Latest Odisha News

BREAKING NEWS

ଚାଷୀଙ୍କ ଧାନବିକ୍ରୀ ଲାଗି ଅନଲାଇନ୍ ଟୋକେନ୍ ବ୍ୟବସ୍ଥା ରହିବ: ମନ୍ତ୍ରୀ

ଭୁବନେଶ୍ୱର: ପଶ୍ଚିମ ଓଡ଼ିଶାରେ ଟୋକେନ୍ ଉଚ୍ଛେଦ ଲାଗି ଧାନଚାଷୀଙ୍କ ଆନ୍ଦୋଳନ ତେଜୁଥିବା ବେଳେ ଏହାକୁ ଦୃଷ୍ଟିରେ ରଖି ବୁଧବାର ଦିନ ଅନଲାଇନ ଟୋକେନ୍ ବ୍ୟବସ୍ଥା ଲାଗୁ କରିବାକୁ ରାଜ୍ୟ ସରକାର ସ୍ଥିର କରିଛନ୍ତି ।

“ମୁଁ ଗତକାଲି ବିଧାନସଭାର ସଦସ୍ୟମାନଙ୍କୁ ତଥା ଗଣମାଧ୍ୟମର ପ୍ରତିନିଧିଙ୍କୁ ଏସମ୍ପର୍କରେ କହିଥିଲି । ମୁଁ ଗଣମାଧ୍ୟମ ଆଗରେ ପ୍ରକାଶ କରି କହୁଛି ଯେ, ଆମେ ଯେଉଁ ଅନଲାଇନ ଟୋକେନ୍ ବ୍ୟବସ୍ଥା ପ୍ରଚଳନ କରିବାକୁ ଯାଉଛୁ ସେଥିରେ ଚାଷୀମାନେ ଉପକୃତ ହୋଇପାରିବେ । ଏଥିରେ ସ୍ୱଚ୍ଛତା ରହିଥିବା ସହିତ ଚାଷୀମାନେ ପ୍ରକୃତ ମୂଲ୍ୟ ପାଇପାରିବେ,” ବୋଲି ରାଜ୍ୟ ଖାଦ୍ୟ ଯୋଗାଣ ଓ ସମବାୟ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁ କହିଛନ୍ତି ।

ଏହି ନୂଆ ପଦ୍ଧତିକୁ ଚାଷୀମାନେ ଆପଣେଇ ନେବା ସମ୍ପର୍କରେ ମନ୍ତ୍ରୀ କହିଛନ୍ତି, “ଏହା ଏକ ସୁବ୍ୟବସ୍ଥ୍ା ତଥା ଚାଷୀମାନେ ନିଶ୍ଚିତଭାବେ ତାଙ୍କର ଉଚିତ୍ ପ୍ରାପ୍ୟ ପାଇପାରିବେ । ଯଦି ଏହି ବ୍ୟବସ୍ଥ୍ାରେ କିଛି ବି ତ୍ରୁଟି ରହିଛି ଏହାର ସମାଧାନ ପାଇଁ କୌଣସି ବି ଚାଷୀ ଏନେଇ ପରାମର୍ଶ ଦେଲେ ତାକୁ ନିଶ୍ଚିତ ରୂପେ ଗ୍ରହଣ କରାଯିବ,” ବୋଲି ମନ୍ତ୍ରୀ ଗଣମାଧ୍ୟମ ଆଗରେ ପ୍ରକାଶ କରିଛନ୍ତି ।

ଏହି ଅନଲାଇନ୍ ଟୋକେନ୍ ବ୍ୟବସ୍ଥାର ଉଚ୍ଛେଦ ନେଇ ଯେଉଁ କଳ୍ପନାଜଳ୍ପନା ପାଇଥିଲା ତାହାକୁ ଖଣ୍ଡନ କରି ମନ୍ତ୍ରୀ କହିଛନ୍ତି, “ଏହି ବ୍ୟବସ୍ଥାର ଉଚ୍ଛେଦ ଲାଗି ସରକାରଙ୍କ ପକ୍ଷରୁ କୌଣସି ପ୍ରସ୍ତାବ ନାହିଁ, ଏହି ପଦ୍ଧତି ପୂର୍ବରୁ ଥିଲା ଏହା ମଧ୍ୟ ବଳବତ୍ତର ରହିବ,” ବୋଲି ମନ୍ତ୍ରୀ ସୂଚନା ପ୍ରଦାନ କରିଛନ୍ତି ।

ଏଠାରେ ଉଲ୍ଲେଖଯୋଗ୍ୟ, ଏହି ପ୍ରସଙ୍ଗକୁ ନଭେମ୍ବର ୧୭ ତାରିଖରେ ବିଧାନସଭାରେ କଂଗ୍ରେସ ବିଧାୟକ ଦଳ ଉଠାଇଥିଲା ।

ଏସମ୍ପର୍କରେ କଂଗ୍ରେସ ବିଧାୟକ ଦଳ ନେତା ନରସିଂହ ମିଶ୍ର କହିଛନ୍ତି, ନଭେମ୍ବର ୧୫ ତାରିଖରୁ ଧାନବିକ୍ରି ଲାଗି ଅନଲାଇନ ଟୋକେନ ବ୍ୟବସ୍ଥା ଆରମ୍ଭ କରିବାକୁ ସରକାର ଘୋଷଣା କରିଥିଲେ । ମାତ୍ର ଏପର୍ଯ୍ୟନ୍ତ ପଶ୍ଚିମ ଓଡ଼ିଶାର ଚାଷୀମାନେ ଟୋକେନ୍ ପାଇନାହାନ୍ତି ।

Leave A Reply

Your email address will not be published.