ଭୁବନେଶ୍ବର: ଓଡ଼ିଶା ରାଜ୍ୟ ଚଳଚ୍ଚିତ୍ର ପୁରସ୍କାର ଘୋଷଣା କରାଯାଇଛି । ଏକାଥରକେ ତିନି ବର୍ଷ ଯଥା, ୨୦୨୦, ୨୦୨୧ ଓ ୨୦୨୨ ମସିହା ପାଇଁ ଘୋଷଣା ହୋଇଛି ଏହି ପୁରସ୍କାର । ୨୦୨୦ ମସିହା ପାଇଁ ଶ୍ରେଷ୍ଠ ଚଳଚ୍ଚିତ୍ର ଭାବେ ବିଶ୍ୱନାଥ ପଟ୍ଟନାୟକଙ୍କ ଫିଲ୍ମ ‘ସହିଦ୍ ରଘୁ ସର୍ଦ୍ଦାର’କୁ ମନୋନିତ କରାଯାଇଛି ।
ସେହିପରି, ୨୦୨୧ ପାଇଁ ‘ପ୍ରତୀକ୍ଷା’ ଓ ଅତିଶ କୁମାର ରାଉତଙ୍କ ‘ଡାଲ୍ଚିନି’କୁ ଶ୍ରେଷ୍ଠ ଓଡ଼ିଶା ଚଳଚ୍ଚିତ୍ର ପୁରସ୍କାର ମିଳିଥିବା ବେଳେ ୨୦୨୨ ପାଇଁ ‘ଦମନ’କୁ ଶ୍ରେଷ୍ଠ ଓଡ଼ିଆ ଚଳଚ୍ଚିତ୍ର ବିବେଚିତ ହୋଇଛି । ‘ଦମନ’ ପାଇଁ ଆକ୍ଟର ବାବୁସାନ ମହାନ୍ତିଙ୍କୁ ଶ୍ରେଷ୍ଠ ଅଭିନେତାଙ୍କର ପୁରସ୍କାର ପ୍ରଦାନ କରାଯାଇଛି । ୨୦୨୨ ବର୍ଷ ପାଇଁ ଜୟୀରାମ ସାମଲ ପାଇବେ ଜୀବନବ୍ୟାପୀ ସାଧନା ସମ୍ମାନ ।
୨୦୨୦ ମସିହା ପାଇଁ ବିଶିଷ୍ଟ ଲେଖକ ତଥା ନାଟ୍ୟକାର ଅନନ୍ତ ମହାପାତ୍ରଙ୍କୁ ଜୀବନବ୍ୟାପୀ ସାଧନା ପାଇଁ ପ୍ରଦାନ କରାଯିବ ‘ମୋହନ ସ୍ୱାମୀ ଗୋସ୍ୱାମୀ ପୁରସ୍କାର’। ସେହିପରି ଶଙ୍କର ପ୍ରଧାନଙ୍କୁ ୨୦୨୧ ପାଇଁ ଶ୍ରେଷ୍ଠ ହାସ୍ୟ କଳାକାର ପୁରସ୍କାର ପ୍ରଦାନ କରାଯାଇଛି, ଫିଲ୍ମ ଅରୁନ୍ଧତୀ ପାଇଁ ତାଙ୍କୁ ଏହି ପୁରସ୍କାର ମିଳିଛି ।
ବିଶ୍ୱାସ ଫିଲ୍ମ ପାଇଁ ନବନୀତ ମହାନ୍ତିଙ୍କୁ ଶ୍ରେଷ୍ଠ ଶିଶୁ ଅଭିନେତା ଭାବେ ବିବେଚିତ କରାଯାଇଥିବା ବେଳେ ଅଭିନେତା କୁନା ତ୍ରିପାଠିଙ୍କୁ ଖଳ ଅଭିନେତା ପୁରସ୍କାର ପ୍ରଦାନ କରାଯିବ । ଚକ୍ଷୁ ବନ୍ଧନ ସିନେମା ପାଇଁ ଶ୍ରେଷ୍ଠ ଖଳ ଅଭିନେତ୍ରୀ ଇଶାନି ଶେନ ଗୁପ୍ତାଙ୍କୁ ପୁରସ୍କାର ପ୍ରଦାନ କରାଯିବ ।
Comments are closed.