ଭୁବନେଶ୍ୱର: ଉଚ୍ଚ ପ୍ରାଥମିକ ବିଦ୍ୟାଳୟମାନଙ୍କରେ ୨୦୧୩ ମସିହାରୁ ନିଯୁକ୍ତି ପାଇଥିବା ପାର୍ଟ ଟାଇମ କଳା ଓ କ୍ରୀଡ଼ା ଶିକ୍ଷକମାନଙ୍କୁ ନେଇ ଗଠିତ ଓଡ଼ିଶା କଳା ଓ କ୍ରୀଡ଼ା ଶିକ୍ଷକ ମହାସଂଘ ସ୍ଥାୟୀ ନିଯୁକ୍ତି ଦାବି ନେଇ ଡିସେମ୍ବର ୫ ତାରିଖରୁ ଦୀର୍ଘ ୩୭ ଦିନ ଧରି ବିଧାନସଭା ସମ୍ମୁଖରେ ଆନ୍ଦୋଳନରେ ବସିିଥିଲେ । ପ୍ରବଳ ଶୀତକୁ ଖାତିର ନକରି ଦୀର୍ଘ ୩୭ ଦିନ ଧରି ବସି ରହିଥିବା କଳା ଓ କ୍ରୀଡ଼ା ଶିକ୍ଷକ ଶିକ୍ଷୟତ୍ରୀମାନେ ସଙ୍ଗୀତ, ନୃତ୍ୟ, ନାଟକ, ଖେଳ ଓ ଚିତ୍ର ମାଧ୍ୟମରେ ସରକାରଙ୍କୁ ଦାବି ଉପସ୍ଥାପନ କରି ଆସୁଥିଲେ ।
ମୋରଡ଼ା ବିଧାୟକ ରାଜକିଶୋର ଦାସଙ୍କ ସହଯୋଗିତାରେ ମୁଖ୍ୟମନ୍ତ୍ରୀଙ୍କ ଦପ୍ତରର ମୁଖ୍ୟ ଉପଦେଷ୍ଟା ଆର୍ ବାଲକ୍ରୀଷ୍ଣନଙ୍କ ସହ ଆଲୋଚନା କରିବା ପରେ ତାଙ୍କ ନିର୍ଦ୍ଦେଶକ୍ରମେ ମୁଖ୍ୟମନ୍ତ୍ରୀଙ୍କ ପ୍ରମୁଖ ଶାସନ ସଚିବ ରୁପା ରୋଷନ ସାହୁଙ୍କ ସହ ଏକ ୭ ଜଣିଆ ପ୍ରତିନିଧି ମଣ୍ଡଳୀ ଏବଂ ମୋରଡ଼ା ବିଧାୟକ ପାର୍ଟ ଟାଇମ ଶିକ୍ଷକମାନଙ୍କ ଦାବି ସମ୍ପର୍କରେ ଆଲୋଚନା କରିଥିଲେ ।
ସମ୍ପୂର୍ଣ୍ଣ ଆଲୋଚନା ପରେ ମୁଖ୍ୟମନ୍ତ୍ରୀଙ୍କ ଦପ୍ତରର ପ୍ରତିଶ୍ରୁତି ସହ ଏକ ଚିଠି ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗକୁ ପଠାଯାଇଥିଲା ଏବଂ ଯଥାଶୀଘ୍ର ଦାବି ପୂରଣ ନିମନ୍ତେ ତ୍ୱରିତ ପଦକ୍ଷେପ ଗ୍ରହଣ କରିବା ପାଇଁ ନିର୍ଦ୍ଦେଶ ଦିଆଯାଇଥିଲା । ପରେ ବିଧାୟକ ରାଜକିଶୋର ଦାସ କଳା ଓ କ୍ରୀଡ଼ା ଶିକ୍ଷକଙ୍କ ଧାରଣାସ୍ଥଳରେ ପହଞ୍ଚିଥିଲେ । ମୁଖ୍ୟମନ୍ତ୍ରୀ ସମସ୍ତ ଦୁଃଖ ବୁଝିବେ, ମହାସଂଘର ଦାବି ପୂରଣ ପାଇଁ ନିଷ୍ପତ୍ତି ନିଆଯିବ ବୋଲି କହି ଓଡ଼ିଶା କଳା ଓ କ୍ରୀଡ଼ା ଶିକ୍ଷକ ମହାସଂଘର ଦାବି ସହିତ ଅଛନ୍ତି ଏବଂ ୫୦୦୦ ପାର୍ଟ ଟାଇମ କଳା ଓ କ୍ରୀଡ଼ା ଶିକ୍ଷକଙ୍କୁ ନିୟମିତ ଦାବି ପୂରଣ ପର୍ଯ୍ୟନ୍ତ ଦାୟିତ୍ୱ ମୋର ବୋଲି ପ୍ରତିଶ୍ରୁତି ଦେଇ ଆନ୍ଦୋଳନକୁ ପ୍ରତ୍ୟାହାର କରିବା ପାଇଁ ଅନୁରୋଧ କରିଥିଲେ ।
ବିଧାୟକ ରାଜକିଶୋର ଦାସ ଏବଂ ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ଦପ୍ତରକୁ ସମ୍ମାନ ଜଣାଇ ମହାସଂଘ ଆନ୍ଦୋଳନକୁ ସ୍ଥଗିତ ରଖିଛି । ଏନେଇ ମହାସଂଘର ଆବାହକ ଧର୍ମେନ୍ଦ୍ର ପଣ୍ଡା, ଜଗତଜୀବନ ନାୟକ, ଦେବବ୍ରତ ପଟ୍ଟନାୟକ, ସଂଯୋଜକ ଆଶୁତୋଷ ଶତପଥି, ବିଜନ ଦାସ, ଶଙ୍କର ପ୍ରସାଦ ମହାପାତ୍ର, ବସନ୍ତ ଷଣ୍ଢ, ପ୍ରଦୀପ ପଟେଲ, ଚନ୍ଦ୍ରଶେଖର ପାଢୀ, ରଶ୍ମୀ ରଞ୍ଜନ ମିଶ୍ର, ବିଭୂତି ନାୟକ, ସୁରେଶ ସାନ, ଆରତୀ ଆଚାର୍ଯ୍ୟ, ସ୍ମୀତାଞ୍ଜଳି ମହାପାତ୍ର, ସ୍ୱାତୀମୁକ୍ତା, ମନୋଜ କୁମାର ପ୍ରଧାନୀ, ଅରୁଣ ଜେନା, କୃଷ୍ଣ ପାତ୍ର, ହିମାଦ୍ରୀ ସାହୁ, ଦିଲ୍ଲୀପ ପଣ୍ଡା, ମନୋଜ ଚୌଧୁରୀ, ସୁଚିତ କୁମାର ଖରା, ତପନ କୁମାର ପଣ୍ଡା, ଦେଓ କୁମାର ସତନମ, କୃଷ୍ଣସୁଦାମା ପାଣିଗ୍ରାହୀ, ଶିବ ମଜୁମଦାର, ବିଜୟ ବାରିକ, ମନସ୍ମିତା ଦାସ ପ୍ରମୁଖ ଏକ ପ୍ରେସ୍ ବିବୃତ୍ତି ଜରିଆରେ ସୂଚନା ଦେଇଛନ୍ତି ।
Comments are closed.