Latest Odisha News

BREAKING NEWS

ସିଙ୍ଗାପୁରରୁ ଫେରିଲେ ୪୦ ଛାତ୍ରଛାତ୍ରୀ, ରୋବୋଟିକ୍ସ ଓ ଡ୍ରୋନ୍ ଟେକ୍ନୋଲୋଜି ବିଷୟରେ ନେଲେ ତାଲିମ

ଭୁବନେଶ୍ୱର: ସିଙ୍ଗାପୁରର ଇନଷ୍ଟିଚ୍ୟୁଟ ଅଫ୍ ଟେକ୍‌ନିକାଲ ଏଜୁକେସନରେ (ଆଇଟିଇ) ‘ଷ୍ଟୁଡେଣ୍ଟ ଏକ୍ସଚେଞ୍ଜ’ କାର୍ଯ୍ୟକ୍ରମ ସାରି ଭୁବନେଶ୍ୱର ଫେରିଛନ୍ତି ବିଶ୍ୱ ଦକ୍ଷତା କେନ୍ଦ୍ରର ୪୦ ଛାତ୍ରଛାତ୍ରୀ । ଏହି କାର୍ଯ୍ୟକ୍ରମରେ ବିଶ୍ୱ ଦକ୍ଷତା କେନ୍ଦ୍ରର ଛାତ୍ରଛାତ୍ରୀମାନେ ‘ଆଇଟିଇ’ରେ ଅତ୍ୟାଧୁନିକ ଡ୍ରୋନ ଟେକ୍ନୋଲୋଜି ଏବଂ ରୋବୋଟିକ୍ସ ବିଷୟରେ ଅତିରିକ୍ତ ତାଲିମ ନେଇଥିଲେ । ଡ୍ରୋନ୍ ଏବଂ ରୋବୋଟିକ୍ସର କୋର୍ଡିଂ ଓ ଏହାର ପରିଚାଳନା ବିଷୟରେ ସେମାନେ ଅଧିକ ଶିକ୍ଷାଲାଭ କରିଥିଲେ ।

ଏହି ଅବସରରେ ଛାତ୍ରଛାତ୍ରୀମାନେ ସିଙ୍ଗାପୁରର ବିଜ୍ଞାନ କେନ୍ଦ୍ର ପରିଦର୍ଶନରେ ଯାଇଥିଲେ । ସେଠାରେ ସେମାନେ ଅତ୍ୟାଧୁନିକ ଜ୍ଞାନକୌଶଳରେ ନିର୍ମିତ ବିଭିନ୍ନ ଉପକରଣ ବୁଲି ଦେଖିବା ସହ ଏହାର ପ୍ରୟୋଗ ବିଷୟରେ ପଚାରି ବୁଝିଥିଲେ । ଓଡ଼ିଶା ଦକ୍ଷତା ବିକାଶ କର୍ତ୍ତୃପକ୍ଷର ଅଧ୍ୟକ୍ଷା ତଥା ବିଶ୍ୱ ଦକ୍ଷତା କେନ୍ଦ୍ରର ସିଇଓ ଅଳକା ମିଶ୍ର ଏହି ଛାତ୍ରଛାତ୍ରୀଙ୍କୁ ଅଭିନନ୍ଦନ ଜଣାଇଛନ୍ତି । ବିଦେଶରୁ ସେମାନେ ଯେଉଁ ଅନୁଭୂତି ନେଇ ଫେରିଛନ୍ତି ତାହା ସେମାନଙ୍କ କ୍ୟାରିୟରରେ ଦେଖି୍‌ଥିବା ସ୍ୱପ୍ନ ସାକାର କରିବାରେ ସହାଯ୍ୟ କରିବ ବୋଲି ସେ କହିଛନ୍ତି ।

ତାଲିମ୍ ନେଇ ଫେରିଥିବା ଛାତ୍ରୀ ରୋଶ୍ନୀ ସାହୁ କହିଛନ୍ତି ଯେ, ରୋବୋଟିକ୍ସରେ ମୁଁ କ୍ୟାରିୟର କରିବାକୁ ଚାହୁଁଛି । ବିଶ୍ୱ ଦକ୍ଷତା କେନ୍ଦ୍ରର ମେକାଟ୍ରୋନ୍ସିକ୍ସରେ ଏହି ଅତ୍ୟାଧୁନିକ ବିଷୟରେ ଆମକୁ ତାଲିମ ଦିଆଯାଉଛି । ତେବେ ସିଙ୍ଗାପୁରରେ ଏ ବିଷୟରେ ମୁଁ ଅଧିକ ଜାଣିବାର ସୁଯୋଗ ପାଇଲି । ଆଗାମୀ ଦିନରେ ମୋ’ କ୍ୟାରିୟର ପାଇଁ ଏହା ବଡ଼ ସହାୟକ ହେବ ବୋଲି ସେ କହିଛନ୍ତି । ସେହିପରି ଛାତ୍ର ବି. ସନ୍ଦୀପ ପାତ୍ର କହିଛନ୍ତି ଯେ, ବିମାନ ଯୋଗେ ସିଙ୍ଗାପୁର ଯିବା ମୋ’ ପାଇଁ ପ୍ରଥମ । ସେଠାରେ ଡ୍ରୋନ୍ ଟେକ୍ନାଲୋଜି ବିଷୟରେ ଅଧିକ ଶିଖିବାକୁ ମିଳିଲା । ନିଜ ହାତରେ ଆମେ ଡ୍ରୋନ୍ ଚଲାଇଲୁ । ତା’ଛଡ଼ା ସିଙ୍ଗାପୁରର ପରିବେଶକୁ ଅତି ପାଖରୁ ଦେଖିବାର ସୁଯୋଗ ପାଇଲୁ । ଶେଷରେ ଏହି ସମସ୍ତ ଛାତ୍ରଛାତ୍ରୀଙ୍କୁ ଆଇଟିଇ ପକ୍ଷରୁ ପ୍ରମାଣପତ୍ର ପ୍ରଦାନ କରାଯାଇଥିଲା ।

Comments are closed.