Latest Odisha News

BREAKING NEWS

ଓଡ଼ିଶା ରାଜ୍ୟ ପୁସ୍ତକ ମହୋତ୍ସବ ‘ଅକ୍ଷର’ ଉଦ୍‌ଘାଟିତ

ଭୁବନେଶ୍ୱର : ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ଆନୁକୂଲ୍ୟରେ ରାଜଧାନୀ ପୁସ୍ତକ ମେଳା, ଏକାମ୍ର ପୁସ୍ତକ ମହୋତ୍ସବ କମିଟି, ଓଡ଼ିଶା ପୁସ୍ତକ ପ୍ରକାଶକ ଓ ବିକ୍ରେତା ସଂଘ ସହଯୋଗରେ ପଞ୍ଚମ ଓଡ଼ିଶା ରାଜ୍ୟ ପୁସ୍ତକ ମହୋତ୍ସବ ‘ଅକ୍ଷର’ର ଶୁଭ ଉଦ୍‌ଘାଟନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଦ୍ୱାରା ହୋଇଯାଇଛି ।ପୁସ୍ତକ ମେଳା ଭାଷା ଓ ସାହିତ୍ୟର ପ୍ରସାର ସହିତ ପ୍ରକାଶନ ଶିଳ୍ପର ଅଭିବୃଦ୍ଧି ଦିଗରେ ଉଲ୍ଲେଖନୀୟ ଭୂମିକା ଗ୍ରହଣ କରିଆସିଛି । ଏହା ଦ୍ୱାରା ରାଜ୍ୟ ବାହାରର ଅନେକ ପ୍ରଥିତଯଶା ସାହିତି୍ୟକମାନଙ୍କ ଲେଖାମାନ ଅଗଣିତ ପୁସ୍ତକପ୍ରେମୀ ଓ ଛାତ୍ରଛାତ୍ରୀ ପଢ଼ି ପାରିବାର ସୁଯୋଗ ପାଇପାରିବେ ବୋଲି ମୁଖ୍ୟମନ୍ତ୍ରୀ ତାଙ୍କ ବାର୍ତ୍ତାରେ ଉଲ୍ଲେଖ କରିଛନ୍ତି ।

ଉକ୍ତ ଉଦ୍‌ଘାଟନୀ ଉତ୍ସବରେ ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ମନ୍ତ୍ରୀ ଅଶ୍ୱିନୀ କୁମାର ପାତ୍ର ମୁଖ୍ୟ ଅତିଥି ଭାବେ ଯୋଗଦେଇ କହିଛନ୍ତି ଯେ  ଭାଷା ସମୃଦ୍ଧ ହେଲେ ଜାତି ସମୃଦ୍ଧ ହୋଇପାରିବ । ବହି ହେଉଛି ମଣିଷର ସ୍ୱାଭାବିକ ବନ୍ଧୁ । ବର୍ତ୍ତମାନର ସାମାଜିକ ଗଣମାଧ୍ୟମ ଯୁଗରେ ପୁସ୍ତକ ଏକ ପଠନ ପ୍ରକ୍ରିୟାର ଅପରିବର୍ତ୍ତିତ ମାଧ୍ୟମ ହୋଇ ରହିଛି ଓ ପୁସ୍ତକର କୌଣସି ବିକଳ୍ପ ନାହିଁ । ଅନ୍ୟତମ ମୁଖ୍ୟ ଅତିଥି ଭାବେ ଯୋଗଦେଇ ମୁଖ୍ୟମନ୍ତ୍ରୀଙ୍କ ମୁଖ୍ୟ ଉପଦେଷ୍ଟା ଆର୍‌. ବାଲାକି୍ରଷ୍ଣନ୍‌ କହିଲେ ଯେ ଭାଷା, ଐତିହ୍ୟ ଓ ସଂସ୍କୃତି ଏକ ଜାତିର ସୂକ୍ଷ୍ମଶକ୍ତି । ବର୍ତ୍ତମାନର ପରିସ୍ଥିତି ଅନୁଯାୟୀ ପୁସ୍ତକମାନ ମାତୃଭାଷାରେ ଲେଖାହେବା ଉଚିତ ଯାହା ଆଜିର ପିଢ଼ି ପାଇଁ ସହାୟକ ହୋଇପାରିବ । ପଠନ ଅଭ୍ୟାସ ଏକ ଆନ୍ଦୋଳନରେ ପରିଣତ ହୋଇପାରିଲେ ଉତ୍ତରପିଢ଼ିର ଭବିଷ୍ୟତ ସୁରକ୍ଷିତ ହୋଇପାରିବ ।

ମଧୁମିତା ମହାନ୍ତିଙ୍କ ସଂଯୋଜନା ଏବଂ ବିଭାଗୀୟ ନିର୍ଦ୍ଦେଶକ ଦିଲୀପ ରାଉତରାଏଙ୍କ ସ୍ୱାଗତ ଭାଷଣ ସହ ଆୟୋଜିତ ଏହି ସମାରୋହରେ ଅତିଥିମାନଙ୍କ ଦ୍ୱାରା ରାଜ୍ୟ ସଂଗ୍ରହାଳୟ ଅଧିକ୍ଷକ ଭାଗ୍ୟଲିପି ମଲ୍ଲଙ୍କ ଦ୍ୱାରା ଲିଖିତ ‘ସ୍ଥାପତ୍ୟ ଇତିହାସରେ ଶକ୍ତି ସଂହିତା’ ଓ ‘ରୂପରୂପାନ୍ତର’, ଭାରତୀ ପାଲଙ୍କ ଦ୍ୱାରା ରଚିତ ‘ଭଞ୍ଜ ଡାଇନେଷ୍ଟି ଅଫ୍‌ ମଞ୍ଜୁଳା ବକ’ ଏବଂ ଦୁଇଟି ସଂପାଦିତ ପୁସ୍ତକ ‘ଓଡ଼ିଶା ହିଷ୍ଟୋରିକାଲ୍‌ ରିସର୍ଚ୍ଚ ଜର୍ଣ୍ଣାଲ୍‌’ ଏବଂ ‘ସାରଳା ମହାଭାରତର ଚାରୋଟି ପର୍ବ’ ଉନ୍ମୋଚିତ ହୋଇଥିଲା । ପରିଶେଷରେ ଉପନିର୍ଦ୍ଦେଶକ ସନ୍ତୋଷ କୁମାର ଚାଟାର୍ଜୀ ଧନ୍ୟବାଦ ଅର୍ପଣ କରିଥିଲେ ।

ଏହି ମେଳାରେ ୫୭୨ଟି ଷ୍ଟଲ ରହିଛି ଏବଂ ଏହା ଡିସେମ୍ବର ୧୦ ତାରିଖ ପର୍ଯ୍ୟନ୍ତ ପ୍ରତ୍ୟହ ଅପରାହ୍ନ ୨ଟାରୁ ରାତି ୯ଟା ପର୍ଯ୍ୟନ୍ତ ସର୍ବସାଧାରଣଙ୍କ ନିମନ୍ତେ ଖୋଲା ରହିବ ।

Leave A Reply

Your email address will not be published.