Latest Odisha News

BREAKING NEWS

‘ମୋ ବସ’ରେ ଯାତ୍ରୀଙ୍କ ପକେଟରେ ୫୦ ହଜାର ଲୁଟ୍, ଦେଖଣାହାରୀ ସାଜିଛି କମିଶନରେଟ ପୋଲିସ

ଭୁବନେଶ୍ୱର: ଟ୍ୱିନସିଟି କଟକ ଓ ଭୁବନେଶ୍ୱରର ବିଭିନ୍ନ ରୁଟରେ ଚଳାଚଳ କରୁଥିବା ‘ମୋ ବସ୍’ର ଯାତ୍ରୀଙ୍କ ପାଇଁ ଚୋରି ମାମଲାରୁ ନିସ୍ତାର ନାହିଁ ବୋଲି ମନେ ହେଉଛି। ସଦ୍ୟତମ ଘଟଣାକ୍ରମରେ ମଙ୍ଗଳବାର ଜଣେ ଗରିବ ବ୍ୟକ୍ତି ଲୁଟର ଶିକାର ହୋଇଛନ୍ତି। ସେ ପରିବାର ସଦସ୍ୟଙ୍କ ସହ ମୋ ବସରେ ଯାଉଥିବା ବେଳେ ତାଙ୍କଠାରୁ ୫୦ ହଜାର ଟଙ୍କା ଚୋରି ହୋଇଛି। ଚୋରିର ଶିକାର ହୋଇଥିବା ବ୍ୟକ୍ତିଙ୍କ ନାଁ ରାଜକିଶୋର ଜେନା।

ମିଳିଥିବା ସୂଚନା ଅନୁଯାୟୀ, ଜଗତପୁରରୁ ବରମୁଣ୍ଡା ଯାଉଥିବା ୧୮ ନମ୍ବର ରୁଟରେ ରାଜକିଶୋର ଓ ତାଙ୍କ ପରିବାର ଲୋକ ବସରେ ଯାଉଥିଲେ। ତେବେ ରାଜକିଶୋରଙ୍କ ପକେଟରୁ ୫୦ ହଜାର ଟଙ୍କା ଚୋରି ହୋଇଥିବା କଥା ସେ ତ୍ରିଶୁଳିଆ ଷ୍ଟପେଜରୁ ବାହାରିବା ପରେ ଚନ୍ଦ୍ରଶେଖପୁର ନିକଟରେ ଜାଣିବାକୁ ପାଇଥିଲେ। ଏ ନେଇ ଚନ୍ଦ୍ରଶେଖରପୁର ଥାନାରେ ଅଭିଯୋଗ କରିଛନ୍ତି ରାଜକିଶୋର। ଚନ୍ଦ୍ରଶେଖରପୁର ଥାନା ପୁଲିସ ଘଟଣାର ତଦନ୍ତ ଆରମ୍ଭ କରିଛି।

ସେ କହିଛନ୍ତି, ମୁଁ ଓ ମୋ ପରିବାରର ସଦସ୍ୟ ବାଙ୍କୀରୁ ତ୍ରିଶୁଳିଆ ପରେ ଭୁବନେଶ୍ୱର ଆସୁଥିଲୁ। ତ୍ରିଶୁଳିଆରୁ ଆମେ ‘ମୋ ବସ’ରେ ଚଢ଼ିଥିଲୁ। ହେଲେ ବସଟି ପରବର୍ତ୍ତୀ ଷ୍ଟପେଜରେ ପହଁଚିବା ବେଳକୁ ଜାଣିବାକୁ ପାଇଥିଲୁ ଯେ ତାଙ୍କ ପକେଟରୁ ୫୦ ହଜାର ଟଙ୍କା ଚୋରି ହୋଇଯାଇଛି। ଏହାପରେ ତୁରନ୍ତ ବସ୍ କର୍ମଚାରୀଙ୍କୁ ଜଣାଇବା ପରେ ସମସ୍ତ ଯାତ୍ରୀଙ୍କ ଯାଞ୍ଚ କରାଯାଇଥିଲା। ହେଲେ ଚୋରି ହୋଇଥିବା ଟଙ୍କା ମିଳିନଥିଲା। ମୁଁ ଏବେ ଅସହାୟ ହୋଇପଡ଼ିଛି।

ମିଳିଥିବା ସୂଚନା ଅନୁସାରେ ରାଜକିଶୋର ପତ୍ନୀ ଓ ପୁଅ ସହିତ ଶାଢୀ କିଣିବାକୁ ରାଜଧାନୀ ଆସିଥିଲେ। ଝିଅ ବାହାଘର ଆଗକୁ ଅଛି। ଏହି ଟଙ୍କାରେ ସେ ଶାଢୀ କିଣିଥାନ୍ତେ ବୋଲି ସୂଚନା ଦେଇଛନ୍ତି। ଆଉ ଏହି ସମୟରେ ସେ ଲୁଟର ଶିକାର ହୋଇଛନ୍ତି ବୋଲି ରାଜକିଶୋର କହିଛନ୍ତି।

ତେବେ ଏହା ପ୍ରଥମ ଘଟଣା ନୁହେଁ, ପୂର୍ବରୁ ମଧ୍ୟ ଲୁଟେରମାନେ ଦିନ ଦ୍ବିପ୍ରହରରେ ଯାତ୍ରୀଙ୍କଠୁ ମୋ ବସରେ ଲୁଟ୍ କରିଛନ୍ତି। ହେଲେ କମିଶନରେଟ ପୋଲିସ ପାଇଁ ଏହା ନିତିଦିନିଆ ଘଟଣା ହୋଇଥିବାରୁ ପୋଲିସ ଆଉ ସେତେଟା ଗୁରୁତ୍ୱ ଦେଉନାହିଁ। ଯାହାର ସୁଯୋଗ ନେଇ ଛିନତାଇ ଗ୍ୟାଙ୍ଗ କମିଶନରେଟ ପୋଲିସର ଛାତି ଉପରେ ଲୁଟ୍ କରୁଛନ୍ତି।

Leave A Reply

Your email address will not be published.