Latest Odisha News

BREAKING NEWS

କବିତା : ଡିମିରି ଫୁଲ

ରତ୍ନାକର ରାଉତ

ଜୀଇଁ ରହିବା କ’ଣ ଜୀବନ ?
ନନ୍ଦ ଦାସ ଭାବୁଛି
ସମସ୍ତେ ଦେଖୁଛନ୍ତି ସେ ଜୀଇଁଛି
ଜୀଇଁବା ଅର୍ଥ କଣ ଜୀବନକୁ ବଞ୍ଚିବା?

ସେ ନିଜେ ଜାଣେ
ସେ ମରି ସାରିଛି ଅନେକ ଆଗରୁ
ଯେଉଁଦିନ ସେ ତାର ସ୍ବାଧୀନ ଅଭିବ୍ୟକ୍ତି
ଓ ସ୍ଵାଧୀନ ଚେତା ମନକୁ ବନ୍ଧା ପକେଇ
ପ୍ରତିଦାନରେ ଆଦରିନେଲା ସୁରକ୍ଷିତ ଗୋଲାମୀ ଜୀବନ
ସେହି ଦିନ ନନ୍ଦଦାସ ମରିଗଲା,
ଯିଏ ଜୀଇଁ ରହିଲା ସେ ନନ୍ଦ ଦାସ ନୁହେଁ
ସେହି ନାମରେ ପରିଚିତ ରକ୍ତମାଂସଧାରୀ ଜଣେ ଯନ୍ତ୍ର ମଣିଷ।
ଯିଏ ବସ୍ତୁତଃ ଆଖି ଥାଇ ଅନ୍ଧ
କାନ ଥାଇ ବଧିର ଓ ପାଟି ଥାଇ ମୂକ।
ଜୀଇଁ ରହି ପ୍ରତି ମୁହୂର୍ତ୍ତରେ ମରଣ ଯେ
କେତେ ବେଦନା ଦାୟକ ସେକଥା ଅନୁଭବିକୁ ହିଁ ଜଣା,
ବାହାରକୁ ଦିଶୁଥିବା ଡଉଲ ଦାଉଲ ଚେହେରା ଭିତରେ
ଜୀବନ ଯେ କେତେ ଦୟନୀୟ, ବିପନ୍ନ, ଶୀର୍ଣ୍ଣ, କାତର ଓ ବିକଳ
ତାହା ସାଢ଼େ ତିନି ଦଶନ୍ଧି ଧରି ଭୋଗିଛି ନନ୍ଦଦାସ ।

ଅଭିବ୍ୟକ୍ତିର ସ୍ଵାଧୀନତା ବିହୀନ ବୃତ୍ତିଭୋଗୀ ମଣିଷର ଜୀବନ
ପଞ୍ଜୁରୀ ଭିତରେ ଥିବା ପୋଷା ଶୁଆର ଜୀବନ ସହିତ ସମାନ,
ଯିଏ କ୍ରମେ କ୍ରମେ ଭୁଲିଯାଏ ମୁକ୍ତିର ଅବ୍ୟକ୍ତ ସ୍ୱାଦ ଓ ଆନନ୍ଦ ।
ଛୋଟ ପଣତର ନିଅଣ୍ଟିଆ ଅବସ୍ଥା
ସଦାକାଳେ ସ୍ୱାଭିମାନ ଓ ସ୍ଵାଧୀନ ବିଚାରରେ ଅଙ୍କୁଶ ଲଗାଏ।
ଆଗରେ ଖାଇ ପଛରେ ହେଣ୍ଟାଳ ଛାଡ଼ୁଥିବା
ମହାବଳ ବାଘ
ମଝିରେ ବିପଦ ସଙ୍କୁଳ ଅବସ୍ଥାରେ
ସଙ୍କଟ ନିଭଉ ଥିବା ମଣିଷ
ନିଶ୍ଚିତ ମୃତ୍ୟୁକୁ ନବରି ବରଂ ଆଦରି ନିଏ।
ବାଘ ସହିତ ସାମୟିକ ସନ୍ଧି କରି ଜୀଇଁବାକୁ କିୟତ କାଳ।

ଠିକ୍ ସେହିପରି ଏକ କଠିନ ସମୟର
ସମ୍ମୁଖୀନ ହୋଇଥିଲା ନନ୍ଦଦାସ
ଯେତେବେଳେ ସେ ନିଷ୍ପତ୍ତି ନେଲା
ସରକାରୀ ଅର୍ଗଳି ଭିତରେ ପତେଇବାକୁ ନିଜ ବେକ।
ସେ ବରାବର ଦିନ ଗଣୁଥିଲା
କେମିତି ଶୀଘ୍ର ଶୀଘ୍ର ବିତିଯିବ ତାର ବନ୍ଧନର ଦିନ
ଯେଉଁ ଦିନ ସେବା ନିବୃତ୍ତ ହୋଇ ସେ ମୁକ୍ତିର ସ୍ୱାଦ
ଅନୁଭବ କଲା, ସେଦିନ , ସେଦିନ ନିଷ୍ପତ୍ତି ନେଲା
ଏବେଠୁ ନିର୍ଭୟ, ନିର୍ବିକାର ଓ ନିର୍ବିରୋଧରେ
ସେ ରଖିପାରିବ ତାର ସ୍ଵାଧୀନ ବିଚାର ଓ ତାର ଅଭିବ୍ୟକ୍ତି।

ଆନନ୍ଦରେ ସେ ଅଧିର ହୋଇ ଉଠିଲା
ଏତେ ବର୍ଷ ଧରି ବନ୍ଦ ଥିବା ତା ତୁଣ୍ଡ
ଖୋଲିବା ଆରମ୍ଭ ହେଲା।
ସେ ପ୍ରକାଶ କରି ଚାଲିଲା ତାର ପ୍ରଗଲ୍ଭ ସ୍ୱର
ତାର ପୁଞ୍ଜିଭୂତ ବେଦନା ଓ ପୀଡ଼ା। ତାର ମର୍ମଭେଦୀ ଅନ୍ତର୍ଦାହ
ଓ ସ୍ତୁପୀକୃତ ଅକଳନ ଯନ୍ତ୍ରଣା
ତାକୁ ଲାଗିଲା ସେ ମରିନାହିଁ, ତଥାପି ବଞ୍ଚିଛି
ତା ଭିତରେ ଜୀବନ ଅଛି
ଏବଂ ନୂଆ ବରଷାର ଛୁଆଁରେ ପୁଣିଥରେ
ଚେଇଁ ଉଠିଲା ଭଳି ଜୀବନର ମହୋତ୍ସବରେ ମାତିବାକୁ ଦୁବଘାସ।
ସେ ଜୀବନର ଦୁର୍ଲଭ ସ୍ପନ୍ଦନକୁ ନିବିଡ଼ ଭାବେ ଅନୁଭବ କଲା।

ମାତ୍ର ସେ କିଛି କ୍ଷଣ ପାଇଁ ପାସୋରି ଯାଇଥିଲା
ତାର ସଂସାର ଅଛି, ପରିବାର ଅଛି
ସେ ଗୃହସ୍ଥ, ପରିବାରର ମୁଖ୍ଯ।
ତା ଉପରେ ଗୋଟେ ପରିବାରର ବୋଝ, ଦାୟିତ୍ଵ ଓ ଭବିଷ୍ୟତ
ତାର ବେପରୁଆ ଭାବ, ଢଙ୍ଗ ଢାଙ୍ଗ ଓ ସ୍ପଷ୍ଟ ବକ୍ତବ୍ୟ
ଓ ଅନ୍ୟ ସଦସ୍ୟଙ୍କ ପାଇଁ ଡାକିଆଣିପାରେ
ଅବେଳରେ ଅହେତୁକ ବିପଦ
କାରଣ ମଧ୍ୟବିତ୍ତ ପରିବାରର ଚାକିରି ହିଁ ସୁରକ୍ଷା କବଚ
ତେଣୁ ଅନେକ ସେହି ପଥରେ ଧାବମାନ ପାନ୍ଥ
ସେ ନିମନ୍ତେ ସେ ତ ଥିଲା ଅନ୍ୟମାନଙ୍କର ମାର୍ଗ ଦର୍ଶକ
ସଭିଙ୍କୁ ଏକଥା ଜଣା,
ଶାସନର ଖଡ୍ଗ ଡିମୋକ୍ଲିସର ଖଣ୍ଡା ଭଳି
ସବୁବେଳେ ଝୁଲୁଛି ସୁତାଖିଅରେ ଚାକିରିଆଙ୍କ ମୁଣ୍ଡ ଉପରେ ।
ଯେବେ ଶାସକର ସ୍ୱାର୍ଥରେ ବାଧା ଉପୁଜାଏ
କୌଣସି ପରିଜନର ଅଭିବ୍ୟକ୍ତି
ସେତେବେଳେ ପିଞ୍ଜରା ବଦ୍ଧ ପକ୍ଷୀ ଉପରେ
ପ୍ରଥମେ ଆରମ୍ଭ ହୁଏ ନିର୍ଯ୍ୟାତନା ଓ
ଅକଥନୀୟ ଉତ୍ପୀଡ଼ନ,
ଏବେଳେ କିପରି ନ୍ୟାୟ ଦେଇପାରିବ
ସେ ଅନ୍ୟମାନଙ୍କୁ
ଭୁଲିଗଲେ ନିଜର ଉତ୍ତର ଦାୟିତ୍ଵ।

ନିଜ ଆତ୍ମୀୟଙ୍କ ଅସହଣୀୟ ଅବ୍ୟକ୍ତ ଯାତନାକୁ
କଣ ଅବଜ୍ଞା କରିବା ଏତେ ସହଜ?
ତେଣୁ କଇଁଛ ଯେପରି କାଢ଼ିଥିବା ଶୁଣ୍ଢକୁ
ପୁଣିଥରେ ନିଜ ଭିତରକୁ ଓଟାରିନିଏ
ବାହ୍ୟ ଅବରୋଧକୁ ସାମନା କଲେ
ଠିକ୍ ସେମିତି ନନ୍ଦଦାସ ବଢେଇ ଦେଇଥିବା ପାଦକୁ ସଙ୍କୁଚିତ କରି
ପୁଣି ଛପି ଯିବାକୁ ପ୍ରସ୍ତୁତି ହେଉଛି
ନିଜ ଭିତରେ ନିଜେ,
ତେଣିକି ସେ ଗୋଟେ କବନ୍ଧ ପରି ଅବା
ଜୀଇଁ ନରହୁ କାହିଁକି ଆଉ କେତେ କାଳ ଏ ଦୁନିଆରେ।

ପୁଣିଥରେ ମରଣ ମୁହଁରେ ଠିଆ ହୋଇଥିବା
ନନ୍ଦ ଦାସର ଏ ଜୀବନ କାଳ ପାଇଁ
ଆଦୌ ଅନୁଶୋଚନା ନାହିଁ
ସେ ଧରି ନେଇଛି ଏହାହିଁ ତାର
ଭାଗ୍ୟ ଭବିତବ୍ୟ ଓ ଅବଧାରିତ ନିୟତି
ପ୍ରକୃତ ସ୍ଵାଧୀନତାର ସ୍ୱାଦ ତା ପାଇଁ
ସୁଦୂର ପରାହତ ଏ ଜନ୍ମରେ
ଠିକ୍ ଡିମିରି ଫୁଲ ପରି।

Leave A Reply

Your email address will not be published.