ସୁନ୍ଦରଗଡ଼: ଭିଜିଲାନ୍ସ ଜାଲରେ ତହସିଲଦାର। ଗାଡ଼ି ଯାଞ୍ଚ ବେଳେ ତାଙ୍କ ନିକଟରୁ ୫ ଲକ୍ଷ ଟଙ୍କା ନଗଦ ମିଳିଛି। ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗ ନେଇ ତହସିଲଦାରଙ୍କ ଘରେ ଭିଜିଲାନ୍ସ ରେଡ କରିଛି। ସୁନ୍ଦରଗଡ଼ ଜିଲ୍ଲା ଲାଠିକଟା ତହସିଲଦାର ତଥା ସବ୍ରେଜିଷ୍ଟ୍ରାର ମୁରଲୀଧର ଉର୍ମାଲଙ୍କୁ ରାଜାବସା ଛକ ନିକଟରେ କାବୁ କରିଛି। ମୁରଲୀଧର ଉର୍ମାଲ ଲାଠିକଟା କାର୍ଯ୍ୟାଳୟରୁ ଭଡ଼ା ଅଫିସ୍ ଗାଡ଼ି ସ୍କର୍ପିଓରେ ରାଉରକେଲାସ୍ଥିତ ନିଜ ବାସଭବନକୁ ଯାଉଥିଲେ।
ରାଜାବସା ଛକ ନିକଟରେ ତାଙ୍କୁ ଅଟକାଯାଇଥିଲା । ଗାଡ଼ି ଯାଞ୍ଚ ବେଳେ ତାଙ୍କ ନିକଟରୁ ୫ ଲକ୍ଷ ଟଙ୍କା ନଗଦ ମିଳିଥିଲା । ଉକ୍ତ ଟଙ୍କାର ଉତ୍ସ ସମ୍ପର୍କରେ ଉର୍ମାଲ ସନ୍ତୋଷଜନକ ଭାବେ ଉତ୍ତର ଦେଇପାରିନଥିଲେ । ଭିଜିଲାନ୍ସ ପକ୍ଷରୁ ସମ୍ପୂର୍ଣ୍ଣ ୫ ଲକ୍ଷ ଟଙ୍କା ଜବତ କରାଯାଇଛି । ଏଥିସହ ସେ ଯାତ୍ରା କରୁଥିବା ସ୍କର୍ପିଓ ଗାଡ଼ିକୁ ମଧ୍ୟ ଜବତ କରାଯାଇଛି । ଏହାପରେ ମୁରଲୀଧର ଉର୍ମାଲଙ୍କ ସହ ସମ୍ପର୍କିତ ୩ଟି ସ୍ଥାନରେ ଏକକାଳୀନ ତଲାସି ଆରମ୍ଭ କରିଛି ଓଡ଼ିଶା ଭିଜିଲାନ୍ସ । ଆୟ ବହିର୍ଭୂତ ସମ୍ପତ୍ତି ଦିଗରୁ ଏହି ତଲାସି ଚାଲିଥିବା ବେଳେ ଅଧିକ ତଥ୍ୟ ଓ ସମ୍ପତ୍ତିର ହିସାବ ମିଳିବାର ସମ୍ଭାବନା ରହିଛି ।


Comments are closed.