Latest Odisha News

BREAKING NEWS

ଦାବୀ ପୂରଣ ନହେଲେ ନଭେମ୍ବର ୨୬ରୁ ସମୂହ ଛୁଟିରେ ରହିବାକୁ ‘ଓଡ଼ିଶା ଶିକ୍ଷା ସେବା ସଂଘ’ର ଚେତାବନୀ

ଭୁବନେଶ୍ୱର: ଓଡ଼ିଶା ଶିକ୍ଷା ସେବା କ୍ୟାଡ଼ରର ପୁନର୍ଗଠନ ଏବଂ କ୍ୟାଡ଼ର୍ ରୁଲ୍ ପ୍ରଣୟନ ଦାବୀ ପୂରଣ ନହେଲେ ଆସନ୍ତା ନଭେମ୍ବର ୨୬ ତାରିଖରୁ ସମୂହ ଛୁଟିରେ ରହିବାକୁ ଚେତାବନୀ ଦେଇଛି ‘ଓଡ଼ିଶା ଶିକ୍ଷା ସେବା ସଂଘ’ । ଏନେଇ ଓଡ଼ିଶା ଶିକ୍ଷା ସଂଘ (ବିଦ୍ୟାଳୟ ଶାଖା) ପକ୍ଷରୁ ମୁଖ୍ୟମନ୍ତ୍ରୀ, ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ, ଅର୍ଥମନ୍ତ୍ରୀ, ମୁଖ୍ୟ ଶାସନ ସଚିବ, ପ୍ରମୁଖ ଶାସନ ସଚିବ, ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ଅତିରିକ୍ତ ମୁଖ୍ୟ ଶାସନ ସଚିବ, ଅର୍ଥ ବିଭାଗକୁ ଦାବିପତ୍ର ଦିଆଯାଇଛି ।

ଓଡ଼ିଶା ଶିକ୍ଷା ସଂଘ (ବିଦ୍ୟାଳୟ ଶାଖା) ପକ୍ଷରୁ ରାଜ୍ୟର ମୁଖ୍ୟମନ୍ତ୍ରୀ ତଥା ବିଭାଗୀୟ ମନ୍ତ୍ରୀ ଏବଂ ସଚିବ ମାନଙ୍କୁ ପଦତ୍ତ ଦାବିପତ୍ରରେ ଉଲ୍ଲେଖ ରହିଛି ଯେ, ୧୯୭୧ ମସିହାରୁ ଓଡ଼ିଶା ଶିକ୍ଷା ସେବା (ବିଦ୍ୟାଳୟ ଶାଖା) ପାଇଁ ଲୋକସେବା ଆୟୋଗ ଦ୍ୱାରା ଓଡ଼ିଶା ଶିକ୍ଷା ସେବା ଅଧିକାରୀ ନିଯୁକ୍ତି ପ୍ରଣୟନ ହୋଇଥିଲେ ମଧ୍ୟ ରାଜ୍ୟ ସରକାର ଅଦ୍ୟାବଧି ଓଡ଼ିଶା ଶିକ୍ଷା ସେବା ଅଧିକାରୀଙ୍କ ପାଇଁ ଏକ କ୍ୟାଡ଼ର୍ ରୁଲ୍ ପ୍ରଣୟନ କରିନାହାନ୍ତି । ଏହା ଫଳରେ ଓଡ଼ିଶା ଶିକ୍ଷା ସେବା ଅଧିକାରୀମାନେ ଉପଯୁକ୍ତ ପ୍ରମୋଶନ ଓ ବୃତ୍ତିଗତ ସୁବିଧା ସୁଯୋଗରୁ ବଞ୍ଚିତ ହେଉଛନ୍ତି । ତେଣୁ କେତେକ ଅଧିକାରୀ ବିନା ପ୍ରମୋଶନରେ ଅବସର ଗ୍ରହଣ କରୁଛନ୍ତି ।

ଏଥିଲାଗି ୨୦୧୪ ମସିହାରେ କ୍ୟାଡ଼ର୍ ପୁନର୍ଗଠନ ପାଇଁ ସରକାରୀ ସ୍ତରରେ ଉଦ୍ୟମ ହୋଇଥିଲେ ମଧ୍ୟ ଅଦ୍ୟାବଧି ତାହା ଅର୍ଥ ବିଭାଗରେ ପଡ଼ି ରହିଛି ।

ଓଡ଼ିଶା ଶିକ୍ଷା ସେବା ଅଧିକାରୀମାନେ ସରକାରଙ୍କ ଶିକ୍ଷା ଅଧିକାର ଅଧିନିୟମ, ସର୍ବଶିକ୍ଷା ଅଭିଯାନ, ରାଷ୍ଟ୍ରୀୟ ଶିକ୍ଷା ଅଭିଯାନ, ଓଡ଼ିଶା ଆଦର୍ଶ ବିଦ୍ୟାଳୟ, ମୋ ସ୍କୁଲ ଅଭିଯାନ, ମଧ୍ୟାହ୍ନ ଭୋଜନ ପରିଚାଳନା, ରାଜ୍ୟ ମୁକ୍ତ ବିଦ୍ୟାଳୟ, ସ୍କୁଲ ସହ +୨ ମିଶ୍ରଣ ଓ ରାଜ୍ୟ ସରକାରଙ୍କ ବିଭିନ୍ନ ଶିକ୍ଷା ଭିତ୍ତିକ କାର୍ଯ୍ୟକ୍ରମକୁ ତଳସ୍ତରରେ କାର୍ଯ୍ୟକାରୀ କରୁଥିଲେ ମଧ୍ୟ ସେମାନଙ୍କର ନ୍ୟାୟୋଚିତ ଅଧିକାରରୁ ସେମାନଙ୍କୁ ବଞ୍ଚିତ କରାଯାଉଛି ।

ଓଡ଼ିଶା ଶିକ୍ଷା ସେବା (ବିଦ୍ୟାଳୟ ଶାଖା) ସଂଘର ନିଷ୍ପତ୍ତି ଅନୁଯାୟୀ ଆସନ୍ତା ନଭେମ୍ବର ୨୬ ତାରିଖ ପୂର୍ବରୁ ଯଦି ଉପରୋକ୍ତ ଦାବି ପୂରଣ ନହୁଏ, ତେବେ ଆସନ୍ତା ନଭେମ୍ବର ୨୬ ତାରିଖରୁ ସମସ୍ତ ଶିକ୍ଷା ସେବା ଅଧିକାରୀ ସମୂହ ଛୁୁଟିରେ ରହିବେ, ଯାହାଫଳରେ ରାଜ୍ୟର ୨.୫ ଲକ୍ଷ ଶିକ୍ଷକ ଦରମା ପାଇବାରୁ ବଞ୍ଚିତ ହେବେ ।

Leave A Reply

Your email address will not be published.