଡ଼ ବଡ଼ ଅନୁଷ୍ଠାନର ଅଧିକାରୀଙ୍କୁ ଭେଟିଥିଲେ । ଏହି ଅବସରରେ ପ୍ରତିନିଧି ଦଳ ବର୍କଲେସ୍ଥିତ କାଲିଫର୍ଣ୍ଣିଆ ବିଶ୍ୱବିଦ୍ୟାଳୟ ଗସ୍ତ କରିଥିଲେ। ଓଡ଼ିଶା ପ୍ରତିନିଧି ଦଳ ଫିସର ସେଣ୍ଟର ଫର ବିଜନେସ୍‌ ଆନାଲିଟିକ୍ସର କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ ଗୌଥିଏର ଭାସେଉର, ହାସ୍‌ ସ୍କୁଲ୍‌ ଅଫ୍‌ ବିଜନେସ୍‌ର ଡିନ୍ ଡକ୍ଟର ଡନ୍‌ ମୋରେଙ୍କ ସହ ସାକ୍ଷାତ କରି ଆଲୋଚନା କରିଥିଲେ। ପରେ ରାଜ୍ୟ ସରକାରଙ୍କ ସହ କାଲିଫର୍ଣ୍ଣିଆ ବିଶ୍ୱବିଦ୍ୟାଳୟର ବୁଝାମଣା ପତ୍ର ସ୍ୱାକ୍ଷର କରିଥିଲେ।

ଓଡ଼ିଶାରେ ନିବେଶ ପାଇଁ ରାଜ୍ୟ ସରକାର ନେଇଥିବା ବିଭିନ୍ନ ପଦକ୍ଷେପ ସମ୍ପର୍କରେ ରାଜ୍ୟ ସରକାରଙ୍କ ପ୍ରତିନିଧି ମଣ୍ଡଳ ସେମାନଙ୍କୁ ଅବଗତ କରାଇଥିଲେ। ରାଜ୍ୟ ସରକାରଙ୍କ ଏହି ଟିମ୍‌ରେ ଥିବା 5T ସଚିବ ଭିକେ ପାଣ୍ଡିଆନ, ଡେଭେଲପମେଣ୍ଟ କମିଶନର ଅନୁଗର୍ଗ, ମନ୍ତ୍ରୀ ତୁଷାରକାନ୍ତି ବେହେରା ଆୟୋଜିତ ଏକ ବୈଠକରେ ଆମାଜନ, ଆପଲ୍‌, ଷ୍ଟାନ୍‌ଫୋର୍ଡ ବିଶ୍ବବିଦ୍ୟ‌ାଳୟ, ଏଫିସେନ୍‌ସ, ୟୁନିସନ୍‌ କ୍ୟାପିଟାଲ୍, ଆଇରନ୍ ପିଲାର ଆଦିର ପ୍ରତିନିଧି ଯୋଗ ଦେଇଥିଲେ। ସେହିପରି ସ୍କାଏୱାର୍କସ୍‌ ସଲ୍ୟୁସନ୍ସର ବରିଷ୍ଠ ଉପସଭାପତି ୟୁସୁଫ୍ ଜମାଲଙ୍କ ସହ ମଧ୍ୟ ଆଲୋଚନା ହୋଇଛି। ତାଙ୍କୁ ଓଡ଼ିଶାର ସେମିକଣ୍ଡକ୍ଟର ନୀତି ଉପରେ ଅବଗତ କରାଯାଇଥିବା ବେଳେ ତାଙ୍କୁ ଓଡ଼ିଶା ଆସି ଏକ ଆର୍‌ଆଣ୍ଡ୍‌ଡି ବ୍ୟବସ୍ଥା ସ୍ଥାପନ କରିବାକୁ ଆମନ୍ତ୍ରଣ କରାଯାଇଛି।

Leave A Reply

Your email address will not be published.