Latest Odisha News

BREAKING NEWS

୫ରେ ଆନ୍ଧ୍ରପ୍ରଦେଶରେ ମାଡ ହେବ ବାତ୍ୟା ‘ମିଚାଉଙ୍ଗ’, ପ୍ରବଳ ବର୍ଷା ନେଇ ଆଲର୍ଟ ଜାରି କଲା IMD

ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ ଅବପାତର ରୂପ ନେବା ପରେ ଘନୀଭୂତ ହେବାରେ ଲାଗିଛି । ଏହା ଆଜି ଗଭୀର ଅବପାତରେ ପରିଣତ ହେବା ସମ୍ଭାବନା ରହିଛି। ଆସନ୍ତାକାଲି ଦକ୍ଷିଣ ପଶ୍ଚିମ ବଙ୍ଗୋପସାଗରରେ ଏହା ବାତ୍ୟାର ରୂପ ନେଇପାରେ

ନୂଆଦିଲ୍ଲୀ: ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ କାରଣରୁ ଆନ୍ଧ୍ରପ୍ରଦେଶ ଏବଂ ତାମିଲନାଡୁରେ ପ୍ରବଳ ବର୍ଷା ହେବା ନେଇ ଚେତାବନୀ ଜାରି କରିଛି ଆଇଏମଡି । ଆଇଏମଡି ଅନୁଯାୟୀ, ଡିସେମ୍ବର ୫ରେ ବତ୍ୟା ‘ମିଚାଉଙ୍ଗ’ ଆନ୍ଧ୍ରପ୍ରଦେଶର ଉପକୂଳରେ ସ୍ଥଳଭାଗ ଛୁଇଁବ । ଯାହାର ପ୍ରଭାବରେ ଉପକୂଳବର୍ତ୍ତୀ ଅଞ୍ଚଳରେ ପ୍ରବଳ ପବନ ଓ ବର୍ଷା ହେବାର ସମ୍ଭାବନା ରହିଛି ।

ବାତ୍ୟା ‘ମିଚାଉଙ୍ଗ’କୁ ଦୃଷ୍ଟିରେ ରଖି ଜାତୀୟ ସଙ୍କଟ ପରିଚାଳନା କମିଟି (ଏନସିଏମସି) ଶୁକ୍ରବାର (ଡିସେମ୍ବର 1, 2023) ରାଜ୍ୟ ସରକାର ଏବଂ କେନ୍ଦ୍ର ମନ୍ତ୍ରଣାଳୟ ଏବଂ ସମସ୍ତ ବିଭାଗ ସହ ମିଶି ବାତ୍ୟା ମୁକାବୁଲା ନେଇ ଏକ ସମୀକ୍ଷା ବୈଠକ କରିଛି । ବିବୃତ୍ତି ଅନୁଯାୟୀ, ପର୍ଯ୍ୟାପ୍ତ ସଂଖ୍ୟକ ଆଶ୍ରୟସ୍ଥଳ, ବିଦ୍ୟୁତ୍ ଯୋଗାଣ, ଔଷଧ ଏବଂ ଜରୁରୀକାଳୀନ ସେବା ପ୍ରସ୍ତୁତ ଥିବାବେଳେ ମତ୍ସ୍ୟଜୀବୀଙ୍କୁ ସମୁଦ୍ର ଭିତରକୁ ନ ଯିବାକୁ ବାରଣ କରାଯାଇଥିବା ବୈଠକରେ ସୂଚନା ଦିଆଯାଇଛି ।

ତାମିଲନାଡୁ, ଆନ୍ଧ୍ରପ୍ରଦେଶ, ଓଡିଶା ଏବଂ ପୁଡୁଚେରୀ ପାଇଁ NDRFର ୧୮ ଟି ଉଦ୍ଧାରକାରୀ ଦଳ ଏବଂ ୧୦ ଟି ଅତିରିକ୍ତ ଦଳ ପ୍ରସ୍ତୁତ ରହିଛନ୍ତି । କୋଷ୍ଟଗାର୍ଡ, ସେନା ଏବଂ ନୌସେନାର ଉଦ୍ଧାରକାରୀ ଦଳ ଜାହାଜ ଏବଂ ବିମାନ ସହିତ ପ୍ରସ୍ତୁତ ରହିଛି । କେନ୍ଦ୍ରୀୟ ଏଜେନ୍ସି ଏବଂ ତାମିଲନାଡୁ, ଆନ୍ଧ୍ରପ୍ରଦେଶ, ଓଡ଼ିଶା ଏବଂ ପୁଡୁଚେରୀ ସରକାରଙ୍କ ପ୍ରସ୍ତୁତିକୁ ସମୀକ୍ଷା କରି କ୍ୟାବିନେଟ ସଚିବ କହିଛନ୍ତି ଯେ କେନ୍ଦ୍ରୀୟ ଟିମ୍ ସେମାନଙ୍କୁ ସହାୟତା କରିବାକୁ ପ୍ରସ୍ତୁତ ରହିଛି । ରାଜ୍ୟ ସରକାରଙ୍କ ଅଧିକାରୀଙ୍କ ଦ୍ଵାରା ସମସ୍ତ ସତର୍କତାମୂଳକ ପଦକ୍ଷେପ ଗ୍ରହଣ କରାଯିବା ଉଚିତ।

ଏହି ଘୂର୍ଣ୍ଣିବଳୟ ପଶ୍ଚିମ-ଉତ୍ତର-ପଶ୍ଚିମ ଦିଗକୁ ଗତି କରିବ, ଆଜି ଗଭୀର ଅବପାତରେ ପରିଣତ ହୋଇ ଏହା ଉତ୍ତର-ପଶ୍ଚିମ ଆଡକୁ ଗତି କରିବ ଏବଂ ଡିସେମ୍ବର ୪ ରେ ଦକ୍ଷିଣ ଆନ୍ଧ୍ରପ୍ରଦେଶ ଏବଂ ଉତ୍ତର ତାମିଲନାଡୁ ଉପକୂଳରେ ପହଞ୍ଚିବ |  ଡିସେମ୍ବର ୫ରେ ଏହା ନେଲୋର ଏବଂ ମଚ୍ଛଲିପଟ୍ଟନମ୍ ମଧ୍ୟରେ ସ୍ଥଳଭାଗ ଛୁଇଁବ । ସ୍ଥଳଭାଗ ଛୁଇଁବା ବେଳେ ପବନର ବେଗ ଘଣ୍ଟା ପ୍ରତି ୮୦-୯୦ କିଲୋମିଟର ରହିବ |

 

 

 

 

Leave A Reply

Your email address will not be published.