Latest Odisha News

BREAKING NEWS

ଆକ୍ସନ ମୋଡରେ ଏସଟିଏ, ଅନେକ ଛାତ୍ରଛାତ୍ରୀଙ୍କ ବିରୋଧରେ ଲଗାଇଲା ଜରିମାନା

ଭୁବନେଶ୍ୱର: ରାଜ୍ୟ ପରିବହନ କର୍ତ୍ତୃପକ୍ଷ (ଏସଟିଏ) ପକ୍ଷରୁ ‘ଜିରୋ ଡେଥ୍ ଓ୍ୱିକ୍’ ପାଳନ ଅବସରରେ ସପ୍ତାହେ ଧରି ରାଜ୍ୟର ବିଭିନ୍ନ ସ୍ଥାନରେ ଟ୍ରାଫିକ୍ ନିୟମ ଉଲ୍ଲଙ୍ଘନକାରୀଙ୍କ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପ୍ରକ୍ରିୟା ଆରମ୍ଭ ହୋଇଛି। ମଙ୍ଗଳବାର ପ୍ରଥମ ଦିନରେ ଏସଟିଏ ପକ୍ଷରୁ ଆରମ୍ଭ ହୋଇଥିବା ସ୍ୱତନ୍ତ୍ର ଏନଫୋର୍ସମେଣ୍ଟ ଅଭିଯାନରେ ଅନେକ ନାବାଳକ ଛାତ୍ରଛାତ୍ରୀଙ୍କଠାରୁ ୨୫ ହଜାର ଟଙ୍କା ଜରିମାନା ଆଦାୟ କରାଯାଇଛି।

ଏସଟିଏ ଟ୍ବିଟ୍ କରି ଲେଖିଛି, ଯଦି ଧରାପଡ଼େ ତେବେ ଅଭିଭାବକ କିମ୍ବା ଗାଡ଼ି ମାଲିକଙ୍କୁ ୨୫ ହଜାର ଟଙ୍କା ଜରିମାନା ସହ ୩ ବର୍ଷ ଜେଲ୍ ଦଣ୍ଡ ଭୋଗିବାକୁ ପଡ଼ିବ ଏବଂ ଗାଡ଼ିର ରେଜିଷ୍ଟ୍ରେସନ୍ ରଦ୍ଦ କରାଯିବ। ନାବାଳକ ମଧ୍ୟ ୨୫ ବର୍ଷର ନହେବା ଯାଏ ଲାଇସେନ୍ସ ପାଇଁ ଆବେଦନ କରିପାରିବେ ନାହିଁ।

ସରକାରଙ୍କ ଗାଇଡଲାଇନ୍ ଅନୁଯାୟୀ ମଙ୍ଗଳବାରଠୁ ଜିରୋ ଟଲେରାନ୍ସ ଡେ ଭାବେ ପାଳନ କରାଯାଉଛି। ବିନା ଲାଇସେନ୍ସରେ ଗାଡ଼ି ଚଳାଉଥିବା ଅପ୍ରାପ୍ତ ବୟସ୍କ ଚାଳକମାନେ ଆମ ଫୋକସରେ ରହିଛନ୍ତି। ନିୟମ ଉଲ୍ଲଙ୍ଘନକାରୀଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ରାଉରକେଲା ଆରଟିଓ ବୈଭବ ସାମନ୍ତସିଂହାର କହିଛନ୍ତି।

ଯେଉଁ ନାବାଳକମାନେ ବିନା ଲାଇସେନ୍ସରେ ଗାଡ଼ି ଚଳାଉଛନ୍ତି ସେମାନଙ୍କ ଉପରେ ଆମେ ଅଧିକ ଧ୍ୟାନ ଦେଉଛୁ। ଅନେକ ନିୟମ ଉଲ୍ଲଙ୍ଘନକାରୀଙ୍କ ବିରୋଧରେ ମାମଲା ରୁଜୁ ହୋଇଥିବା କହିଛନ୍ତି ଅତିରିକ୍ତ ଏସଟିଏ ପ୍ରବର୍ତ୍ତନ କମିଶନର ଲାଲମୋହନ ସେଠୀ।

ସେ କହିଛନ୍ତି, ମୁଁ ବାପା ମାଆଙ୍କୁ ଅନୁରୋଧ କରିବି ଯେ ସେମାନେ ନିଜ ପିଲାଙ୍କୁ ଦୁଇ ଚକିଆ ଗାଡ଼ି ନ ଦିଅନ୍ତୁ। ନିୟମ ମାନିଲେ ଆମେ ସଫଳ ହେବୁ। ଆମେ କାହାକୁ ଅସୁବିଧାରେ ପକାଇବାକୁ ଚାହୁଁନାହୁଁ, ଅକାଳରେ ଦୁର୍ଘଟଣାଜନିତ ମୃତ୍ୟୁକୁ ଏଡ଼ାଇବା ଆମର ଲକ୍ଷ୍ୟ।

ଏହା ପୂର୍ବରୁ ସୋମବାର ଏସଟିଏ ପକ୍ଷରୁ ଚେତାବନୀ ଦିଆଯାଇଥିଲା ଯେ, କମ ବୟସରେ ଗାଡ଼ି ଚଳାଇଲେ ୨୫ ହଜାର ଟଙ୍କା ଯାଏ ଜରିମାନା ଆଦାୟ କରାଯିବ। ଏହାବ୍ୟତୀତ ଗାଡିକୁ ଜବତ କରିବା ସହ ଏହାର ରେଜିଷ୍ଟ୍ରେସନକୁ ରଦ୍ଦ କରାୟିବ। ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଲା, ଗାଡ଼ି ମାଲିକଙ୍କ ବିରୋଧରେ ମାମଲା ରୁଜୁ କରାଯିବ। ଆଇନ ଅନୁଯାୟୀ, ନିୟମ ଉଲ୍ଲଙ୍ଘନକାରୀଙ୍କୁ ୩ ବର୍ଷ ଜେଲ୍ ଦଣ୍ଡାଦେଶ ହୋଇପାରେ।

Leave A Reply

Your email address will not be published.