ଭୁବନେଶ୍ୱର: ଛାତ୍ରଛାତ୍ରୀଙ୍କ ମଧ୍ୟରେ ଆଧ୍ୟାତ୍ମିକ ଚେତନା ଏବଂ ମୂଲ୍ୟବୋଧ ବୃଦ୍ଧି ପାଇଁ ଓଡ଼ିଶାରେ ରାଜ୍ୟସ୍ତରୀୟ ଗୀତାପାଠ ପ୍ରତିଯୋଗିତା ଆୟୋଜନ କରାଯିବା ନେଇ ପଦକ୍ଷେପ ନିଆଯାଉଛି। ଏହା ଦ୍ୱାରା ପିଲାମାନେ ପାଠପଢ଼ା ସହିତ ନୀତିଶିକ୍ଷା ଓ ସାଂସ୍କୃତିକ ଜ୍ଞାନ ପାଇପାରିବେ। ଛାତ୍ରଛାତ୍ରୀଙ୍କ ମଧ୍ୟରେ ଭଗବଦ୍ଗୀତାର ଜ୍ଞାନ ଓ ଆଧ୍ୟାତ୍ମିକ ଚେତନା ବୃଦ୍ଧି ଲକ୍ଷ୍ୟରେ ରାଜ୍ୟରେ ଆୟୋଜିତ ହେବ ଗୀତା ପାଠ ପ୍ରତିଯୋଗିତା ଓ ଗୀତା ଜ୍ଞାନ ପରୀକ୍ଷା। ପ୍ରଜ୍ଞାନ ମିଶନ ପକ୍ଷରୁ ଆୟୋଜିତ ହେବାକୁ ଯାଉଛି ଏହି କାର୍ଯ୍ୟକ୍ରମ।
ଏହି କାର୍ଯ୍ୟକ୍ରମରେ ରାଜ୍ୟର ସମସ୍ତ ଜିଲ୍ଲାର ସ୍କୁଲ, କଲେଜ ଓ ବିଶ୍ୱବିଦ୍ୟାଳୟର ଛାତ୍ରଛାତ୍ରୀ ସାମିଲ ହୋଇପାରିବେ। ଏନେଇ ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ସମସ୍ତ ବିଶ୍ୱବିଦ୍ୟାଳୟ ଓ ସରକାରୀ/ଅନୁଦାନପ୍ରାପ୍ତ କଲେଜକୁ ଅବଗତ କରାଯାଇଛି। ଭଗବଦ୍ଗୀତାର ଷଷ୍ଠ ଅଧ୍ୟାୟ ‘ଆତ୍ମସଂଯମ ଯୋଗ’କୁ ଆଧାର କରି ଗୀତା ପାଠ ପ୍ରତିଯୋଗିତା ହେବ। ପ୍ରଥମ ପର୍ଯ୍ୟାୟରେ ଜିଲ୍ଲାସ୍ତରୀୟ ପ୍ରତିଯୋଗିତା ହେବ ଏବଂ ସେଠାରୁ ବିଜେତାମାନେ ରାଜ୍ୟସ୍ତରୀୟ ପ୍ରତିଯୋଗିତାରେ ଭାଗ ନେବେ।
ଜିଲ୍ଲାସ୍ତରୀୟ ପ୍ରତିଯୋଗିତାର ବିଜେତାଙ୍କୁ ନେଇ ଡିସେମ୍ବର ୨୬ ଓ ୨୭, ୨୦୨୬ରେ ପୁରୀର ବାଲିଘାଇସ୍ଥିତ ହରିହରାନନ୍ଦ ଗୁରୁକୁଳମ୍ରେ ରାଜ୍ୟସ୍ତରୀୟ ଗୀତା ପାଠ ପ୍ରତିଯୋଗିତା ଆୟୋଜିତ ହେବ । ରାଜ୍ୟସ୍ତରରେ ପୁରସ୍କୃତ ଛାତ୍ରଛାତ୍ରୀଙ୍କୁ ଏକ ବର୍ଷ ପାଇଁ ସ୍କଲାରସିପ୍ ପ୍ରଦାନ କରାଯିବ । ଗୀତା ପାଠ ପ୍ରତିଯୋଗିତାରେ ଅଂଶଗ୍ରହଣ ପାଇଁ ଛାତ୍ରଛାତ୍ରୀଙ୍କଠାରୁ କୌଣସି ଅଂଶଗ୍ରହଣ ଫି’ ନିଆଯିବ ନାହିଁ ।
ଗୀତା ପାଠ ପ୍ରତିଯୋଗିତା ସହିତ ଗୀତା ଜ୍ଞାନ ପରୀକ୍ଷା ମଧ୍ୟ ପୃଥକ୍ ଭାବେ ଆୟୋଜନ କରାଯିବ। ଏହି ପରୀକ୍ଷାର ତାରିଖ ଓ ଅନ୍ୟାନ୍ୟ ବିବରଣୀ ପରେ ଆୟୋଜକଙ୍କ ପକ୍ଷରୁ ଜଣାଇ ଦିଆଯିବ। ପରୀକ୍ଷାରେ ଅଂଶ ନେବାକୁ ଇଚ୍ଛୁକ ଛାତ୍ରଛାତ୍ରୀଙ୍କୁ ଅନଲାଇନ୍ରେ ନିର୍ଦ୍ଧାରିତ ପରୀକ୍ଷା ଫି’ ଦେଇ ପଞ୍ଜୀକରଣ କରିବାକୁ ପଡ଼ିବ। ଏହି କାର୍ଯ୍ୟକ୍ରମରେ ଆଗ୍ରହୀ ଛାତ୍ରଛାତ୍ରୀଙ୍କୁ ଉତ୍ସାହିତ କରିବା ସହ ଅଂଶଗ୍ରହଣ ପାଇଁ ଅନୁମତି ଦେବାକୁ ଉଚ୍ଚଶିକ୍ଷା ବିଭାଗ ଶିକ୍ଷାନୁଷ୍ଠାନଗୁଡ଼ିକୁ କହିଛି ।
