Latest Odisha News

ଓଡ଼ିଶା ସରକାର କରିବେ ନିଯୁକ୍ତି ମେଳା, ମିଳିବ ୩୫ ହଜାର ଚାକିରି

ଭୁବନେଶ୍ୱର: ରାଜ୍ୟବାସୀଙ୍କ ପାଇଁ ଖୁସି ଖବର। ଓଡ଼ିଶା ସରକାର କରିବେ ନିଯୁକ୍ତି। ମିଳିବ ୩୫ ହଜାର ଚାକିରି। ନିର୍ବାଚନ ବେଳେ ବିଜେପି ଦେଇଥିବା ପ୍ରତିଶ୍ରୁତି ପୂରଣ କରିବା ପାଇଁ ଅଣ୍ଟା ଭିଡିଛନ୍ତି ରାଜ୍ୟ ସରକାର । ଏଥିପାଇଁ ପ୍ଲାନ ଅଫ୍ ଆକ୍ସନ ପ୍ରସ୍ତୁତ କରିଛନ୍ତି ମୋହନ ସରକାର।

ଆସନ୍ତା ମାସ ଅର୍ଥାତ୍ ସେପ୍ଟେମ୍ବରରେ ମୋହନ ସରକାର କରିବେ ନିଯୁକ୍ତି ମେଳା। ରାଜ୍ୟ ସରକାର ଖୁବ୍ ଶୀଘ୍ର ପ୍ରାୟ ୩୫ ହଜାର ନିଯୁକ୍ତି ଦେବେ। ତେବେ ସରକାର ନିଯୁକ୍ତି ମେଳା କରି ନିଯୁକ୍ତି ପତ୍ର ବଣ୍ଟନ କରିବାକୁ ନିଷ୍ପତ୍ତି ନେଇଛନ୍ତି । ବିଭିନ୍ନ ବିଭାଗରେ ଖାଲି ପଡିଥିବା ପଦବୀକୁ ଦେଖି ବିଜ୍ଞାପନ ମଧ୍ୟ ପ୍ରକାଶ କରାଯିବ। ଆସନ୍ତା ମାସରେ ବିଭିନ୍ନ ବର୍ଗର ପ୍ରାୟ ୨୨ ହଜାର ପଦବୀର ନିଯୁକ୍ତିପତ୍ର ସରକାର ବାଣ୍ଟିବେ।

୭୮ ହଜାର ୯୧୯ଟି ପଦବୀ ପୂରଣ ପାଇଁ ପଦକ୍ଷେପ ନେଇ ପରୀକ୍ଷା କରିବାକୁ ବିଭିନ୍ନ ବିଭାଗ ଓ ସଂସ୍ଥାକୁ ନିର୍ଦ୍ଦେଶ ଦିଆଯାଇଛି। ଦୁଇ ବର୍ଷ ମଧ୍ୟରେ ୬୫ ହଜାର ପଦବୀ ପାଇଁ ନିଯୁକ୍ତି ସମାପ୍ତ ହେବ। ପ୍ରାଥମିକତା ଭିତ୍ତିରେ ଅନ୍ୟ ପଛୁଆ ଶ୍ରେଣୀ (ଓବିସି) ଏବଂ ଅର୍ଥନୈତିକ ଦୁର୍ବଳ ବିଭାଗ (EWS) ପାଇଁ ଖାଲିଥିବା ପଦବୀ ପୂରଣ ହେବ।

ରାଜ୍ୟରେ ୩ ଲକ୍ଷ ୯୯ ହଜାର ୬୬୬ଟି ମଞ୍ଜୁରୀପ୍ରାପ୍ତ ପଦବୀ ମଧ୍ୟରୁ ଖାଲିପଡିଥିବା ୧ ଲକ୍ଷ ୩୨ ହଜାର ୪୫୯ ଟି ପଦବୀ ସରକାର ପୂରଣ କରିବାକୁ ନିଷ୍ପତ୍ତି ନେଇଛନ୍ତି। କ୍ଷମତାପ୍ରାପ୍ତ କମିଟି ୯୨ ହଜାର ୨୦୩ ଟି ପଦବୀକୁ ମଞ୍ଜୁର କରିଛନ୍ତି। ଖାଲି ପଡିଥିବା ପଦବୀ ନିର୍ଦ୍ଦିଷ୍ଟ ସମୟସୀମା ମଧ୍ୟରେ ପୂରଣ କରିବାକୁ ନିର୍ଦ୍ଦେଶ ଦିଆଯାଇଛି।

୪ ମାସ ମଧ୍ୟରେ ୯୨ ହଜାର ପିଲାଙ୍କୁ ନିଯୁକ୍ତି ଦେବେ ରାଜ୍ୟ ସରକାର । ପଦବୀ ଗୁଡ଼ିକ ପୂରଣ ପାଇଁ ଆରମ୍ଭ ହୋଇଛି ପ୍ରକ୍ରିୟା। ବିଭିନ୍ନ ବିଭାଗକୁ ନିର୍ଦ୍ଦେଶ ଦେଲେ ରାଜ୍ୟ ସରକାର । ସରକାରୀ ନିଯୁକ୍ତି ସଂପର୍କରେ ଡିସେମ୍ବର ସୁଦ୍ଧା ବିଜ୍ଞାପନ ପ୍ରକାଶ କରିବାକୁ ମଧ୍ୟ କୁହାଯାଇଛି।

Comments are closed.